ପୃଷ୍ଠା:Aama Madhusudan.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଛୋଟଲାଟ ଚାପ ପରିତ୍ୟାଗ କରି ଘାଟରେ ଉପବେଶନ କରନ୍ତେ ମହାନଦୀର ମଧ୍ୟବର୍ତ୍ତୀ ସ୍ଥଳରେ ଅଗ୍ନିକ୍ରୀଡ଼ା ଆରମ୍ଭ ହେଲା । ସମ୍ବଲପୁରରେ ବାଣୁଆ ହାତୀ ମସ୍ତାନ ପ୍ରାୟ ଏକଶତ ଟଙ୍କାର ବାଣ ପ୍ରସ୍ତୁତ କରିଥିଲେ । ବାଣଗୁଡ଼ିକ ଉତ୍କୃଷ୍ଟ ଥିଲା । ତତ୍ପରେ ଲୋକମାନଙ୍କର ମଙ୍ଗଳ ନୃତ୍ୟ ଓ ଯାତ୍ରା ଦଳର ନୃତ୍ୟ ହୋଇଥିଲା । ଟିଟନବିସ ଘାଟ ସଙ୍ଗେ ସହରର ପ୍ରତ୍ୟେକ ଘାଟ ଆଲୋକିତ ହୋଇଥିଲା । ଦୀପାବଳୀ ଅମାବାସ୍ୟା ପରି ଗୃହପାର୍ଶ୍ୱରେ ଦୀପ ଜଳା ଯାଇଥିଲା ।
କେହି କେହି ଗୃହର ଦ୍ୱାରରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରିଥିଲେ । ଏ ଥିଲା ସମ୍ବଲପୁର ହିତୈଷିଣୀର ମାର୍ମିକ ବିବରଣୀ ।
ପରିପୂର୍ଣ୍ଣତାର ନିବିଡ଼ ଆଶ୍ୱାସ ମଧ୍ୟରେ ଉତ୍ସବର ଏକ ଭାବବିହ୍ୱଳତା ବିଭୋର କରିଥିଲା ସମସ୍ତଙ୍କୁ । ଏଥିରେ ସମ୍ମିଳିତ ହୋଇଥିଲେ ସମ୍ବଲପୁର ଅଧିବାସୀଙ୍କର ସହ ପଶ୍ଚିମାଞ୍ଚଳର ଗଡ଼ଜାତ ରାଜ ପ୍ରତିନିଧିବୃନ୍ଦ । ଉତ୍କଳ ସମ୍ମିଳନୀର ପ୍ରତିନିଧିଙ୍କ ଯୋଗଦାନ ଅତ୍ୟନ୍ତ ମାର୍ମିକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା । ପଶ୍ଚିମାଞ୍ଚଳର ଏହି ମିଶ୍ରଣ ପରେ ଓଡ଼ିଶା ପ୍ରକୃତରେ ଏକ ସବ୍‍-ପ୍ରଭିନସ୍‍ ପଦବୀକୁ ଉନ୍ନୀତ ହୋଇଥିଲା । ତାହା ସ୍ୱତନ୍ତ୍ର ଓଡ଼ିଶା ଗଠନର ଭିତ୍ତିଭୂମି ସ୍ଥାପନ କରିଥିଲା । ଏଣୁ ୧୬.୧୦.୧୯୦୫ ତାରିଖଟି ହେଉଛି ନବ ଓଡ଼ିଶାର ଆଦ୍ୟ ଜନ୍ମୋତ୍ସବ, ଯାହାର ଶତାବ୍ଦୀ ସମାରୋହ, ୨୦୦୪-୨୦୦୫ ସାଲରେ ପାଳିତ ହୋଇଛି ।
ଏହାର ଏକ ମାସ ପରେ, ସେହି ବର୍ଷ ନଭେମ୍ବର ସତର ତାରିଖରେ, ଲର୍ଡ଼ କର୍ଜନଙ୍କୁ ଦେଖିବାକୁ ମିଳିଥିଲା ବମ୍ବେ ବନ୍ଦରରେ, ଲଣ୍ଡନଗାମୀ ଏକ ଜାହାଜରେ ଆରୋହଣ କରିବା ଅବସ୍ଥାରେ ସୂର୍ଯ୍ୟାସ୍ତର ବେଳାରେ । ମାତ୍ର ଖଣ୍ଡିଏ ଦୂରରେ ଅସ୍ତମିତ ସୂର୍ଯ୍ୟର ଆଲୋକରେ ବିଦାୟ ସମ୍ବର୍ଦ୍ଧନା ଜଣାଉଥାନ୍ତି ନବନିଯୁକ୍ତ ଗଭର୍ଣ୍ଣର ଜେନେରାଲ୍‍ ଲଡର଼୍ ମିଣ୍ଟୋ । ସୂର୍ଯ୍ୟାସ୍ତର ସେହି ବର୍ଣ୍ଣିଳ ଆଲୋକରେ ଲଡର଼୍ କର୍ଜନ ହୋଇଗଲେ ଅସ୍ତମିତ । ମାତ୍ର ସେ ସଦା ବର୍ଣ୍ଣାଢ଼୍ୟ ଆଲୋକରେ ଓଡ଼ିଶାର ଅନ୍ତରରେ ଚିର ଭାସ୍ୱର । ବ୍ରିଟିଶ ସାମ୍ରାଜ୍ୟବାଦର ତୁଚ୍ଛ ଅହମିକା ଓ ଚକ୍ରାନ୍ତ ମଧ୍ୟରେ, ସେ ଓଡ଼ିଆମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ଓ ଅବହେଳା ବିରୋଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି ।
୧୬.୧୦.୧୯୦୫ରେ ନୂତନ ଓଡ଼ିଶାର ପ୍ରଥମ ଜନ୍ମୋତ୍ସବ ପରେ, ସ୍ୱତନ୍ତ୍ର ଓଡ଼ିଶା ଗଠନ ଲାଗି ଅବିରାମ ଭାବରେ ତିରିଶି ବର୍ଷ ସଂଗ୍ରାମ କରିବାକୁ ପଡ଼ିଥିଲା । ପ୍ରକୃତରେ ସମ୍ବଲପୁର ଭାଷା ଆନ୍ଦୋଳନର ମୁଖ୍ୟ କର୍ତ୍ତା ହେଉଛନ୍ତି କବି ଗଂଗାଧର ମେହେର, ଧରଣୀଧର ମିଶ୍ର, ସୋମନାଥ ବାବୁ, ପଞ୍ଚସଖା ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର, ବଳଭଦ୍ର ସୂପକାର, ମଦନ ବିହାରୀ ଦାସ, ଶ୍ରୀପତି ମିଶ୍ର ଏବଂ ବୈକୁଣ୍ଠନାଥ ପୂଜାରୀ ଓ ଚନ୍ଦ୍ରଶେଖର ବେହେରା । ଏମାନେ ସମସ୍ତେ ଗୌରବର ପାତ୍ର, ଯାହାଙ୍କର ଅପରାଜେୟ ଭୂମିକା ଚିର ସ୍ମରଣୀୟ ।

ଆମ ମଧୁସୂଦନ ୧୪୩