ପୃଷ୍ଠା:Aama Madhusudan.pdf/୧୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରୁଷୋତ୍ତମପୁର ନିକଟସ୍ଥ ତାରାତାରିଣୀ ପୀଠରେ ଦଣ୍ଡାସୀ କୁଳର ମହାସଭା ଆହ୍ୱାନ କରି ଦଣ୍ଡାସି କୁଳ ମହାସଂଘ ପ୍ରତିଷ୍ଠା କରିଥିଲେ । କ୍ରମେ ସେମାନଙ୍କର ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ଅଣାଇ ସେମାନଙ୍କୁ ସାମାଜିକ ମାନ୍ୟତା ପ୍ରଦାନ କରିଥିଲେ । ଶଶିବାବୁଙ୍କ ପ୍ରଚେଷ୍ଟା ଫଳରେ ଦଣ୍ଡାସିମାନେ ବିଭିନ୍ନ ରାଜକର୍ମରେ ନିଯୁକ୍ତି ପାଇଥିଲେ । ସରକାରୀ ସ୍ତରରେ ନୁଯୁକ୍ତି ମଧ୍ୟ ମିଳିଥିଲା ।
ଏହଛଡ଼ା ମଧୁସୂଦନଙ୍କ ପ୍ରତି ମହାତ୍ମାଗାନ୍ଧୀଙ୍କର ଯେଉଁ ଶ୍ରଦ୍ଧାଞ୍ଜଳି ବିଭିନ୍ନ ପତ୍ରିକା (ହରିଜନ ଓ ୟଙ୍ଗ ଇଣ୍ଡିଆ)ରେ ପ୍ରକାଶ ପାଇଥିଲା, ତାହାକୁ ଆପଣାର "ଆଶା' ପତ୍ରିକାରେ ମୁଦ୍ରିତ କରାଇ ମଧୁସୂଦନଙ୍କୁ ଏ ଯୁଗର ଜଣେ ଶ୍ରେଷ୍ଠ ଦିଗ୍‍ଦର୍ଶୀ ପୁରୁଷ ରୂପେ ତାଙ୍କର ଉଚ୍ଛ୍ୱସିତ ଶ୍ରଦ୍ଧା ଜ୍ଞାପନ କରିଥିଲେ ।
୧୯୩୪ ସାଲ ଫେବୃଆରି ୪ ତାରିଖରେ, ମଧୁସୂଦନଙ୍କର ମହାପ୍ରୟାଣରେ ଶଶିଭୂଷଣ ରଥ ନ୍ୟୁ ଓଡ଼ିଶା ପତ୍ରିକାରେ ୬.୨.୧୯୩୪ରେ ଯେଉଁ ଶୋକୋଚ୍ଛ୍ୱାସ ସମ୍ବଳିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ତାହା ପ୍ରଣିଧାନଯୋଗ୍ୟ-
"ପୂଜ୍ୟ ମଧୁସୂଦନ ଦାସଙ୍କର ମହାପ୍ରୟାଣରେ ସମଗ୍ର ଓଡ଼ିଶା ମର୍ମାହତ । ମାତ୍ର ମୋ'ପାଇଁ ଏହି ଦୁଃଖ ଅତ୍ୟନ୍ତ ମର୍ମନ୍ତୁଦ । ମୋର ସୌଭାଗ୍ୟ ଯେ ମୋତେ ସେ ତାଙ୍କର ଚେଲା (ଶିଷ୍ୟ) ରୂପେ ଗ୍ରହଣ କରିଥିଲେ । ବହୁତ ଦିନ ଆଗେ ତେଜୋଦୀପ୍ତ ତାଙ୍କର ପ୍ରଭାବର ବଳୟ ମଧ୍ୟକୁ ଆସିଥିଲି । ମୋ ପାଇଁ ସେ ସଖା, ଦିଗ୍‍ଦର୍ଶକ ଓ ଦାର୍ଶନିକ ଥିଲେ । ସେ ସାରଲ୍ୟ ଓ ଉତ୍ସର୍ଗର ପ୍ରତୀକ ଥିଲେ । ଯେତେବେଳେ ସର୍ବତ୍ର ଅବସାଦ ଓ ନୈରାଶ୍ୟର ଛାୟା ଘେରି ଆସିଥିଲା, ସେ ସେତେବେଳେ ଆଶାର କିରଣ ସଂପାତରେ ଦିଗ୍‍ବଳୟକୁ ପ୍ରଭାନ୍ୱିତ ଓ ଆଲୋକିତ କରିଥିଲେ ।
ମୁଁ ସର୍ବସାଧାରଣଙ୍କ ପାଇଁ ସେବାଦାନର ଶିକ୍ଷା ତାଙ୍କଠାରୁ ଗ୍ରହଣ କରିଥିଲି । ସେ ହିଁ, ମୋାତେ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ ଅନୁପ୍ରାଣିତ କରିଥିଲେ, ଯାହାଙ୍କ ଯୋଗୁ ବିଧିର ନିର୍ଦ୍ଦେଶରେ ମୋତେ ଏହି ପରମ କର୍ତ୍ତବ୍ୟ ପ୍ରାପ୍ତ ହୋଇପାରିଛି । ଜୀବନର ବହୁ ଦୁଃଖଦ ପରିସ୍ଥିତିରେ ତାଙ୍କର ଚେତନା ମୋତେ ନିରନ୍ତର ଉତ୍ସାହ ପ୍ରଦାନ କରିଛି । ଏହା ମୋପାଇଁ ଏକ ସାନ୍ତ୍ୱନାର ବିଷୟ ଯେ ସେ ଯେତେବେଳେ ହବାକ୍‍ କମିଟିର ସଦସ୍ୟ ରୂପେ ବ୍ରହ୍ମପୁର ଆସିଥିଲେ, ସେ ଆଶା ଅଫିସ୍‍କୁ ଆସି ଉଭୟ ଆଶା ଓ ନୁ୍ୟ ଓଡ଼ିଶା ପତ୍ରିକା ପ୍ରତି ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ ।"
ପ୍ରକୃତରେ ମଧୁସୂଦନ ଶଶିଭୂଷଣଙ୍କ ଜୀବନ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟର କାର୍ଯ୍ୟକଳାପ ପ୍ରତି ସଶ୍ରଦ୍ଧ ଦୃଷ୍ଟି ରଖୁଥିଲେ । ଯେତେବେଳେ କିଛି ଶିଥିଳତା ଦେଖାଦେଉଥିଲା ସେ କହୁଥିଲେ, "ମୁଁ ତୁମକୁ ଦେଶ ସେବାରେ ଏକ କାର୍ଯ୍ୟବ୍ୟସ୍ତ ଜୀବନ ମଧ୍ୟରେ ସର୍ବଦା ଦେଖିବାକୁ ଚାହେଁ । ତୁମେ କ'ଣ ମୁନିଋଷିଙ୍କ ପରି ନୀରବତା ଅବଲମ୍ବନ କରୁଛ?" ଏ ଥିଲା ଅନୁଗତ ଶିଷ୍ୟଙ୍କପାଇଁ ସ୍ୱାଭିମାନୀ ଗୁରୁଙ୍କ ନିର୍ଦ୍ଦେଶ, ଯାହା ପଥ ହୁଡ଼ିଥିବା ବିଶ୍ୱସ୍ତ ଶିଷ୍ୟଙ୍କ ପ୍ରତି ମାର୍ଗଦର୍ଶନର ନିର୍ଦ୍ଦେଶନାମା ।

ଆମ ମଧୁସୂଦନ ୧୪୯