ପୃଷ୍ଠା:Aama Madhusudan.pdf/୧୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୦୫ରେ ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶାର ମିଶ୍ରଣ ଘଟିଥିଲେ ମଧ୍ୟ ମାନ୍ଦ୍ରାଜ ସରକାର ଏବଂ ତାହାର ଗଭର୍ଣ୍ଣର ଲଡର଼୍ ଏମ୍ପଥିଲଙ୍କର ପ୍ରତିରୋଧଯୋଗୁଁ ମାନ୍ଦ୍ରାଜ ପ୍ରେସିଡେନ୍‍ସି ଅଧୀନରେ ଥିବା ଦକ୍ଷିଣ ଓଡ଼ିଶା ର ମିଶ୍ରଣ ସମ୍ଭବପର ହୋଇନଥିଲା । ମାନ୍ଦ୍ରାଜ ପ୍ରେସିଡେନ୍‍ସିରେ ଓଡ଼ିଆମାନଙ୍କ ବ୍ୟତୀତ, ତେଲୁଗୁ, ତାମିଲ୍‍, କନ୍ନଡ଼ ଓ ମାଲାୟଲମ୍‍ଭାଷୀ ଜନସାଧାରଣ ବାସ କରୁଥିବାରୁ ଓଡ଼ିଆଭାଷୀଙ୍କ ମିଶ୍ରଣଯୋଗୁଁ ଅନ୍ୟଭାଷାଭାଷୀଙ୍କ ମଧ୍ୟରେ ସେମାନଙ୍କର ସ୍ୱତନ୍ତ୍ର ପ୍ରଦେଶ ପ୍ରତିଷ୍ଠା ଲାଗି ଆକାଙ୍‍କ୍ଷା ଜାଗରିତ କରିବ ଓ ପରିଣାମରେ ମାନ୍ଦ୍ରାଜ ପ୍ରେସିଡେନ୍‍ସି ବିଭାଜିତ ହୋଇଯିବ ବୋଲି କାରଣ ଦର୍ଶା ଯାଇଥିଲା ।
ମଧୁସୂଦନ ଦାସ ପୁନର୍ବାର ୧୯୦୭ରେ ଲଣ୍ଡନ ଯାତ୍ରାକଲେ । ଭାରତ ସଚିବ ତଥା ତାଙ୍କର ବିଶାରଦଗଣଙ୍କ ସହିତ ଭେଟି ଓଡ଼ିଶା ପ୍ରଦେଶ ଗଠନର ପ୍ରକି୍ରୟାକୁ ସେ ତ୍ୱରାନ୍ୱିତ କରିଥିଲେ । ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୧.୧୨.୧୯୧୭ରେ ଏକ ଓଡ଼ିଆ ପ୍ରତିନିଧି ଦଳ ମଣ୍ଟେଗୁ- ଚେମ୍‍ସଫୋଡର଼୍ ସଂସ୍କାର କମିଟିକୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ପାଇପାରି ନଥିଲେ ।
୧୯୨୧ରେ ଅସହଯୋଗର ଯୁଗ ଆରମ୍ଭ ହେଲା । ମାତ୍ର ଏହାର କର୍ଣ୍ଣଧାର ମହାତ୍ମାଗାନ୍ଧୀ ଗୁଜୁରାଟୀଭାଷୀ ଅଞ୍ଚଳରୁ ଆସିଥିବାରୁ ପରାଧୀନ ଭାରତରେ ମଧ୍ୟ ଓଡ଼ିଆଭାଷୀ ଅଞ୍ଚଳ ଗଠନ ଲାଗି କେବଳ ଅକୁଣ୍ଠ ସମର୍ଥନ ଜଣାଇ ନଥିଲେ, ସ୍ୱଦେଶୀ ଶିଳ୍ପର ଆଦ୍ୟ ପ୍ରବକ୍ତା ମଧୁସୂଦନ ଦାସଙ୍କୁ ନିଜର ଅନ୍ୟତମ ମାର୍ଗଦର୍ଶକ ରୂପେ ମାନ୍ୟତା ପ୍ରଦାନ କରିଥିଲେ । ମାତ୍ର ହିନ୍ଦୀ ଭାଷୀ ଅଞ୍ଚଳରୁ ଆସିଥିବା କଂଗ୍ରେସ ନେତୃବର୍ଗ ଓଡ଼ିଶା ପ୍ରଦେଶ ସ୍ଥାପନାର ତୀବ୍ର ବିରୋଧୀ ଥିଲେ । ଦକ୍ଷିଣ ଓଡ଼ିଶାରେ ୧୯୨୪ ଡିସେମ୍ବରରେ ଫଲିଫ୍‍ ଡଫ୍‍ କମିଶନର ସାକ୍ଷ୍ୟ ଗ୍ରହଣ ଆନ୍ଧ୍ରମାନଙ୍କୁ ବିବ୍ରତ କରିଥିଲା । ଏହାପରେ ମଧୁସୂଦନ ଦାସ ୧୫.