ପୃଷ୍ଠା:Aama Madhusudan.pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧିକ କାଳ ବିଳମ୍ବ ନକରି ଏହି ସମସ୍ୟାର ସମାଧାନ କରିବାପାଇଁ ପ୍ରକୃତରେ ବଡ଼ଲାଟଙ୍କର ସାର୍‍ ଏଣ୍ଡ୍ରୁ ଫେଜରଙ୍କ ପ୍ରତି ଜରୁରୀ ନିର୍ଦ୍ଦେଶ ଥିଲା । ତେଣୁ ସିମ୍‍ଲାରୁ ଫେରିବା ବାଟରେ ନାଗପୁର ନଯାଇ ସମ୍ବଲପୁରରେ ଏଣ୍ଡ୍ରୁ ଫେଜର ସେହି ସେପ୍ଟେମ୍ବର ମାସ ୨୬ ତାରିଖରୁ ଏହି ଅନୁଧ୍ୟାନ କାର୍ଯ୍ୟ କରିବାପାଇଁ ସ୍ଥିର କରିଥିଲେ ।
ଏହି ସମୟରେ ସମ୍ବଲପୁରରୁ ପଞ୍ଚସଖା ମଦନମୋହନ ମିଶ୍ର, ବଳଭଦ୍ର ସୂପକାର, ଶ୍ରୀପତି ମିଶ୍ର, ବ୍ରଜମୋହନ ପଟ୍ଟନାୟକ ଓ ମଦନ ବିହାରୀ ଦାସ, ସମ୍ବଲପୁରର ଭାଷା ସମସ୍ୟା ସଂପର୍କରେ ବଡ଼ଲାଟଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ସିମ୍‍ଲାରେ ପହଞ୍ଚିଲେ । ଏ ଦିଗରେ ଯଥେଷ୍ଟ ଅଗ୍ରଗତି କରିଥିବାରୁ ସାର୍‍ ଏଣ୍ଡ୍ରୁ ଫେଜରଙ୍କ ସେକ୍ରେଟେରୀ ଏହି ପଞ୍ଚସଖାଙ୍କୁ ତୁରନ୍ତ ଫେରିଯାଇ ଚିଫ୍‍ କମିଶନରଙ୍କ ଭାଷା ସଂକ୍ରାନ୍ତ ଅନୁଧ୍ୟାନ ଓ ଅନୁସନ୍ଧାନରେ ସହଯୋଗିତା କରିବାପାଇଁ ନିବେଦନ କଲେ । ୧୯୦୧ସେପ୍ଟେମ୍ବର ୨୬ ତାରିଖରେ ସାର୍‍ ଏଣ୍ଡ୍ରୁ ଫେଜର ସମ୍ବଲପୁରରେ ପହଞ୍ଚି ୩୦ ତାରିଖ ପର୍ଯ୍ୟନ୍ତ ସ୍ୱୟଂ ଅନୁସନ୍ଧାନ କରିବା ସହିତ ସମ୍ବଲପୁରବାସୀଙ୍କ ମର୍ମବେଦନା ଅନୁଭବ କଲେ । ଓଡ଼ିଆ ଭାଷାର ପୁନଃ ପ୍ରଚଳନପାଇଁ ସେ ବଡ଼ଲାଟଙ୍କୁ ସୁପାରିଶ କଲେ ।
ଭାରତୀୟ ସଂସ୍କୃତିର ମହନୀୟ ଧାରାକୁ ଚିହ୍ନିବାଲାଗି ପ୍ରୟାସ କରୁଥିଲେ ଲଡର଼୍ କର୍ଜନ । ମଧୁସୂଦନଙ୍କ ଆମନ୍ତ୍ରଣରେ ଓଡ଼ିଶା ପରିଦର୍ଶନ ପରେ ତାଙ୍କର ଓଡ଼ିଆ ଜାତି ପ୍ରତି ଜାଗରିତ ହୋଇଥିଲା ଏକ ସମ୍ମାନବୋଧ । ତେଣୁ ସମ୍ବଲପୁରରେ ସୁଦୀର୍ଘ ଭାଷା ଆନ୍ଦୋଳନର ସମାପ୍ତି ଘଟାଇ ସେ ୧୯୦୨ ସାଲର ମଧ୍ୟ ଭାଗରେ ପୁଣି ଓଡ଼ିଆ ଭାଷାର ପୁନଃ ପ୍ରଚଳନ ଲାଗି ନିର୍ଦ୍ଦେଶନାମା ଜାରି କଲେ, ଯାହା ୧.