ପୃଷ୍ଠା:Aama Madhusudan.pdf/୧୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହାତକୁ ଆସିଲା । ଏଥିପାଇଁ ମଧୁସୂଦନଙ୍କୁ ମାସକୁ ଅନ୍ତତଃ ଥରେ କଲିକତା ଯିବାକୁ ପଡ଼ୁଥିଲା । କାଳକ୍ରମେ ସେ ରେଳବାଇ କଂପାନିର ଅନ୍ୟତମ ଆଇନ ପରାମର୍ଶଦାତା ରୂପେ ଗୃହୀତ ହୋଇଥିଲେ । କଲିକତାରେ ମଧୁସୂଦନଙ୍କର ବୁଦ୍ଧିଜୀବୀ ତଥା ଏଭଳି ଅଭିଜାତ ସଂପ୍ରଦାୟ ସହିତ ଆନ୍ତରିକ ସଂପର୍କ ଥିଲା, ଯେଉଁମାନଙ୍କର ପୁରୀ ଓ ଭୁବନେଶ୍ୱର ପରିଦର୍ଶନ ଲାଗି ଏକ ଅହେତୁକ ଆକର୍ଷଣ ଥିଲା । ସେମାନଙ୍କ ଦ୍ୱାରା କଲିକତା-ପୁରୀ ରେଳରାସ୍ତା ନିର୍ମାଣପାଇଁ ମଧୁସୂଦନ ଚାପ ପ୍ରୟୋଗ କରିଥିଲେ । ଫଳରେ କଲିକତା-ପୁରୀ ରେଳପଥ ନିର୍ମାଣ ମଂଜୁରୀପ୍ରାପ୍ତ ହୋଇ ନିର୍ମାଣ କାର୍ଯ୍ୟ ୧୮୯୩-୯୪ ସାଲରୁ ଆରମ୍ଭ ହୋଇଥିଲା । ମଧୁସୂଦନ ୧୮୯୬ରେ ବଂଗଳା ବ୍ୟବସ୍ଥାପକ ସଭାର ସଦସ୍ୟ ଭାବରେ ଓଡ଼ିଶାର ରେଳପଥପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ ।
ମଧୁସୂଦନଙ୍କ ପୂର୍ବରୁ ଉପସ୍ଥାପିତ ଯୋଜନା ଅନୁସାରେ ପ୍ରଥମେ ପୁରୀ-ବାରଂଗ ରେଳପଥ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇ ୧୮୮୬-୮୭ ବେଳକୁ ରେଳ ଚଳାଚଳ ଆରମ୍ଭ ହୋଇଥିଲା । ଏହା ସହିତ କଲିକତା ପଟୁ ରେଳନିର୍ମାଣ ଲାଗି କଲିକତା ଓ ଖଡ଼ଗପୁର ମଧ୍ୟରେ ରୂପନାରାୟଣ ନଦୀରେ ପୋଲ ନିର୍ମିତ ହୋଇ ନଥିବାରୁ ସେହି ନଦୀର ଅପରପାର୍ଶ୍ୱରେ ଥିବା କୋଲାଘାଟଠାରୁ କଟକ ପର୍ଯ୍ୟନ୍ତ ରେଳରାସ୍ତା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧୮୯୭ ସାଲ ବେଳକୁ କୋଲାଘାଟଠାରୁ ଭଦ୍ରକ ଡେଇଁ ଯାଜପୁର ରୋଡ଼ ସନ୍ନିକଟ ବୈତରଣୀ ନଦୀ ଅପରପାର୍ଶ୍ୱ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ହୋଇ ରେଳ ଚଳାଚଳ ଆରମ୍ଭ ହୋଇ ଯାଇଥିଲା । ସେ ସମୟରେ ମଧୁସୂଦନଙ୍କର ଯାତ୍ରା ବିବରଣୀରୁ ଜଣାଯାଏ ଯେ, କଲିକତାଠାରୁ ଯାତ୍ରୀମାନେ ଷ୍ଟିମରରେ କୋଲାଘାଟ ଆସି ସେଠାରୁ ଟ୍ରେନ୍‍ ଧରି ଯାଜପୁର ରୋଡ଼ ପର୍ଯ୍ୟନ୍ତ ଆସୁଥିଲେ । ସେଠାରୁ ବୈତରଣୀ କେନାଲ୍‍ ଦେଇ ହାଇଲେବଲ୍‍ କେନାଲ୍‍ ମଧ୍ୟରେ ଷ୍ଟିମ୍‍ ଲଂଚ୍‍ (ଅଗ୍ନି ବୋଟ୍‍) ଦ୍ୱାରା କଟକ ଆସୁଥିଲେ । ଏ ମଧ୍ୟରେ ଯାଜପୁର ରୋଡ଼ଠାରୁ ବାରଙ୍ଗ ପର୍ଯ୍ୟନ୍ତ ସମସ୍ତ ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏ ଦିଗରେ ମାଡ଼୍ରାସ ଓ ବିଶାଖା ପାଟଣାକୁ କଟକ ସହିତ ସଂଯୁକ୍ତ କରିବାପାଇଁ କୌଣସି ଯୋଜନା ନଥିଲେ ମଧ୍ୟ କଲିକତା-ପୁରୀ ରେଳପଥ ନିର୍ମାଣର ଅଗ୍ରଗତି ତଥା ମଧୁସୂଦନ ଆଦି ଜନନେତାଙ୍କର କ୍ରମାଗତ ଦାବି ଫଳରେ ଏହା ମଂଜୁରି ପ୍ରାପ୍ତ ହୋଇଥିଲା । ଦକ୍ଷିଣ ଦିଗରେ ୧୭.୫.୧୮୯୩ରେ କ୍ରିଷ୍ଣାନଦୀ ଉପରେ ପୋଲ ନିର୍ମାଣ ହୋଇ ପ୍ରଥମେ ମାଡ଼୍ରାସ ବେଜଓ୍ୱାଡ଼ା ରେଳ ଚଳାଚଳ ଆରମ୍ଭ ହୋଇଥିଲା । ୧୮୯୪ ସାଲ ସେପ୍ଟେମ୍ବର ବେଳକୁ ରେଳ ରାଜମହେନ୍ଦ୍ରୀରୁ ବିଶାଖାପାଟଣା, ବିଜୟନଗର ଦେଇ ଶ୍ରୀକାକୁଲମ୍‍ ପର୍ଯ୍ୟନ୍ତ ଚାଲୁଥିଲା ଓ ଆଗକୁ ରେଳପଥ ନିର୍ମାଣ ସଂପ୍ରସାରିତ ହୋଇଥିଲା । ଏହାର ସୁଯୋଗ ନେଇ ସେହି ବର୍ଷ ସେପ୍ଟେମ୍ବର ଆଠ ତାରିଖରେ ମାନ୍ଦ୍ରାଜର ଗଭର୍ଣ୍ଣର ବେଲେର୍କ ସାହେବ ରେଳପଥରେ ସେତେବେଳର ଅବିଭକ୍ତ ଗଞ୍ଜାମ ଜିଲ୍ଲାକୁ ଆସି ଋଷିକୂଲ୍ୟା ପୟଃ ପ୍ରଣାଳୀର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏହାପରେ ୧୮୯୬ ସାଲ ଜୁନ୍‍ ୬ ତାରିଖରେ ଖୋରଧା ରୋଡ଼ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ।