ପୃଷ୍ଠା:Aama Madhusudan.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ମିଳନୀ ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ ହେଲା । (ପଣ୍ଡିତ ବାଇକୋଳି ମହାପାତ୍ରଙ୍କର ଓଡ଼ିଆ ଆନ୍ଦୋଳନର ଇତିହାସ, ପୃଷ୍ଠା-୫୮)
କଟକରେ ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ଗଞ୍ଜାମରୁ ୧୨୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ମଧୁସୂଦନଙ୍କ ଅଭିଳାଷ ବହୁ ପରିମାଣରେ ସାକାର ହେଲା । ପ୍ରକୃତରେ ଉତ୍କଳ ସମ୍ମିଳନୀର ପରବର୍ତ୍ତୀ ପର୍ଯ୍ୟାୟରେ ଗଞ୍ଜାମର ରାଜା, ଜମିଦାର ତଥା ନେତୃସ୍ଥାନୀୟ ବ୍ୟକ୍ତିମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଜା ହରିହରଙ୍କର ତୃତୀୟ ଭଗିନୀପତି ମଦନମୋହନ ସିଂହଦେଓ ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ (୧୯୦୪)ରେ ଓ ଦ୍ୱିତୀୟ ଭଗିନୀପତି ସୁରଙ୍ଗୀର ରାଜା ଚନ୍ଦ୍ର ଚୂଡ଼ାମଣି ହରିଚନ୍ଦନ ପଞ୍ଚମ ଅଧିବେଶନ (୧୯୦୮) ଓ ଅଷ୍ଟମ ଅଧିବେଶନ (୧୯୧୪)ରେ ଅଧ୍ୟକ୍ଷତା କରିଥିଲେ । ଏହାଛଡ଼ା ଦଶମ ଅଧିବେଶନ (୧୯୧୧)ରେ ମହାରାଜା ବିକ୍ରମ ଦେବ ବର୍ମା ଓ ଦ୍ୱାଦଶ ଅଧିବେଶନ (୧୯୧୬)ରେ ମଞ୍ଜୁଷା ରାଜା ରାଜମଣି ଅଧ୍ୟକ୍ଷତା କରିଥିଲେ । ୧୯୩୩ରେ ଅନୁଷ୍ଠିତ ବ୍ରହ୍ମପୁର ଅଧିବେଶନରେ ପାରଳାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଅଧ୍ୟକ୍ଷତା କରିଥିଲେ ।
୧୯୦୫ ସାଲରୁ ଦକ୍ଷିଣ ଓଡ଼ିଶାର ମିଶ୍ରଣ ହିଁ ମଧୁସୂଦନଙ୍କର ଚିନ୍ତା ଓ ଚେତନାରେ ଅଗ୍ରାଧିକାର ଲାଭ କରିଥିଲା । ୧୯୦୬ ସାଲରେ ଉତ୍କଳ ସମ୍ମିଳନୀର ୪ର୍ଥ ଅଧିବେଶନ ବ୍ରହ୍ମପୁରରେ ଅନୁଷ୍ଠିତ ହେଲା । ମାତ୍ର ଏହା ପୂର୍ବରୁ ୧୯୦୫ ସାଲରେ ମଧୁବାବୁଙ୍କ ପ୍ରେରଣାରେ ସେହିବର୍ଷ ଏପ୍ରିଲ୍‍ ୨୯, ୩୦ ତାରିଖରେ ଖଲିକୋଟ ଜମିଦାରିର ରମ୍ଭାଠାରେ ଉତ୍କଳ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକୃତିକ ଉତ୍କଳର ବହୁ ପ୍ରତିନିଧି ଯୋଗ ଦେବା ସଙ୍ଗେ ସଙ୍ଗେ ଶ୍ରୀରାମଚନ୍ଦ୍ର ଭଞ୍ଜ(ମୟୂରଭଞ୍ଜ) ସଭାପତି ଓ ମଧୁବାବୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମିଳନୀ ପରେ ମଧୁବାବୁ ଆହୁରି ୨ ଦିନ ରମ୍ଭାଠାରେ ଉପସ୍ଥିତ ରହି ଭବିଷ୍ୟତ କାର୍ଯ୍ୟପନ୍ଥାର ରୂପରେଖ ପ୍ରସ୍ତୁତ କରିଥିଲେ ।
୧୯୦୬ ସାଲରେ ବ୍ରହ୍ମପୁରଠାରେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ମଧୁବାବୁ ଯୋଗ ଦେଇ ଏହି ସମ୍ମିଳନୀର ପରିଚାଳନା ପାଇଁ ନଅଶହ ଟଙ୍କା ଦାନ କରିଥିଲେ । କଟକରେ ଅନୁଷ୍ଠିତ ପ୍ରଥମ ଦୁଇ ଅଧିବେଶନର ପ୍ରାୟ ସମସ୍ତ ଖର୍ଚ୍ଚ ମଧୁବାବୁ ବହନ କରିଥିଲେଏବଂ ପରବର୍ତ୍ତୀ ବହୁ ଅଧିବେଶନ ଲାଗି ଖର୍ଚ୍ଚର ସିଂହଭାଗ ମଧୁବାବୁ ସ୍ୱୟଂ ବହନ କରିଚାଲିଥିଲେ । ଜୀବନର ସାୟାହ୍ନରେ ୧୯୨୮ ସାଲ ନଭେମ୍ବର ମାସରେ ଅନୁଷ୍ଠିତ ଏକ ସଭାରେ କହିଥିଲେ," ମୁଁ ଉତ୍କଳ ଜନନୀଙ୍କର ସେବାଲାଗି ବିଦୂରର ଖୁଦ ମାତ୍ର ଦାନ କରିଛି ସତ, ମାତ୍ର ମୁଁ ପରଠାରୁ ମାଗିକରି ଦେଶସେବା କରିବା ଜାଣେ ନାହିଁ ।" ଏହାଥିଲା ମଧୁବାବୁଙ୍କର ପ୍ରାଣବନ୍ତ ବକ୍ତବ୍ୟର ଉଜ୍ଜ୍ୱଳ ବିଭବ,ଯାହା ଥିଲା ସମର୍ପିତ ଭାବେ ଦେଶମାତୃକାର ସେବା ଲାଗି ଉତ୍ସର୍ଗୀକୃତ ଆତ୍ମଦାନର ଏକ ଜ୍ୱଳନ୍ତ ନିଦର୍ଶନ । ରାଜନ୍ୟ ମଣ୍ଡଳୀଙ୍କ ଛଡ଼ା, ମଧୁବାବୁଙ୍କର ସମ୍ପର୍କ ଗଢ଼ି ଉଠିଥିଲା ସବ୍‍ରେଜିଷ୍ଟ୍ରାର୍‍ ନରସିଂହ ଦାସ (କାନକୁଟୁରୁ)ଓ ଆସିକାର ହରିହର ପଣ୍ଡାଙ୍କ ସହିତ । ପରବର୍ତ୍ତୀ ସ୍ତରରେ ଏହି ବଳୟ ମଧ୍ୟକୁ ଆସିଥିଲେ ଶଶିଭୂଷଣ ରଥ

୧୪୬ ଆମ ମଧୁସୂଦନ