୧.୧୯୦୩ରେ କାର୍ଯ୍ୟକାରୀ ହୋଇଥିଲା । ତାଙ୍କର ଦୀର୍ଘକାଳର ନିଜସ୍ୱ ପରିକଳ୍ପନାର ଫଳଶ୍ରୁତି- ରିସ୍‍ଲେ ସର୍କୁଲାର ପ୍ରକାଶିତ ହୋଇଥିଲା ୧୯୦୩ଡିସେମ୍ବର ତିନି ତାରିଖରେ, ଯହିଁରେ ସୁବିଶାଳ ବଂଗ ପ୍ରେସିଡେନ୍‍ସିକୁ ଦ୍ୱିଖଣ୍ଡିତ କରିବା ସହିତ ପଶ୍ଚିମାଞ୍ଚଳରେ ସମସ୍ତ ଓଡ଼ିଆ ଭାଷା ଅଂଚଳର ମିଶ୍ରଣ ସ୍ଥାନ ପାଇଥିଲା । ଏହି ସଂଯୋଜନାରେ ମଧୁସୂଦନଙ୍କର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ୧୯୦୪ ସାଲର ପୂର୍ବ ଭାଗରେ ଲଡର଼୍ କର୍ଜନଙ୍କ ପତ୍ନୀଙ୍କର ସ୍ୱାସ୍ଥ୍ୟହାନି ଯୋଗୁଁ ଦୀର୍ଘକାଳ ଲାଗି ତାଙ୍କୁ ଛୁଟିରେ ଯିବାକୁ ପଡ଼ିଲା । ଓଡ଼ିଶା ସହିତ ମାଡ଼୍ରାସର ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣକୁ ତୀବ୍ର ଭାବରେ ବିରୋଧ କରୁଥିବା ମାଡ଼୍ରାସର ଗଭର୍ଣ୍ଣର ଏମ୍ପଥିଲ କିଛିକାଳ ବଡ଼ଲାଟ ରୂପେ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ସ୍ୱତନ୍ତ୍ର ନିର୍ଦ୍ଦେଶ ବଳରେ ଦକ୍ଷିଣ ଓଡ଼ିଶା ମିଶ୍ରଣ ସଂପର୍କୀୟ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲା । ଛୁଟିରୁ ଫେରି ଲଡର଼୍ କର୍ଜନ ୧୯୦୫ ସାଲର ଜୁଲାଇ ୧୯ ତାରିଖରେ ରିସ୍‍ଲେ ସର୍କୁଲାର ସଂଯୋଜନାକୁ ବିଧିବଦ୍ଧ ଭାବେ ସରକାରୀ ପ୍ରସ୍ତାବ ରୂପେ ଗୃହୀତ କରି ଘୋଷଣାନାମା ଜାରି କରିଥିଲେ । ମାତ୍ର ତାଙ୍କର ସୌଭାଗ୍ୟର ଦିନଗୁଡ଼ିକ ସରି ଆସୁଥିଲା । ଏକଦା ତାଙ୍କର ଅନ୍ତରଙ୍ଗ ଥିବା ଭାରତର ସାମରିକ ମୁଖ୍ୟଙ୍କ ସହିତ ତାଙ୍କର ମନୋମାଳିନ୍ୟ ପରିପ୍ରେକ୍ଷୀରେ ଲଡର଼୍ କର୍ଜନ ଇସ୍ତଫା ପତ୍ର ଦାଖଲ କରିଥିଲେ । ଏହାକୁ ସପ୍ତମ ଏଡ଼ଓ୍ୱାଡର଼୍ (ବ୍ରିଟେନର ରାଜା) ଗ୍ରହଣ କରି ଅଗଷ୍ଟ ଷୋହଳ ତାରିଖରେ ଜଣାଇ ଦେଇଥିଲେ । ହେଲେ ଅପ୍ରତିହତ ଥିଲା ଲର୍ଡ଼

୧୪୦ ଆମ ମଧୁସୂଦନ