ପୃଷ୍ଠା:Aama Madhusudan.pdf/୧୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏ ଦିଗରେ ଯାଜପୁର ରୋଡ଼ ଓ ବାରଙ୍ଗ ମଧ୍ୟରେ ପ୍ରଥମେ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ସରିଥିଲା । କାଠଯୋଡ଼ି କୁଆଖାଇରେ ଡିସେମ୍ବର ୧୮୯୭ ସାଲରେ ପୋଲ ନିର୍ମାଣ ଆରମ୍ଭ ହୋଇ୧୯୦୦ ସାଲ ମାର୍ଚ୍ଚ ମାସରେ ସମାପ୍ତ ହୋଇଥିଲା । ମହାନଦୀର ପୋଲ ନିର୍ମାଣ ୧୮୯୮ ସାଲ ଫେବ୍ରୁଆରି ମାସରେ ଆରଂଭ ହୋଇ ୧୯୦୦ସାଲ ମାର୍ଚ୍ଚ ଆଠ ତାରିଖରେ ଉଦ୍‍ଘାଟନ ହୋଇଥିଲା । ଏ ମଧ୍ୟରେ କୋଲାଘାଟ ସନ୍ନିକଟ ରୂପନାରାୟଣ ନଦୀରେ ପୋଲ ନିର୍ମାଣ ହୋଇ ୧୯୦୦ ସାଲ ଏପ୍ରିଲ ମାସ ସୁଦ୍ଧା ଶେଷ ହୋଇଥିବାରୁ ସେହି ବର୍ଷ ମେ ମାସରେ ପୁରୀ-ହାଓ୍ୱଡ଼ା ରେଳ ଚଳାଚଳ କରିଥିଲା ।
୧୯୦୦ ସାଲ ଜୁନ୍‍ ବେଳକୁ ଖୋର୍ଦ୍ଧାରୋଡ଼ ଓ କଟକ ବାଟଦେଇ ମାନ୍ଦ୍ରାଜ- ହାଓଡ଼ା ରେଳ ଚଳାଚଳ କଲା । ମାତ୍ର ଗୋଦାବରୀ ପୋଲ ନିର୍ମାଣ ସରି ନଥିବାରୁ ଯାତ୍ରୀମାନଙ୍କୁ ଗୋଦାବରୀ ନଦୀ ଷ୍ଟିମ୍‍ ଲଂଚ୍‍ଦ୍ୱାରା ପାରିହେବାକୁ ପଡ଼ୁଥିଲା । ଏହି ପୋଲ ୧୪.୧୨.୧୯୦୦ରେ ଲଡର଼୍ କର୍ଜନଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଥିଲା ।
ହାଓ୍ୱଡ଼ା-ମାନ୍ଦ୍ରାଜ ରେଳରାସ୍ତାର ସୁଯୋଗ ନେଇ ମୟୂରଭଂଜ ମହାରାଜା ଓ ପାରଳାଖେମୁଣ୍ଡିର ରାଜା(ଜମିଦାର)ମାନେ ସେମାନଙ୍କ ଅଂଚଳକୁ ରେଳରାସ୍ତା ନିର୍ମାଣର ପ୍ରସ୍ତାବ ଦେଇଥିଲେ । ତାହା ମଂଜୁର ହୋଇ ରେଳରାସ୍ତା ନିର୍ମାଣ ଆରମ୍ଭ ହୋଇଯାଇଥିଲା । ପାରଳାଖେମୁଣ୍ଡି ରେଳରାସ୍ତା ୧୯୦୧ ସାଲରେ ସମାପ୍ତ ହୋଇଥିଲା ଓ ରୂପ୍‍ସା-ବାରିପଦା ରେଳପଥ ଖୋଲିଲା ୧୯୦୫ ସାଲରେ, ଯହିଁରେ ବଙ୍ଗଳାର ଗଭର୍ଣ୍ଣର ଏଣ୍ଡ୍ରୁ ଫ୍ରେଜର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଜୟନଗର-ରାୟପୁର ରେଳରାସ୍ତା ମଧ୍ୟ ୧୮୯୭ ସାଲ ଅକ୍ଟୋବର ୧୩ ତାରିଖରେ ପାର୍ଲାମେଣ୍ଟର ମଂଜୁରିପ୍ରାପ୍ତ ହୋଇଥିଲା । ଏ ସମସ୍ତ ବିବରଣୀରୁ ଜଣାଯାଏ, ଊନବିଂଶ ଶତାବ୍ଦୀର ଶେଷ ଦଶକରେ ଓଡ଼ିଶାର ମୁଖ୍ୟ ରେଳପଥ ନିର୍ମାଣ କରାଯାଇ ତିମିରାଚ୍ଛନ୍ନ ଓଡ଼ିଶାକୁ ଆଧୁନିକ ଯୁଗରେ ପ୍ରବେଶ କରିବାପାଇଁ ପରମ ସୁଯୋଗ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ଶହେ ବର୍ଷରେ, ଏହି ବିଂଶ ଶତାବ୍ଦୀରେ, ଓଡ଼ିଶା ରେଳନିର୍ମାଣ କ୍ଷେତ୍ରରେ କିପରି ବିଡ଼ମ୍ବିତ ହୋଇଛି, ତାହା ଚିନ୍ତା କଲେ କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳା ହିଁ ପୁରୋଭାଗରେ ପ୍ରତିଫଳିତ ହୁଏ ।
ସଂବଲପୁରକୁ ଉପକୂଳ ଅଂଚଳ ସହିତ ରେଳପଥଦ୍ୱାରା ସଂଯୁକ୍ତ କରିବା ମଧୁସୂଦନଙ୍କର ଏକ ସ୍ୱପ୍ନ ଥିଲା , ଯେଉଁଥିପାଇଁ ୧୯୧୫ ସାଲରେ ଇମ୍ପରିଆଲ୍‍ କାଉନ୍‍ସିଲ୍‍ରେ ସେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ଯାହାହେଉ ପ୍ରାୟ ଶହେ ବର୍ଷର ଅଂତରାଳରେ ମଧୁସୂଦନଙ୍କର ସେହି ସ୍ୱପ୍ନ ସାକାର ହୋଇଛି, ତାଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ଅବସରରେ ।