କାଉନ୍ସିଲ୍ ପକ୍ଷରୁ ରାୟ ବାହାଦୂର, ଲକ୍ଷ୍ମୀଧର ମହାନ୍ତି ଓ କନିକା ରାଜା ରାଜେନ୍ଦ୍ର ନାରାୟଣ
ଭଞ୍ଜଦେଓ, ସାଇମନ କମିଶନଙ୍କୁ ସାକ୍ଷ୍ୟ ପ୍ରଦାନ ପାଇଁ ନିର୍ବାଚିତ ହୋଇଥିଲେ ।
୧୯୨୮ ସାଲ ଡିସେମ୍ବର ୧୨ ତାରିଖରେ ସାଇମନ କମିଶନ ପାଟନା ରେଳଷ୍ଟେସନ୍ଠାରେ
ପହଞ୍ଚିଲାବେଳେ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ଓଡ଼ିଶା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
କରାଯାଇଥିଲା । ଏହାଥିଲା ମଧୁସୂଦନଙ୍କର ନିର୍ଦ୍ଦେଶ । ଗୋପାଳ ଚନ୍ଦ୍ର ପ୍ରହରାଜ, କନିକା ରାଜା,
ବାରିଷ୍ଟର ବିଶ୍ୱନାଥ ମିଶ୍ର, ଭିକାରୀ ଚରଣ ପଟ୍ଟନାୟକ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଏଥିରେ ସହଯୋଗ
କରିଥିଲେ ।
ଏହାଛଡ଼ା ୧୯୨୮ ମଇ ୩୦ ତାରିଖରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ
ନେତୃତ୍ୱରେ ମାନ୍ଦ୍ରାଜ ପ୍ରଦେଶ ଓଡ଼ିଆ ଏସୋସିଏସନ୍ ପକ୍ଷରୁ ମାଡ଼୍ରାସଠାରେ ଏକ ଦାବିପତ୍ର
ସାଇମନ କମିଶନଙ୍କୁ ପ୍ରଦାନ କରାଯାଇଥିଲା । ଫଳରେ ବହୁ ପ୍ରତୀକ୍ଷିତ ଆକାଙ୍କ୍ଷା ପୂରଣର
ପ୍ରତିଶ୍ରୁତି ମଧ୍ୟ ମିଳିଲା ଓ ରୁଦ୍ଧଦ୍ୱାର ଉନ୍ମୋଚିତ ହେଲା । ସାଇମନ୍ କମିଶନ୍ ଓଡ଼ିଶା ପ୍ରଦେଶ
ଗଠନର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବାପାଇଁ ଅଟ୍ଲିଙ୍କ ନେତୃତ୍ୱରେ ଗୋଟିଏ ସବ୍
କମିଟି ଗଠନ କଲେ । ସୁର ବୁଦ୍ଧି, କନିକା ରାଜା ଓ ଲକ୍ଷ୍ମୀଧର ମହାନ୍ତି ସଭ୍ୟରୂପେ ଗୃହୀତ
ହୋଇଥିଲେ । ଏହି ସବ୍ କମିଟିର ପରାମର୍ଶ କ୍ରମେ ସାଇମନ୍ କମିଶନ୍ ଓଡ଼ିଶା ପ୍ରଦେଶ ଗଠନ
ଲାଗି ସୁପାରଶ କରିଥିଲେ ।
ସାଇମନ୍ କମିଶନ୍ ୧୯୩୦ ମଇ ମାସରେ ତାଙ୍କର ରିପୋର୍ଟ ଦାଖଲ କଲେ ଓ ଭାରତ
ସରକାରଙ୍କର ଶାସନ ସଂସ୍କାର ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଲାଗି ଲଣ୍ଡନଠାରେ ୧୯୩୦
ସାଲରୁ ୧୯୩୨ ସାଲ ମଧ୍ୟରେ ତିନୋଟି ଗୋଲ୍ଟେବୁଲ୍ ବୈଠକ ବସିଲା । ଏହି ଶାସନ ସଂସ୍କାର
ମଧ୍ୟରେ ଓଡ଼ିଶା ପ୍ରଦେଶ ଗଠନଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିଲା । ଏହି ପ୍ରସ୍ତାବକୁ ତ୍ୱରାନ୍ୱିତ
କରିବାପାଇଁ ଗୋଲ୍ଟେବୁଲ୍ ବୈଠକରେ ଯୋଗଦାନ ଜରୁରୀ ଥିଲା ।
ଲଣ୍ଡନଠାରେ ପ୍ରଥମ ଗୋଲ୍ଟେବୁଲ୍ ବୈଠକ ୧୬.୧୧.୧୯୩୦ରୁ ୧୯.୧.୧୯୩୧
ପର୍ଯ୍ୟନ୍ତ ବସିଥିଲା । ଏହି ବୈଠକରେ ବିହାର ଓଡ଼ିଶା ଜମିଦାର ସଂଘର ପ୍ରତିନିଧି ରୂପେ ପାରଳା
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୩୧ ମସିହାର ଜାନୁଆରି ୧୬ ତାରିଖରେ ଓଡ଼ିଶା ପ୍ରଦେଶ
ଗଠନ ଲାଗି ବିଧିବଦ୍ଧ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ଆଧାର କରି ୧୮.୯.୧୯୩୧ରେ
ଓଡ଼ନେଲ୍ କମିଟି ତାଙ୍କର ପ୍ରଥମ ବୈଠକ ପାଟନାଠାରେ ଆହ୍ୱାନ କରିଥିଲେ । ସମସ୍ତ ଉପାନ୍ତ
ଅଞ୍ଚଳରେ ବୁଲି ସାକ୍ଷ୍ୟ ଗ୍ରହଣକରି ଓଡ଼ନେଲ୍ କମିଟି ୧୯୩୨ ମସିହା ଏପ୍ରିଲ୍ ମାସରେ ତାଙ୍କର
ରିପୋର୍ଟ ଦାଖଲ କରିଥିଲେ । ଏହି ସମୟ କାଳ ମଧ୍ୟରେ ୭.୯.୧୯୩୧ରୁ ୭.୧୨.୧୯୩୧
ପର୍ଯ୍ୟନ୍ତ ଦ୍ୱିତୀୟ ଗୋଲ୍ଟେବୁଲ୍ ବୈଠକରେ ମହାତ୍ମାଗାନ୍ଧୀ ଯୋଗଦାନ କରିଥିଲେ ।
ଭାରତୀୟ ଶାସନବିଧିର ସଂସ୍କାରପାଇଁ ଯେଉଁ ବ୍ୟବସ୍ଥା ରହିଥିଲା, ତାହାରି ଏକ ଅଂଶ
ଥିଲା ଓଡ଼ିଶା ପ୍ରଦେଶ ଗଠନ । ତୃତୀୟ ଗୋଲ୍ଟେବୁଲ୍ ବୈଠକ ଆହୂତ
ପୃଷ୍ଠା:Aama Madhusudan.pdf/୧୫୨
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୧୫୩