ମଧୁସୂଦନଙ୍କର ସେହି ସମ୍ବାଦଟି ହଠାତ୍ ଦୃଷ୍ଟିଗୋଚର ହେଲା ! ଏ କ'ଣ ଯେ ହେଲା ।
ସେହି ସମ୍ବାଦଟି ଅବଗତ ହେବା ସଙ୍ଗେସଙ୍ଗେ ଆନନ୍ଦର ତରଙ୍ଗିତ ପ୍ଳାବନ ଯେପରି ତାଙ୍କର
ହୃଦୟର ଅନ୍ତଃସ୍ଥଳକୁ ଆଚ୍ଛନ୍ନ କରି ରଖିଥିଲା । ଯେପରି ଏକ ଆଶ୍ୱସ୍ତିକର ମଦିରାର ଉତ୍ଫୁଲ୍ଲିତ
ସମ୍ମୋହନ ପରିବ୍ୟାପ୍ତ ହୋଇଥିଲା ତାଙ୍କର ସମଗ୍ର ଶରୀରରେ ।
ହଁ,ସେ କିଛିକାଳ ଲାଗି ଉଦରକୁ ଛିନ୍ଭିନ୍ କରୁଥିବା ଦାରୁଣ ପୀଡ଼ାକୁ ଭୁଲି ଯାଇଥିଲେ
ଆନନ୍ଦର ଆତିଶଯ୍ୟ ମଧ୍ୟରେ । ସମଗ୍ର ଜୀବନବ୍ୟାପୀ ସଂଗ୍ରାମର ଲକ୍ଷ୍ୟସ୍ଥଳ ଯେ ନିକଟବର୍ତ୍ତୀ
ହୋଇପାରିଛି !
ଏହି ପର୍ଯ୍ୟାୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା । ଲଣ୍ଡନରେ ଅବସ୍ଥାନ କରୁଥିବା
କାଳରେ ଖଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ପୁନର୍ବାର ଗଞ୍ଜାମ ଜିଲ୍ଲାବୋଡର଼୍ର ସଭାପତି
ରୂପେ ନିର୍ବାଚିତ ହେଲେ । ସେ ୧୯୨୨ ସାଲରୁ ନିରବଚ୍ଛିନ୍ନ ଭାବେ ଏହି ପଦବୀ ମଣ୍ଡନ କରି
ଆସୁଥିଲେ । ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ ଡକ୍ଟର ରବର୍ଟ ସାହୁ ।
୧୯୩୩ ସାଲ ଜାନୁଆରି ୧୨ ତାରିଖରେ ରାମଚନ୍ଦ୍ର ମର୍ଦ୍ଦରାଜ, ଭାରତ ସଚିବ ସାର୍
ସାମୁଏଲ୍ ହୋର୍ଙ୍କୁ ସମ୍ବର୍ଦ୍ଧନା ଜଣାଇବାପାଇଁ ଲଣ୍ଡନର କ୍ଲାରିଜ୍ ହୋଟେଲ୍ରେ ଏକ ଭବ୍ୟ
ଭୋଜିସଭାର ଆୟୋଜନ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ଦେଇ ସାମୁଏଲ୍ ହୋର୍ କହିଲେ-
"ପ୍ରଥମେ ଦୁଇବର୍ଷ ପୂର୍ବେ ପାରଳାଖେମୁଣ୍ଡି ରାଜା ଓଡ଼ିଆଙ୍କ ବିଷୟ ଗୋଲ୍ଟେବୁଲ୍
ବୈଠକରେ ଉଠାଇଥିଲେ । ମାତ୍ର ଅତ୍ୟଳ୍ପ ଲୋକେ ତାହାର ଗୁରୁତ୍ୱ ବୁଝିଲେ । ସେ ଆମ ଉପରେ
ଯାହା ପ୍ରଭାବ ପକାଇଲେ, ଖଲିକୋଟ ରାଜା ତାହାକୁ ବହୁଗୁଣିତ କଲେ । ଆମର ହୃଦ୍ବୋଧ ହେଲା
ଯେ ଷୋଡ଼ଶ ଶତାବ୍ଦୀରୁ ଓଡ଼ିଆ ଜାତିକୁ ଯେପରି ଅଲଗା ଶାସନାଧୀନ କରାଯାଇଛି, ତାହା
ଅସୁବିଧା ସୃଷ୍ଟି କରିଛି । ଏମାନଙ୍କୁ ଏକତ୍ରିତ କରିବାକୁ ହେବ ।
"ଯଦି କୋଟିଏ ଓଡ଼ିଆ ଏକତ୍ରିତ ହେବାରେ ପରମ ସନ୍ତୋଷ ଲାଭକଲେ, ତେବେ ତ
ଆମେ ସଫଳତାର ସହିତ ସମ୍ମିଳନୀ (ଗୋଲ୍ଟେବୁଲ୍ ବୈଠକ) କାର୍ଯ୍ୟ କଲୁ ବୋଲି ଭାବିବୁ ।
ମୋର ଅନୁଭୂତିରୁ କହିପାରେ ,ଏହା ହିଁ ଗତ ପନ୍ଦର ବର୍ଷର ସନ୍ତୋଷପ୍ରଦ ଘଟଣା ।" ଏହି
ସମ୍ବର୍ଦ୍ଧନା ସଭା ପରେ ୧୯୩୩ ସାଲ୍ ଜାନୁଆରି ୧୫ ତାରିଖରେ ଖଲିକୋଟ ରାଜା ବିଲାତ
ଭ୍ରମଣରେ ଚାଲିଗଲେ ।
ମାତ୍ର ଭୁବନାନନ୍ଦ ଦାସ ଏକମାସରୁ ଅଧିକ କାଳ ଲଣ୍ଡନରେ ରହି ଓଡ଼ିଶା ପ୍ରଦେଶ ଗଠନର
ପରବର୍ତ୍ତୀ ପର୍ଯ୍ୟାୟର ତଦାରଖ କରିଥିଲେ । ସେ ଫେବ୍ରୁଆରି ୧୦ ତାରିଖରେ କଟକ ଫେରି
ପାରଳା ମହାରାଜାଙ୍କର ନିମନ୍ତ୍ରଣରେ ବ୍ରହ୍ମପୁର ଆସି ପରବର୍ତ୍ତୀ ପର୍ଯ୍ୟାୟର କାର୍ଯ୍ୟକ୍ରମର ଆଲୋଚନା
କରିଥିଲେ । ଫେବ୍ରୁଆରି ୩ ତାରିଖରେ ଖଲିକୋଟ ରାଜା ୟୁରୋପ ଗସ୍ତରୁ ଫେରିଲେ ।
ପୃଷ୍ଠା:Aama Madhusudan.pdf/୧୫୬
ଏହି ପୃଷ୍ଠାଟି ବୈଧ ହୋଇସାରିଛି