ପୃଷ୍ଠା:Aama Madhusudan.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁଣି ମୂଳ କଥାକୁ ଫେରିଆସିବା । ତାହା ଥିଲା ୧୮୮୬ ସାଲ ଡିସେମ୍ବର ମାସର ମଧ୍ୟଭାଗ । ସେତେବେଳେ ପୁରୀର କଲେକ୍‍ଟର ଥିଲେ ମିଃ ସାଭାଜ୍‍ । ପୁରୀ ଶ୍ରୀମନ୍ଦିରକୁ ନିଜର ପ୍ରାଶାସନିକ ବ୍ୟବସ୍ଥା ମଧ୍ୟରେ ଗ୍ରହଣ ଲାଗି ପ୍ରାର୍ଥନାକରି କଟକ ଜିଲ୍ଲା କୋର୍ଟରେ ସେ ଏକ ମକଦ୍ଦମା ଦାଏର କରି ସଫଳ ହେଲେ । ଏହା ପରେ କଲେକ୍ଟର ମହୋଦୟ, ଜଣେ ଡେପୁଟି କଲେକ୍ଟର ଓ ଚମଡ଼ା କଟିମେଖଳା ପିନ୍ଧିଥିବା କନ୍‍ଷ୍ଟେବଲ୍‍ମାନଙ୍କ ସାହାଯ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜଉମୁଦ ଭାଂଗି ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଲାଗିଲେ । ଏହା ସମଗ୍ର ଦେଶରେ ଘୋର ଉଦ୍‍ବେଗ ସୃଷ୍ଟି କରିଥିଲା ।

ଏହି ସମୟରେ ପୁରୀର ପର୍ଦାନସୀନ ରାଣୀ ସୂର୍ଯ୍ୟମଣି ପାଟ ମହାଦେଈ ମଧୁସୂଦନଙ୍କୁ ପୁରୀ ଶ୍ରୀନଅରକୁ ନିମନ୍ତ୍ରଣ କରି କହିଲେ, ହେ ପୁତ୍ର ! ସବୁ ଅବଗତ ହେଲ । ମୋର ଏହି ପରିଣତ ବୟସରେ ମୋର ହାତ ଦୁଇଟି ଦ୍ରୁତ ଅସୀ ଚାଳନାରେ ପାରଦର୍ଶୀ, ମୁଁ ମଧ୍ୟ ତଡ଼ିତ ବେଗରେ ଅଶ୍ୱଚାଳନାରେ ପାରଙ୍ଗମ । ତୁମେ ଯଦି କଲିକତା ହାଇକୋର୍ଟର ଅପିଲ୍‍ କେଶରେ ପରାଜିତ ହୁଅ, ମୁଁ ମୋର ବଂଶର ଐତିହ୍ୟ ଓ ପରଂପରା ରକ୍ଷା କରିବାପାଇଁ ବ୍ରିଟିଶ୍‍ ସରକାରଙ୍କ ବିରୋଧରେ ରଣାଂଗନରେ ଲମ୍ଫଦେବାକୁ ପ୍ରସ୍ତୁତ ଅଛି । ହତଚକିତ ଆଉ ସ୍ତମ୍ଭୀଭୂତ ମଧୁସୂଦନ ରାଣୀଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରି କଟକ କୋର୍ଟଙ୍କ ଆଦେଶ ବିରୋଧରେ କଲିକତା ହାଇକୋର୍ଟରେ ବିଜୟ ଲାଭ କଲେ । ଏହା ଭାରତର ହିନ୍ଦୁ ସମାଜକୁ ସ୍ୱସ୍ତିରେ ନିଃଶ୍ୱାସ ମାରିବାକୁ ଅବକାଶ ଦେଲା । ମଧୁସୂଦନ ହାଇକୋର୍ଟର ଆଦେଶନାମା ଘେନି କଟକରୁ ପୁରୀ ପାଲିଙ୍କିରେ ପ୍ରତ୍ୟାବର୍ତ୍ତନ ପଥରେ ସାକ୍ଷୀ ଗୋପାଳଠାରେ ଓହ୍ଲାଇଲେ । ସେତେବେଳକୁ ଉଦ୍‍ବେଳିତ ଓ ଉତ୍ତାଳ ଜନତାର ସୁଅ ପୁରୀଠାରୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ଲମ୍ବି ଆସିଥିଲା । ସାକ୍ଷୀଗୋପାଳଠାରେ ସହର୍ଷ ପରମ ପ୍ରୋତ୍ସାହିତ ଜନତା ମଧୁସୂଦନଙ୍କୁ ନିଜର ସ୍କନ୍ଧ ଦେଶକୁ ଉତ୍ତୋଳିତ କଲେ । ଆଉ ସେହି ବହମାନ ତରଂଗାୟିତ ଜନତାଙ୍କର ସ୍କନ୍ଧଦେଶରେ ବସି ଭାସିଭାସି ଆସି ମଧୁସୂଦନ ପହଞ୍ଚିଲେ ଶ୍ରୀମନ୍ଦିରର ଦ୍ୱାରଦେଶରେ ରାଣୀଙ୍କ ନଅର ସମ୍ମୁଖରେ । ଏହାଥିଲା ଯେପରି ଦିଗ୍‍ବିଜୟୀ ସମ୍ରାଟଙ୍କର ବିଜୟବାହୁଡ଼ା ।