୪.୧୯୨୮ରେ ବମ୍ବେଠାରେ ବଟଲାର୍‍ କମିଟିକୁ ଭେଟି ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ଲାଗି ଦାବି ଉପସ୍ଥାପନ କରିଥିଲେ ।
୪.୨.୧୯୩୪ରେ ମଧୁସୂଦନ ଦାସଙ୍କର ପରଲୋକ ଘଟିଲା । ମାତ୍ର ତାଙ୍କର ଏକନିଷ୍ଠ ଦାୟାଦ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୩୪ ସାଲର ମଇମାସରୁ ସୁଦୀର୍ଘକାଳ ଲଣ୍ଡନରେ ଅବସ୍ଥାନ କରି ଓଡ଼ିଶାର ସୀମା ନିର୍ଦ୍ଧାରଣ ସଂପର୍କରେ ଭାରତ ତଥା ମାନ୍ଦ୍ରାଜ ସରକାରଙ୍କ ତୀବ୍ର ପ୍ରତିରୋଧ ସତ୍ତ୍ୱେ ସନ୍ତୋଷଜନକ ଭାବେ ସୀମା ସ୍ଥିରୀକୃତ କରିବାରେ ସଫଳ ହୋଇଥିଲେ । ଇତି ମଧ୍ୟରେ ଜୟପୁର ଜମିଦାରି ଓ ପାରଳାଖେମୁଣ୍ଡି ଜମିଦାରିର ଏକ ଅଂଶ ଓଡ଼ିଶା ସୀମାର ଅନ୍ତର୍ଭୁକ୍ତ ହୋଇସାରିଥଲା । ଏହାପରେ ୩.୩.୧୯୩୬ରେ ବ୍ରିଟିଶ ପାର୍ଲାମେଣ୍ଟ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶା ପ୍ରଦେଶ ୧.୪.୧୯୩୬ରେ ସ୍ଥାପିତ ହେଲା । ବହୁକାଳର ଆଶା ପରିପୂର୍ଣ୍ଣ ହେଲା । ଏହାର ପ୍ରଭାବ ସମଗ୍ର ଭାରତରେ ସୁଦୂରପ୍ରସାରୀ ଥିଲା । ଓଡ଼ିଶା ସ୍ଥାପନାର ପରିପ୍ରେକ୍ଷୀରେ ୨୧.୪.୧୯୩୮ରେ ମାନ୍ଦ୍ରାଜ ବିଧାନ ସଭାରେ ଆନ୍ଧ୍ର ତାମିଲ୍‍, କେରଳ, କର୍ଣ୍ଣାଟକ ନାମରେ ଚାରିଗୋଟି ସ୍ୱୟଂ ସଂପୂର୍ଣ୍ଣ ପ୍ରଦେଶ ଗଠନଲାଗି ପ୍ରସ୍ତାବ ଗ୍ରହଣ କରାଗଲା । ମାତ୍ର ଏହି ପ୍ରସ୍ତାବକୁ ଧରାଶାୟୀ କରିବାପାଇଁ ୨.୫.୧୯୩୮ରେ ବ୍ରିଟିଶ ପାର୍ଲାମେଣ୍ଟ (ହାଉସ୍‍ ଅଫ୍‍ କମନସ୍‍)ରେ, ନୂତନ ପ୍ରଦେଶ ସୃଷ୍ଟି ହେବ ନାହିଁ ବୋଲି ଘୋଷଣା କରାଗଲା । ଏଥିରୁ ଓଡ଼ିଆ ଜାତିର ସଂଗ୍ରାମର ଦୂରଦର୍ଶିତା ଅନୁମେୟ । ଏହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଭାରତଛାଡ଼ ଆନ୍ଦୋଳନର ଘନଘଟା