ପୃଷ୍ଠା:Aama Madhusudan.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେ ପାଠକ ବର୍ଗ ! ଆପଣ ଜାଣନ୍ତି କି ? - ଓଡ଼ିଶା ପ୍ରଦେଶର ସ୍ଥାପନା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରୁ ଆରମ୍ଭ ହୋଇଥିଲା । ନଦୀବହୁଳ ଓଡ଼ିଶାର ଉପକୂଳରେ ରେଳଲାଇନ୍‍ର ସ୍ଥାପନା ବ୍ୟୟବହୁଳ ଓ ଦୁର୍ବହ ଥିଲା । ଏଣୁ ୧୮୭୫ ସାଲ ବେଳକୁ କଟକ ସହିତ କଲିକତା କେନାଲ ପଥରେ ସଂଯୁକ୍ତ ହୋଇଥିଲା । ମାତ୍ର ମଧୁସୂଦନ ଶ୍ରୀକ୍ଷେତ୍ର ସହିତ କଲିକତାକୁ ସଂଯୋଗ କରିବାପାଇଁ ଯେଉଁ ଅଦମ୍ୟ ପ୍ରଚେଷ୍ଟା କରିଥିଲେ, ତାହାରି ଫଳରେ ୧୮୯୫ଠାରୁ ୧୯୦୦ ସାଲ ମଧ୍ୟରେ ପୁରୀ ସହିତ କଲିକତା କେବଳ ନୁହେଁ, ମାଡ଼୍ରାସ ମଧ୍ୟ ସଂଯୁକ୍ତ ହେଲା । ସେହି ସଂଯୁକ୍ତିର ପ୍ରଥମ ରେଳଯାତ୍ରାରେ ୧୬ଡିସେମ୍ବର, ୧୯୦୦ରେ ଭାରତର ବଡ଼ଲାଟ ଲର୍ଡ କର୍ଜନ, ପୁରୀ ଓ ମନ୍ଦିରମାଳିନୀ ଭୁବନେଶ୍ୱରର ନଗରୀର ଅନବଦ୍ୟ କଳା ଓ ଭାସ୍କର୍ଯ୍ୟ ଦର୍ଶନକରି ଅଭିଭୂତ ହୋଇ ଯାଇଥିଲେ ।

ଲର୍ଡ କର୍ଜନଙ୍କର ସ୍ୱତନ୍ତ୍ର ନିମନ୍ତ୍ରଣରେ ମଧୁସୂଦନ ୧୯୦୦ ସାଲ ଅକ୍ଟୋବର ତୃତୀୟ ସପ୍ତାହରେ ସିମିଲାଠାରେ ଲର୍ଡ କର୍ଜନଙ୍କୁ ଭେଟି ଏହି ପରିଦର୍ଶନପାଇଁ ନିମନ୍ତ୍ରଣ ଜଣାଇଥିଲେ । ଲର୍ଡ କର୍ଜନ ପୁରୀରେ ପହଞ୍ଚି ରାଧାବଲ୍ଲଭ ମଠ ଉପରୁ ଶ୍ରୀମନ୍ଦିର ପରିଦର୍ଶନ କରିସାରିବା ପରେ ରାଜଦ୍ୱାରରେ ମଧୁସୂଦନଙ୍କଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତ୍ୟନ୍ତ ମହିମାନ୍ୱିତ ଭାବରେ ସମ୍ବର୍ଦ୍ଧିତ ହେଲେ । ଏହାର କିଞ୍ଚିତ ମାତ୍ର ବିବରଣୀ ଉତ୍କଳଦୀପିକାରୁ ଉଦ୍ଧାର କରୁଛୁ ।

ତଳେ ବନାତ ବିଛଣା ହୋଇ ତହିଁ ଉପରେ ମହାମାନ୍ୟଙ୍କ ନିମନ୍ତେ ରୂପାର କୁରୁସି ପଡ଼ିଥିଲା । ସମ୍ମୁଖରେ ଗୋଟିଏ ମେଜ ଉପରେ ପଥରରେ ନିର୍ମିତ ଶ୍ରୀ ମନ୍ଦିରର ପ୍ରତିକୃତି, ଗୋଟିଏ ଅବିକଳ ସୁସଜ୍ଜିତ ରଥର ଆକୃତି ଏବଂ ଗୋଟିଏ ରୂପାର ଅଭିନନ୍ଦନ ପତ୍ରାଧାର ମହାତ୍ମାଙ୍କୁ ଉପଢୌକନ ଦେବା କାରଣ ରଖାଯାଇଥିଲା । ଏହା ମାନ୍ୟବର ମଧୁସୂଦନଙ୍କର ଶିଳ୍ପାଗାରରେ ନିର୍ମିତ ହୋଇ ବିଚକ୍ଷଣ ଉଦ୍‍ଭାବନା ଏବଂ ସୁରୁଚିର ପରିଚୟ ଦେଉଥିଲା । ସେହି ଆଧାରର ଦୁଇପାର୍ଶ୍ୱରେ ଦୁଇଟି ହାତୀଦାନ୍ତର ହାତୀ ବସି ଅଛନ୍ତି ଏବଂ ମଧ୍ୟରେ ସୁନାପତ୍ରରେ ଶ୍ରୀମନ୍ଦିରର ପ୍ରତିକୃତି ଅଙ୍କିତ ହୋଇଛି ଓ ମଧ୍ୟଭାଗରେ ସୁନାର ଏକ କାଳୀୟଦଳନ ମୂର୍ତ୍ତିି ସ୍ଥାପିତ ହୋଇଛି । ଅଭିନନ୍ଦନ ପତ୍ରରେ ଯେଉଁ ସୁଦୀର୍ଘ ସଂସ୍କୃତ ଶ୍ଳୋକ ଖୋଦିତ ହୋଇଛି ତାହାର ପ୍ରଥମ ଦୁଇଧାଡ଼ି ଏହିପରି ଥିଲା ।

"ଦ୍ୱାରମୁତ୍କଳ ଦେଶସ୍ୟ ଜଗନ୍ନାଥସ୍ୟ ମନ୍ଦିରଂ
 ଐତିହାସିକତତ୍ତ୍ୱସ୍ୟ ଜ୍ଞାପକଞ୍ଚ ବିଶେଷତଃ ।"

ଏହି ଯୁଗାନ୍ତକାରୀ ପରିଦର୍ଶନ ପରେ ଲର୍ଡ କର୍ଜନ ଏକାନ୍ତ ଭାବେ ଅଭିଭୂତ ହୋଇପଡିଥିଲେ ଏବଂ ୩ଡିସେମ୍ବର,୧୯୦୩ରେ ସମସ୍ତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣଲାଗି ପ୍ରସାରିତ କରିଥିଲେ ରିସ୍‍ଲେ ସର୍କୁଲାର । ଏହାକୁ ଆଧାରକରି ଓଡ଼ିଶାର ବିଖଣ୍ଡିତ ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳ ୧୬ଅକ୍ଟୋବର,୧୯୦୫ରେ ଓଡ଼ିଶା ଡିଭିଜନ ସହିତ ସମ୍ମିଳିତ ହେଲା

ଆମ ମଧୁସୂଦନ * ୧୫