ପୃଷ୍ଠା:Aama Madhusudan.pdf/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇଥିଲା ୧୯.୧୧.୩୨ରୁ ୨୪.୧୨.୩୨ ମଧ୍ୟରେ । ଏହି ବୈଠକ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ପାଇଁ ପ୍ରେରିତ ହୋଇଥିଲେ ଖଲିକୋଟର ରାଜା ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜ ଓ ଇଂଲଣ୍ଡରେ ଇଞ୍ଜିନିୟରିଂ ଶିକ୍ଷାପ୍ରାପ୍ତ ଭୁୂବନାନନ୍ଦ ଦାସ । ଏ ଦୁହିଁଙ୍କ ଉପରେ ଓଡ଼ିଆ ଜାତିର ଗୁରୁ ଦାୟିତ୍ୱ ଅର୍ପିତ ହୋଇଥିଲା ।
ଲଣ୍ଡନରେ ଏହି ଗୋଲ୍‍ଟେବୁଲ୍‍ ବୈଠକ ଆରମ୍ଭ ହେବା ପୂର୍ବରୁ ଖଲିକୋଟର ରାଜା ରାମଚନ୍ଦ୍ର ଓ ଭୁବନାନନ୍ଦ ଦାସ ପହଞ୍ଚିଥିଲେ । ଭାରତ ସଚିବଙ୍କ ଅଫିସ୍‍ରେ ପ୍ରସ୍ତାବର ଉପସ୍ଥାପନା, ବିଧିବଦ୍ଧ ବିଶ୍ଳେଷଣ ତଥା ତଦାରଖ ସଂପର୍କୀୟ କାର୍ଯ୍ୟସୂଚୀର ପରିଧି ମଧ୍ୟରେ ସମ୍ଭାବ୍ୟ ଆଲୋଚନା ଲାଗି କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡ଼ିଥିଲା । ଏ ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି ପରେ ୭.୧୨.୧୯୩୨ ତାରିଖ ଦିନ ଗୋଲ୍‍ଟେବୁଲ୍‍ ବୈଠକରେ ରାମଚନ୍ଦ୍ର ମର୍ଦ୍ଦରାଜ ଓଡ଼ିଆ ଜାତି ପକ୍ଷରୁ ତାଙ୍କର ସାମଗ୍ରିକ ଦାବି ଉପସ୍ଥାପନ କରିଥିଲେ ଯାହା ତାତ୍ତ୍ୱିକ ଦୃଷ୍ଟିରୁ ଖୁବ୍‍ ପ୍ରଭାବଶାଳୀ ଥିଲା ।
ତୃତୀୟ ଗୋଲ୍‍ଟେବୁଲ୍‍ ବୈଠକର ଅନ୍ତିମ ପର୍ଯ୍ୟାୟରେ ୨୪.୧୨.୧୯୩୨ରେ ଲର୍ଡ଼ ସାଙ୍କିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭାରତର ସଚିବ ସାର୍‍ ସାମୁଏଲ୍‍ ହୋର୍‍ଙ୍କର ବକ୍ତବ୍ୟର କିଛି ଅଂଶ ଏହିପରି ଥିଲା -
"ଆମ୍ଭେମାନେ ଦୁଇ ବର୍ଷ ପୂର୍ବେ ଗୋଲ୍‍ଟେବୁଲ୍‍ ବୈଠକରେ ପ୍ରାରମ୍ଭିକ ଆଲୋଚନା ସମୟରୁ ସିନ୍ଧ୍‍ ପ୍ରଦେଶ ଗଠନ ବିଷୟରେ ବିଚାର କରିଅଛୁ । ଗଲାବର୍ଷଠାରୁ ପ୍ରଥମ କରି ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଉପସ୍ଥାପନା କରିଥିଲୁ । ଏ ମଧ୍ୟରେ ଉଭୟ ପ୍ରଦେଶ ସଂପର୍କରେ ବିଶେଷଜ୍ଞମାନଙ୍କ ଦ୍ୱାରା ତଦନ୍ତ ଓ ନିରୀକ୍ଷଣ ରିପୋର୍ଟମାନ ଆସି ପହଞ୍ଚି ସାରିଛି । ଏହି ରିପୋର୍ଟମାନଙ୍କୁ ଭିତ୍ତିକରି ମୁଁ ଏଠାରେ ଜଣାଇବାକୁ ଚାହେଁ ଯେ, ସିନ୍ଧ୍‍ ଓ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପରେ ଗଠିତ ହେବେ ।"
ଏହାଥିଲା ଓଡ଼ିଆ ଜାତିର ସ୍ଥିତିଲାଗି ଗୌରବମୟ ଐତିହାସିକ ଉଦ୍‍ଘୋଷଣା । ପ୍ରାୟ ଚାରିଶହ ବର୍ଷର ଅନ୍ତରାଳରେ ଓଡ଼ିଶା ଦାସତ୍ୱ ଶୃଙ୍ଖଳରୁ ମୁକ୍ତିଲାଭ କରିବାଲାଗି ଯେଉଁ ସଂଭାବନା ଆସି ପହଞ୍ଚି ଥିଲା, ତାହା ସମଗ୍ର ଓଡ଼ିଶାରେ ସୃଷ୍ଟି କରିଥିଲା ଏକ ଅଫୁରନ୍ତ ଆଉ ଉଲ୍ଲସିତ ଆଲୋଡ଼ନ । କିଭଳି ମହତ୍ୱପୂର୍ଣ୍ଣ ଥିଲା ଏହି ଉଦ୍‍ଘୋଷଣା, ତାହାର ମୂଲ୍ୟାୟନ କରିବା ଏଠାରେ ସମ୍ଭବ ନୁହେଁ । ଆନନ୍ଦ ଆଉ ଉଲ୍ଲାସର ଉଦ୍‍ବେଳନ ଛାଇଯାଇଥିଲା ସର୍ବତ୍ର ।
ଏହି ଉଦ୍‍ଘୋଷଣାର ମାତ୍ର ତିନୋଟି ଦିନ ପରେ୨୭.୧୨.୧୯୩୨ରେ ଲଣ୍ଡନଠାରୁ ଖଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଯେଉଁ ଇଂରାଜୀ ଚିଠିଟି "ଆଶା'ର ସମ୍ପାଦକ ଶଶିଭୂଷଣ ରଥଙ୍କ ନିକଟକୁ ଲେଖିଥିଲେ, ତାହାର ଅନୁବାଦ ଏଠାରେ ଉପସ୍ଥାପନ କରାଗଲା । କିଭଳି ମାର୍ମିକ ଆଉ ହୃଦୟର ଆବେଗରେ ରସାଣିତ ଥିଲା ସେହି ତାତ୍ପର୍ଯ୍ୟପୂର୍ଣ୍ଣ ଚିଠିର ବିଷୟବସ୍ତୁ, ଯାହା କିଛିକାଳ ଲାଗି ପାଠକକୁ ସ୍ତବ୍ଧ କରିଦିଏ । ସଂକଳ୍ପପୂର୍ଣ୍ଣ ସିଦ୍ଧାନ୍ତର ଭାବଗାମ୍ଭୀର୍ଯ୍ୟ ଆବେଦନ ଘେନି ଯୁଝାଯାଇଥିଲା ଏହି ପ୍ରଦେଶ ଗଠନର ସଂଗ୍ରାମ ।

ଆମ ମଧୁସୂଦନ ୧୫୫