ପୃଷ୍ଠା:Aama Madhusudan.pdf/୧୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୂପେ ପରିଚିତ । ମଧୁସୂଦନ ଇତିହାସରେ ବ୍ରିଟିଶ ସାମ୍ରାଜ୍ୟବାଦର ଜଣେ ସର୍ବଶ୍ରେଷ୍ଠ ଅନମନୀୟ ସମାଲୋଚକ ଭାବେ ପ୍ରତିଷ୍ଠିତ ରହିବେ ।
ମୁଁ ତାଙ୍କର ମହିମାଦୀପ୍ତ ଜୀବନରୁ ଅନୁପ୍ରେରଣା ଲାଭ କରିଛି । ମୁଁ ସେହିଦିନକୁ ସ୍ମରଣରେ ରଖିଛି, ଯେଉଁଦିନ ମଧୁବାବୁ ମୋତେ ରାଜନୀତିକୁ ଆଶ୍ରୟକରି ଦେଶସେବାରେ ନିଜକୁ ସଂପୂର୍ଣ୍ଣରୂପେ ଉତ୍ସର୍ଗୀକୃତ କରିବା ପାଇଁ ଅନୁପ୍ରେରିତ କରିଥିଲେ । ମୁଁ ଆଜି ଯଦି କିଛି ହୋଇଥାଏ, ସେହି ଦିଗ୍‍ଦର୍ଶୀ ପୁରୁଷଙ୍କର ମୁଲାୟମ ସ୍ପର୍ଶ ମାଧ୍ୟମରେ ହୋଇଛି ।"

ବିଶ୍ୱନାଥ ଦାସ ମଧୁବାବୁଙ୍କର ସ୍ମୃତିରକ୍ଷାଲାଗି ମଧୁସ୍ମୃତିକୁ ସ୍ମାରକୀ ରୂପେ ପ୍ରତିଷ୍ଠା କରିବାପାଇଁ ପ୍ରଥମ ପ୍ରଚେଷ୍ଟା କରିଥିଲେ । ଏହି ଉଦ୍ଦେଶ୍ୟରେ ମଧୁସୂଦନ ଗ୍ରାମୋଦ୍ୟଗ ସଂସ୍ଥା ପ୍ରତିଷ୍ଠା କରିଥିଲେ । ମଧୁସୂଦନଙ୍କ ଅନୁପ୍ରେରଣାରେ ମହାତ୍ମାଗାନ୍ଧୀ ଯେଉଁ ମୌଳିକ ଶିକ୍ଷାର ପରିକଳ୍ପନା କରିଥିଲେ ବିଶ୍ୱନାଥ ଦାସ ତାହାର ପ୍ରୟୋଗ ଓ ପ୍ରସାର ଓଡ଼ିଶାରେ ପ୍ରଥମେ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ପଣ୍ଡା, ଗୌରଚନ୍ଦ୍ର ଦେବ, ରାଜା ବିକ୍ରମ ବର୍ମା, ଦିବାକର ପଟ୍ଟନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ଲାଲ୍‍ମୋହନ ପଟ୍ଟନାୟକ, ମଦନ ମୋହନ ସିଂହଦେବ, ମାନ୍‍ଧାତା ଗୋରାଚାନ୍ଦ ପଟ୍ଟନାୟକ, ମଧୁସୂଦନ ପାଣିଗ୍ରାହୀ, କୃପାମୟ ଦେବ ପ୍ରମୁଖ ମଧୁସୂଦନଙ୍କ ତେଜୋଦୀପ୍ତ ପ୍ରେରଣାରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ ।

"ଯେତେ କାଳ ଥିବ ଓଡ଼ିଆ ଜାତି ଇତିହାସରେ
ଥିବ ତୁମ୍ଭ ନାମ ଅର୍ଚ୍ଚିତ ହେମମୟ ଅକ୍ଷରେ
ଚାଲିଯିବେ ସର୍ବେ ରହିବେ ନାହିଁ କେହି ମହୀରେ
ଯଶୋଦେହେ ବଞ୍ଚି ରହିବେ ମାତ୍ର ନିସ୍ୱାର୍ଥବୀରେ"
 -ପଲ୍ଲୀକବି ନନ୍ଦକିଶୋର

ଆମ ମଧୁସୂଦନ ୧୫୧