ପୃଷ୍ଠା:Aama Madhusudan.pdf/୧୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟରେ ବ୍ରିଟିଶ ଶାସନକାଳରେ ଆଉ କୌଣସି ଅଗ୍ରଗତି ହୋଇ ନଥିଲା । ମାତ୍ର ଭାରତର ସ୍ୱାଧୀନତା ପ୍ରାପ୍ତି ବେଳକୁ ନିରାଶାଗ୍ରସ୍ତ ଆନ୍ଧ୍ରପ୍ରଦେଶ ସମେତ ଭାରତର ବହୁ ଅଂଚଳରେ ଭାଷାଭିତ୍ତିରେ ପ୍ରଦେଶ ଗଠନର ଆଲୋଡ଼ନ, ଉଦ୍‍ବେଳନ ଆଉ ଚାପା ଉତ୍ତେଜନା ମଧ୍ୟରେ ବିସ୍ଫୋରକ ଅବସ୍ଥାକୁ ଚାଲି ଆସିଥିଲା । ଏହି ଅତୀବ ସ୍ପର୍ଶକାତର ପରିସ୍ଥିତିକୁ ଅନୁଧ୍ୟାନ କରି ତତ୍‍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଭାଷାଭିତ୍ତିରେ ପ୍ରଦେଶ ଗଠନର ସିଦ୍ଧାନ୍ତର ଉଦ୍‍ଘୋଷଣା କରି ଏହି ଉଦ୍ଦେଶ୍ୟରେ କମିଶନ ଗଠନ କରିଥିଲେ । ମାତ୍ର ଏହି କମିଶନର ପ୍ରତିଶ୍ରୁତିରେ ନିରାଶାଜନକ ପ୍ରତିଫଳନ, ପରିସ୍ଥିତିକୁ ଅତ୍ୟନ୍ତ ବିଭ୍ରାନ୍ତ ଅବସ୍ଥାରେ ପହଞ୍ଚାଇଥିଲା । ପରିଣାମରେ ପଟ୍ଟି ଶ୍ରୀରାମୁଲଙ୍କର ଆତ୍ମୋତ୍ସର୍ଗ ଫଳରେ ୧.୧୦.୧୯୫୩ରେ ଆନ୍ଧ୍ର ପ୍ରଦେଶର ଗଠନ, ଆଉ ସେହି ବର୍ଷ ଅନ୍ତକାଳରେ ରାଜ୍ୟ ପୁନର୍ଗଠନ କମିଶନର ସ୍ଥାପନା ଓ ନିର୍ଦ୍ଧାରଣ କ୍ରମେ ୧.୧୧.୧୯୫୬ରେ ଭାରତର ଭାଷାଭିତ୍ତିକ ପ୍ରଦେଶମାନ ସ୍ଥାପନା ହେଲା । ପ୍ରକୃତରେ ମଧୁସୂଦନ ଦାସ ଯେଉଁ ହୋମାଗ୍ନି ପ୍ରଜ୍ୱଳନ କରିଥିଲେ ସେଥିରେ ମୁଖ୍ୟ ଆହୁତି ପ୍ରଦାନ କରିଥିଲେ ରାଜ୍ୟ ପୁନର୍ଗଠନ କମିଶନ ୧୯୫୬ ସାଲରେ ।