Jump to content

ପୃଷ୍ଠା:Aama Madhusudan.pdf/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ଯେପରି ଥିଲା ଝଡ଼ ପୂର୍ବର ନିସ୍ତବ୍ଧତା । ଏହି ସଂଗ୍ରାମ ଚାଲିଥିଲା ନିରବଚ୍ଛିନ୍ନ ଭାବରେ ୧୯୩୬ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ । କିଛି ଦେଶପ୍ରାଣ ରାଜନ୍ୟ ମଣ୍ଡଳୀ ତଥା ନେତୃବର୍ଗ ଜୀବନକୁ ବାଜି ଲଗାଇ ଏହି ସଂଗ୍ରାମକୁ ଓହ୍ଲାଇ ପଡ଼ିଥିଲେ । ଓଡ଼ିଶା ପ୍ରଦେଶ ଗଠନର ପରବର୍ତ୍ତୀ ପର୍ଯ୍ୟାୟର ସଂଗ୍ରାମ ଥିଲା ଆହୁରି ବିପଦସଂକୁଳ ଆଉ ଆଶଙ୍କା ବିଜଡ଼ିତ ଏବଂ କିଛିପରିମାଣରେ ଭୀତିପ୍ରଦ ମଧ୍ୟ । ସମକାଳୀନ ପରିସ୍ଥିତିରେ ଭାରତର ଅଗ୍ରଗଣ୍ୟ ଆନ୍ଧ୍ରଭାଷୀ ନେତୃବର୍ଗ ମଧ୍ୟ ଆନ୍ଧ୍ରପ୍ରଦେଶ ଗଠନ ଲାଗି ଆପ୍ରାଣ ସଂଗ୍ରାମ ଚଳାଇଥିଲେ । ମାତ୍ର ନିର୍ଦ୍ଧାରିତ ସୀମା ମଧ୍ୟରେ ସଫଳତା ହାସଲ କରିପାରି ନଥିଲେ ।
ମାତ୍ର ମଧୁସୂଦନଙ୍କ ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ୍‍ଦର୍ଶନ, ପାରଳା ଓ ଖଲିକୋଟ ରାଜାଙ୍କର କାର୍ଯ୍ୟନିର୍ବାହ, କନିକା ରାଜା, ଭୁବନାନନ୍ଦ ଦାସଙ୍କର କର୍ମ ତ‌ତ୍ପରତା, ବ୍ରଜ ସୁନ୍ଦର ଦାସ, ଶଶିଭୂଷଣ ରଥ, ନୀଳକଣ୍ଠ ଦାସ ପ୍ରମୁଖଙ୍କର ସହଯୋଗିତା ଆଉ ଅସଂଖ୍ୟ ନେତୃବର୍ଗଙ୍କର ଉତ୍ସର୍ଗୀକୃତ କର୍ମ ସଂପାଦନ ଫଳରେ ଓଡ଼ିଶା ପ୍ରଦେଶ ଗଠନ ସଂଭବ ହୋଇପାରିଥିଲା ଭାରତ ସଂସ୍କାରର ଏକ ଅଂଗୀଭୂତ କାର୍ଯ୍ୟକ୍ରମ ରୂପରେ ।
ଏକଥା ନିର୍ବିବାଦରେ ସତ୍ୟ ଯେ, ସ୍ୱାଧୀନତା ପୂର୍ବରୁ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶ ଗଠିତ ହୋଇନଥିଲେ, ଏହାର ସଂଭାବନା ବିସ୍ମୃତିର ଗର୍ଭରେ ବିଲୀନ ହୋଇଯାଇଥାଆନ୍ତା । ଏହି ଦୃଷ୍ଟିରୁ ଓଡ଼ିଶାର ଅଧିବାସୀଙ୍କପାଇଁ ସ୍ୱାଧୀନତା ସଂଗ୍ରାମ ଅପେକ୍ଷା ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର କ୍ରାନ୍ତିକାରୀ ଆନ୍ଦୋଳନ ଥିଲା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ, ଯାହା ଯୁଗାନ୍ତକାରୀ ଆବେଦନରେ ଥିଲା ମହିମାନ୍ୱିତ ଓ ଆବେଗ ବିଜଡ଼ିତ ।