ସୂର୍ଯ୍ୟମଣି ପାଟମହାଦେଈଙ୍କର ପୌତ୍ର ମୁକୁନ୍ଦଦେବ ସାବାଳକ ହୋଇ ରାଜ ସିଂହାସନ ଆରୋହଣ କଲେ । ମାତ୍ର ସେ ଥିଲେ ଅତ୍ୟନ୍ତ ବିଳାସୀ ଓ ଖର୍ଚ୍ଚପ୍ରିୟ । ପରିଣାମରେ ପୁରୀ ରାଜ ନଅର ଓ ରାଣୀହଂସପୁର ଦର୍ପଣୀ ରାଜାଙ୍କ ପାଖରେ ବନ୍ଧାପଡ଼ି ନିଲାମର ଦିନ ଧାର୍ଯ୍ୟ ହେଲା । ଗଜପତି ମହାରାଜା ଗୃହଶୂନ୍ୟହୋଇ ପଥଚାରୀ ହେବା ଅବସ୍ଥାକୁ ଆସିଯାଇଥିଲେ । ଜାତିର ଏହି ଚରମ ଦୁର୍ଦିନରେ ସେହି ସମ୍ପତ୍ତିକୁ ମଧୁସୂଦନ ନିଲାମଧରି କିଛିକାଳ ପରେ ସେତିକି ମାତ୍ର ଅର୍ଥ ବିନିମୟରେ ସେହି ସଂପତ୍ତିକୁ ଶ୍ରୀମନ୍ଦିରକୁ ଫେରାଇ ଦେଇଥିଲେ । ଫଳରେ ଓଡ଼ିଆ ଜାତି ଏକ ଚରମ ଦୁର୍ବିପାକ ଓ ଦୁର୍ଦ୍ଦଶାରୁ ରକ୍ଷାପାଇଲା ।

୧୯୧୩ ମସିହା ଫେବ୍ରୁଆରି ମାସ ୯ ତାରିଖର ସେ ଥିଲା ଏକ ମୃଦୁ ରୌଦ୍ରତାପିତ ସକାଳ । ଓଡ଼ିଶାର ପ୍ରଥମ ନିର୍ବାଚିତ ସାଂସଦ ରୂପେ ମଧୁସୂଦନ ଫେରୁଥାନ୍ତି ଦିଲ୍ଲୀର ଇମ୍ପରିୟାଲ୍‍ କାଉନ୍‍ସିଲ୍‍ ବୈଠକରୁ । କଟକ ଷ୍ଟେସନ୍‍ରେ ଲୋକାରଣ୍ୟ ଆଉ ପ୍ରବଳ ଛାତ୍ରଜନତାଙ୍କର ଭିଡ଼ ଜମିଥିଲା,

୧୬ ଆମ ମଧୁସୂଦନ