ପୃଷ୍ଠା:Aama Madhusudan.pdf/୧୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୂପ ଦେବାପାଇଁ ୧୮୯୫ରେ ଖଲିକୋଟର ରାଜା ହରିହର ମର୍ଦ୍ଦରାଜଙ୍କର ମୟୂରଭଞ୍ଜ ରାଜଜେମା ତଥା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଭଗିନୀଙ୍କୁ ବିବାହ ପରେ ଉତ୍ତର ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶା ମଧ୍ୟରେ ଏକ ସାଂସ୍କୃତିକ ଯୋଗସୂତ୍ର ପ୍ରତିଷ୍ଠିତ ହେଲା । ଏହା ସହିତ ଦକ୍ଷିଣ ଓଡ଼ିଶାର ରାଜା ଜମିଦାରମାନେ ବୈବାହିକ ସମ୍ବନ୍ଧରେ ପରସ୍ପର ମଧ୍ୟରେ କେବଳ ସଂପର୍କିତ ନଥିଲେ, ବହୁ ଉତ୍ତର ଓଡ଼ିଶାର ରାଜା ଓ ଜମିଦାରଙ୍କ ସହିତ ଜ୍ଞାତି ତଥା ପାରିବାରିକ ବନ୍ଧନରେ ଆବଦ୍ଧ ଥିଲେ । ମାତ୍ର ୧୯୦୦ ସାଲରେ ସମଗ୍ର ଉପକୂଳ ସଂଯୁକ୍ତ ହେଲା ରେଳମାର୍ଗରେ ପରପସ୍ପରକୁ ନିକଟତର କରି ।
ଜାତିପ୍ରାଣ ମଧୁସୂଦନ ଏହି ସଂପର୍କକୁ ଓଡ଼ିଆ ଜାଗରଣର ଏକ ମାଧ୍ୟମ ରୂପେ ଗ୍ରହଣ କରିଥିଲେ । ତେଣୁ ୧୯୦୦ ସାଲ ବେଳକୁ ଲାଟ ବା ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ପରିଦର୍ଶନ ଅଥବା ଦରବାର କଟକରେ ଅନୁଷ୍ଠିତ ହେଲାବେଳେ ଯେଉଁ ରାଜା ଓ ଜମିଦାର ଗୋଷ୍ଠୀଙ୍କର ସମାବେଶ ହୋଇଥିଲା, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରି ମଧୁବାବୁ ନିଜ କୋଠିରେ ଏକ କ୍ଷୁଦ୍ର ସମ୍ମିଳନୀର ଆୟୋଜନ କରି ଓଡ଼ିଶାର ସମସ୍ୟା ସେମାନଙ୍କ ଆଗରେ ଉପସ୍ଥାପିତ କରିଥିଲେ । ଏହି ସମ୍ମିଳନୀକୁ ସେ ସ୍ୱତନ୍ତ୍ର ଭାବେ ଖଲିକୋଟର ରାଜା ହରିହର ମର୍ଦ୍ଦରାଜଙ୍କୁ ନିମନ୍ତ୍ରଣ କରିଥିଲେ ।
ନିବିଡ଼ ପରିଚୟ ଓ ସଂପର୍କର ସୂତ୍ର ନେଇ ଏହି ରାଜା ଓ ଜମିଦାରଙ୍କ ମାଧ୍ୟମରେ ଗଞ୍ଜାମରେ ସାମୂହିକ ଜାଗରଣ ସୃଷ୍ଟି କରିବାପାଇଁ ମଧୁବାବୁ ୧୯୦୧ରେ ସ୍ୱତନ୍ତ୍ର ଭାବେ ଚିଠି ଲେଖା, ରାଜା ହରିହରଙ୍କୁ ହାର୍ଦ୍ଦିକ ଅନୁରୋଧ ଜଣାଇଥିଲେ । ସଙ୍ଗେସଙ୍ଗେ ପ୍ରତ୍ୟୁତ୍ତର ଦେଇ ହରିହର ମର୍ଦ୍ଦରାଜ ଅକୁଣ୍ଠ ସହଯୋଗର ପ୍ରତିଶ୍ରୁତି ଜଣାଇଥିଲେ । ରାଜା ହରିହରଙ୍କୁ ଏ କ୍ଷେତ୍ରରେ ପ୍ରୋତ୍ସାହନ ଦେବାପାଇଁ ଉପସ୍ଥିତ ଥିଲେ ଆପଣାର ପ୍ରମୁଖ ଉପଦେଷ୍ଟା ନରସିଂହ ଦାସ ଓ ନୀଳମଣି ବିଦ୍ୟାରତ୍ନ । ମଧୁସୂଦନଙ୍କ ପ୍ରସ୍ତାବର ପ୍ରାରମ୍ଭିକ ରୂପରେଖ ଲାଗି,ଯୁବରାଜ ରାମଚନ୍ଦ୍ର ମର୍ଦ୍ଦରାଜଙ୍କର ଦ୍ୱିତୀୟ ବାର୍ଷିକୀ ଜନ୍ମ ସମାରୋହ ପାଳନ ଉପଲକ୍ଷେ ହରିହର ୧୯୦୨ ଜାନୁଆରି ମାସରେ ଏକ କ୍ଷୁଦ୍ର ସମ୍ମିଳନୀ ଇମା ପ୍ରାସାଦଠାରେ ଆୟୋଜନ କଲେ । ଏହି ସମାବେଶରେ ମଧୁସୂଦନଙ୍କ ଛଡ଼ା ମୟୂରଭଞ୍ଜର ମହାରାଜା, ଫକୀରମୋହନ ସେନାପତି, ପର୍ଶୁରାମ ପାତ୍ର, ଗଦାଧର ବିଦ୍ୟାଭୂଷଣ, ବଳରାମ ମହାରଣା, ନରସିଂହ ଦାସ, ନୀଳମଣି ବିଦ୍ୟାରତ୍ନ ପ୍ରଭୃତି ଯୋଗ ଦେଇଥିଲେ । ଏଥିରେ ଉତ୍କଳ ଜନନୀଙ୍କର ଖଣ୍ଡିତ ରୂପ ସମସ୍ତଙ୍କ ଆଖù ଆଗରେ ନାଚିଗଲା ଓ "ଜୟ ଉତ୍କଳ ଜନନୀ' ଧ୍ୱନିର ଅବତାରଣା କରାଗଲା । ଏହାର ପରବର୍ତ୍ତୀ ଅଧିବେଶନ ଗଞ୍ଜାମଠାରେ କରିବାପାଇଁ ମଧୁବାବୁ ସର୍ବସମକ୍ଷରେ ପ୍ରସ୍ତାବ ରଖିଲେ ।
ଏହି ପ୍ରସ୍ତାବକୁ ଆଧାର କରି ୧୯୦୩ ଏପ୍ରିଲ୍‍ ୧୧ ତାରିଖରେ ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍‍ ଶ୍ୟାମସୁନ୍ଦର ରାଜଗୁରୁଙ୍କର ସଭାପତିତ୍ୱରେ ବ୍ରହ୍ମପୁରଠାରେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା ।
ଏହି ସମ୍ମିଳନୀରେ ମଧୁବାବୁ ଉଦ୍‍ବୋଧନ ଦେଇ କହିଲେ ଯେ, ପ୍ରାକୃତିକ ଦେଶର ସବୁ ଅଞ୍ଚଳରୁ ପ୍ରତିନିଧି ଆସିଛନ୍ତି । ତେଣୁ ଏହା ଉତ୍କଳ ସମ୍ମିଳନୀ ବୋଲାଇବ । ସମସ୍ତଙ୍କ ମନକୁ ଏକଥା ପାଇଲା । ସ୍ଥିର ହେଲା ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକରେ ଅନୁଷ୍ଠିତ ହେବ । ସମ୍ମିଳନୀର ପ୍ରତିନିଧିମାନେ ଗୋଲାପୀ ରଂଗର ପାଗ ଧାରଣ କରିବେ ବୋଲି ସ୍ଥିର ହେଲା । ଗଞ୍ଜାମ

ଆମ ମଧୁସୂଦନ ୧୪୫