ପୃଷ୍ଠା:Aama Madhusudan.pdf/୧୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ସଂପର୍କରେ ଦାବି ଉପସ୍ଥାପନା କରିଥିଲେ । ମାତ୍ର କେନ୍ଦ୍ରର ଅଭିଭାବକତ୍ୱରେ ଚିରକାଳ ଲାଗି ଓଡ଼ିଶାର ଭାଗ୍ୟ ଯେପରି ପଥର ତଳେ ଚାପି ହୋଇରହିଛି । ଖରସୁଆଁ ଓ ଷଢେ଼ଇକଳା ଅନ୍ୟ ଗଡ଼ଜାତ ରାଜ୍ୟ ପରି ଓଡ଼ିଶା ଗଜପତିଙ୍କର ଏକ କରଦ ରାଜ୍ୟ ଥିଲା, ଯାହା ଜଗନ୍ନାଥ ସଂସ୍କୃତି ଓ ଗଜପତି ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ପରମ୍ପରା ଓଡ଼ିଶାରେ ପ୍ରତିଷ୍ଠିତ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶକୁ ମଧ୍ୟ ସଂପ୍ରସାରିତ । ବହୁ ଭାବରେ ଏହା ଥିଲା ଓଡ଼ିଶାର ସ୍ୱକୀୟ ପରମ୍ପରା । ମୂଳରୁ ଷଢେ଼ଇକଳା ଗୋଟିଏ କରଦ ରାଜ୍ୟ ଥିଲା । ପରବର୍ତ୍ତୀକାଳରେ ଖରସୁଆଁର ସୃଷ୍ଟି, ଷଢେ଼ଇକଳା ବିଭାଜିତ ହେବା ପରେ ।
ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ ଯେ ମୁସଲମାନ, ମୋଗଲ ଓ ମରହଟ୍ଟା ଶାସନ କାଳରେ ବିନା ବାଧାରେ ଓଡ଼ିଶାର ମଧ୍ୟ ଓ ପଶ୍ଚିମାଞ୍ଚଳରେ ଏହି ଗଡ଼ଜାତ ରାଜ୍ୟମାନ ପ୍ରତିଷ୍ଠିତ ରହିଥିଲେ । ଅବଶ୍ୟ ମରହଟ୍ଟାମାନେ ଏମାନଙ୍କଠାରୁ କର ଆଦାୟ କରୁଥିଲେ । ଉତ୍ତର- ଓଡ଼ିଶା ୧୮୦୩ ସାଲରେ ଏବଂ ପଶ୍ଚିମ-ଓଡ଼ିଶା ୧୮୨୬ରେ ଗଡ଼ଜାତ ସହ ଇଂରେଜ ଶାସନର କର୍ତ୍ତୃତ୍ୱାଧୀନ ହେଲା । ଓଡ଼ିଶା ଡିଭିଜନର ଶାସକୀୟ ପରିସୀମାର ପରିବର୍ତ୍ତନ ପ୍ରକି୍ରୟା ମଧ୍ୟରେ ୧୮୬୦ ବେଳକୁ ୧୯୪୭ରେ ଓଡ଼ିଶା ପ୍ରଶାସନ ମଧ୍ୟରେ ଥିବା ୨୬ଗୋଟି ଗଡ଼ଜାତ ଓଡ଼ିଶା ଡିଭିଜନର ଶାସକୀୟ ପରିସରରେ ଥିଲା । ଏ ମଧ୍ୟରେ ଥିଲା ଉଭୟ ଷଢେ଼ଇକଳା ଓ ଖରସୁଆଁ । ମାତ୍ର ୧୮୬୨ ସାଲରେ ଭାଗ୍ୟଚକ୍ରର ଆବର୍ତ୍ତନରେ ପାଟଣା, କଳାହାଣ୍ଡି, ସୋନପୁର, ବାମଣ୍ଡା, ରେଢ଼ାଖୋଲ, ମଧ୍ୟପ୍ରଦେଶରେ ଅବସ୍ଥାପିତ ହେଲେ । ସେହି ବର୍ଷ ଗାଙ୍ଗପୁର, ବଣେଇ, ଷଢେ଼ଇକଳା ଏବଂ ଖରସୁଆଁ ବିହାରର ଛୋଟନାଗପୁର ଡିଭିଜନ ସହିତ ସାମିଲ୍‍ ହେଲା । ତେଣୁ ବଳକା ୧୭ଟି ଗଡ଼ଜାତ ଓଡ଼ିଶା ଡିଭିଜନର ଅଧୀନରେ ରହିଥିଲା । ଏ ଥିଲା ୧୮୬୩ର ସ୍ଥିତି । ମାତ୍ର ୧୯୦୫ ଅକ୍ଟୋବର ୧୬ ତାରିଖରେ ମଧ୍ୟପ୍ରଦେଶରୁ କଳାହାଣ୍ଡି, ସୋନପୁର, ପାଟଣା, ରେଢ଼ାଖୋଲ ଓ ବାମଣ୍ଡା ଏବଂ ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣେଇ ଆସି ଓଡ଼ିଶା ଡିଭିଜନ୍‍ ସହିତ ମିଶିଲା ।
ଛୋଟନାଗପୁରର ଅନ୍ୟ ଗଡ଼ଜାତଗୁଡିକ ହେଲେ: ସରଗୁଜା, ଯଶପୁର, ଉଦୟପୁର, କୋରିଆ, ଚଙ୍ଗଭରକର । ମଧ୍ୟପ୍ରଦେଶକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ, ଭ୍ରମବଶତଃ ଷଢେ଼ଇକଳା-ଖରସୁଆଁ ଛୋଟନାଗପୁରରେ ରହିଯାଇଥିଲା । ମୂଳତଃ ଛୋଟନାଗପୁର କିମ୍ବା ବିହାରରେ ଗଡ଼ଜାତ ପରମ୍ପରା ନଥିବାରୁ; ଗଡ଼ଜାତସମୂହକୁ ଲଡର଼୍ କର୍ଜନ ଓଡ଼ିଶା ଓ ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନ ମଧ୍ୟରେ ସୀମିତ କରି ରଖିଥିଲେ । ୧୯୧୬ରେ ଏହି ଦୁଇ ଗଡ଼ଜାତକୁ ଓଡ଼ିଶା ଡିଭିଜନକୁ ହସ୍ତାନ୍ତରିତ କରି ସମ୍ବଲପୁର ପଲିଟିକାଲ୍‍ ଏଜେଣ୍ଟଙ୍କ ତଦାରଖରେ ରଖିବାପାଇଁ ଆଦେଶପ୍ରାପ୍ତ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ ଅନ୍ୟସମସ୍ତ ଅଞ୍ଚଳର ମିଶ୍ରଣ ପରି ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ମଧୁସୂଦନ ଦାସଙ୍କର ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇଥିଲା ।