ପୃଷ୍ଠା:Aama Madhusudan.pdf/୧୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ବିଶ୍ୱନାଥ ଦାଶ (ପୂର୍ବତନ ପ୍ରଧାନମନ୍ତ୍ରୀ) । ଏମାନେ ମଧୁସୂଦନ ଦାସଙ୍କୁ ରାଜନୈତିକ ଗୁରୁ ରୂପେ ଗ୍ରହଣ କରିଥିଲେ । ମଧୁବାବୁ ଉତ୍କଳ ଜାତୀୟତାର ପ୍ରତୀକ ରୂପେ ଗ୍ରହଣ କରିଥିଲେ, ଶ୍ରୀ ଜଗନ୍ନାଥ, ଉତ୍କଳ ଜନନୀ ଏବଂ ଉପେନ୍ଦ୍ର ଭଞ୍ଜଙ୍କୁ । ସେ ବହୁବାର କହୁଥିଲେ, ଉପେନ୍ଦ୍ର ଭଞ୍ଜଙ୍କ ଜାତିମନ୍ତ୍ରରେ ଉତ୍କଳ ଜନନୀଙ୍କର ଅବରୁଦ୍ଧ କଣ୍ଠ ଖୋଲିଯିବ । ୧୯୧୨ ରେ ବ୍ରହ୍ମପୁରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ମଧୁବାବୁ କହିଥିଲେ, "ଉପେନ୍ଦ୍ର ଭଞ୍ଜ ଏହିଠାରେ ଜନ୍ମଗ୍ରହଣ କରିଥିଲେ । କୋଟି କୋଟି ଓଡ଼ିଆ ତାଙ୍କୁ ଆମ ଜାତିର କବି କହୁଛନ୍ତି । ମୁଁ ପ୍ରଶ୍ନ କରେ ତୁମ୍ଭର କିପରି ହେଲେ? ଜାତି କହିଲା, ଜାତିର ସୁସନ୍ତାନ ଜାତିର ଏବଂ କୁସନ୍ତାନ ବାପା ଓ ମାଆର ।" ୧୯୧୩ ସାଲରେ ପୁରୀ ଅଧିବେଶନରେ ସଭାପତିତ୍ୱ କରି ମଧୁବାବୁ କହିଥିଲେ, ଯେଉଁ ପ୍ରଦେଶରୁ ଉପେନ୍ଦ୍ର ଭଞ୍ଜଙ୍କର କଣ୍ଠଧ୍ୱନି ଉଠି ଏକ ସମୟରେ ଉତ୍କଳ ଜାତିର ହୃଦୟକୁ ଆହ୍ଲାଦରେ ନଚାଇ ଥିଲା, ସେ ପ୍ରଦେଶ ଉତ୍କଳ ଜନନୀର ଶରୀରରୁ ବିଚ୍ଛିନ୍ନ । ପୁନର୍ବାର ସେ କହିଥିଲେ,"ଉପେନ୍ଦ୍ର ଭଞ୍ଜଙ୍କ ମସ୍ତିଷ୍କ ଗଞ୍ଜାମରେ ଯାହା ଉତ୍କଳ ମାତାଙ୍କର ଗଣ୍ଡିରୁ ବିଚ୍ଛିନ୍ନ ।" ପ୍ରକୃତରେ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମଭୂମିକୁ ଉତ୍କଳମାତାଙ୍କ ମସ୍ତିଷ୍କ ରୂପେ ଚିହ୍ନିତ କରି, ଗଞ୍ଜାମକୁ ଓଡ଼ିଶାରେ ମିଶାଇବାଲାଗି ଜାଗରଣ ସୃଷ୍ଟି କରିବାପାଇଁ ମଧୁସୂଦନ ଛିନ୍ନମସ୍ତା ଦିବସ ପାଳନ କରିଥିଲେ ଏବଂ ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ନେତୃତ୍ୱ ନେଇ ପରିଣତ ବୟସରେ ୧୯୨୮ ସାଲରେ ପଦବ୍ରଜରେ ବୁଲି ଦେଶବାସୀଙ୍କୁ ଆହ୍ୱାନ ଜଣାଇଥିଲେ । ଉପେନ୍ଦ୍ର ଭଞ୍ଜଙ୍କୁ ଜନମାନସରେ ପ୍ରତିଷ୍ଠିତ କରିବାପାଇଁ ତାଙ୍କରି ପ୍ରେରଣାରେ ନିଜର କନିଷ୍ଠ ଭ୍ରାତା ଗୋପାଳ ବଲ୍ଲଭ 'ଇନ୍ଦ୍ରଧନୁ' ପତ୍ରିକା ସଂପାଦନ କରିଥିଲେ । ତିରିଶି ବର୍ଷର ପ୍ରତୀକ୍ଷା ପରେ ୧୯୨୮ ସାଲ ଡିସେମ୍ବର ୧୨ ତାରିଖରେ ମଧୁବାବୁଙ୍କ ଦ୍ୱାରା ପ୍ରେରିତ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ପାଟଣାଠାରେ ସାଇମନ କମିଶନଙ୍କୁ ସ୍ୱାଗତ ଜଣାଇଥିଲେ । କନିକା ରାଜା ଲକ୍ଷ୍ମୀଧର ମହାନ୍ତିଙ୍କ ଦ୍ୱାରା ବିହାର ଓଡ଼ିଶା ଆସେମ୍ବ୍ଲି ପକ୍ଷରୁ ସାଇମନ କମିଶନଙ୍କୁ ସାକ୍ଷ୍ୟ ପ୍ରଦାନ, କମିଶନଙ୍କୁ ପାରଳା ମହାରାଜାଙ୍କ ନେତୃତ୍ୱରେ ମାନ୍ଦ୍ରାଜଠାରେ ଦାବିପତ୍ର ପ୍ରଦାନ ସାଙ୍ଗକୁ ଅଟ୍‍ଲି ସବ୍‍କମିଟିର ଅନୁମୋଦନ ଫଳରେ, ଦୀର୍ଘକାଳ ଧରି ଅବରୁଦ୍ଧ ରହିଥିବା ଦ୍ୱାର ଉନ୍ମୋଚିତ ହୋଇଥିଲା ଓ ସାଇମନ୍‍ କମିଶନ୍‍ ଓଡ଼ିଶା ପ୍ରଦେଶ ଗଠନର ଦାବିକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବାପାଇଁ ପାରଳା ମହାରାଜା, ମଧୁସୂଦନଙ୍କ ପ୍ରେରଣାରେ ୧୬.୧.୧୯୩୧ରେ ପ୍ରଥମ ଗୋଲଟେବୁଲ୍‍ ବୈଠକରେ ଦାବିପତ୍ର ଉପସ୍ଥାପନ କଲେ । ଏହା ପରେ ସୀମାନିର୍ଦ୍ଧାରଣପାଇଁ ଓଡ଼ନେଲ୍‍ କମିଟି ଗଠନ କରାଗଲା । ୭.୧୨.୧୯୩୨ରେ ତୃତୀୟ ଗୋଲଟେବୁଲ୍‍ ବୈଠକରେ ଖଲିକୋଟ ରାଜାଙ୍କର ଯୋଗଦାନ ପରେ, ଓଡ଼ିଶା ପ୍ରଦେଶର ଗଠନର ଐତିହାସିକ ଘୋଷଣାନାମା ୨୪.୧୨.୧୯୩୨ରେ ପ୍ରକାଶ ପାଇଥିଲା । ମାତ୍ର ୧୭.୩.୧୯୩୩ରେ ପ୍ରକାଶିତ ଶ୍ୱେତପତ୍ରରେ ପାରଳା ଓ ଜୟପୁର ଜମିଦାରିକୁ ପ୍ରସ୍ତାବିତ ସୀମା ମଧ୍ୟରୁ ବାଦ ଦିଆଯିବାଯୋଗୁ ନୈରାଶ୍ୟ ସୃଷ୍ଟି ହୋଇଥିଲା । ମାତ୍ର ମଧୁସୂଦନଙ୍କ ଦୃଢ଼ ଓ ଦିଗ୍‍ଦର୍ଶୀ ନିର୍ଦ୍ଦେଶରେ ଅନୁପ୍ରେରିତ ହୋଇ ପାରଳା ମହାରାଜାଙ୍କ ନେତୃତ୍ୱରେ ୩.୭.୧୯୩୩ରେ ଜଏଣ୍ଟ ପାର୍ଲାମେଣ୍ଟ କମିଟିରେ ଲଣ୍ଡନଠାରେ

ଆମ ମଧୁସୂଦନ ୧୪୭