ପୃଷ୍ଠା:Aama Madhusudan.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ

ଜାତୀୟ ଗୌରବ ମଧୁସୂଦନ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ । ତାଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କର ରାଜନୈତିକ ପରଂପରା । ସେ ଓଡ଼ିଶାର ରାଜନୈତିକ ପଟ୍ଟଭୂମିରେ ଊନବିଂଶ ଶତାବ୍ଦୀ (୧୮୮୧)ରେ କେବଳ ପାଦଥାପି ନଥିଲେ, ସ୍ୱକୀୟ ପ୍ରତିଭା ବଳରେ ପ୍ରତିପକ୍ଷକୁ ପରାଜିତ କରି ବିସ୍ମୟାଭିଭୂତ ଓ ତଟସ୍ଥ କରିଦେଉଥିଲେ । ଓଡ଼ିଶାର ରାଜନୀତି କ୍ଷେତ୍ରରେ ତାଙ୍କର ଉତ୍ତରଣ ଥିଲା, ଗୋଟିଏ ଉତ୍‍‌କ୍ଷେପିତ ପ୍ରଚଣ୍ଡ ଉଲ୍‍କା ପରି, ଯାହା ଦିଗବିଦିଗକୁ ଉଦ୍‍ଭାସିତ କରି ଆପଣାର ମହିମାମୟ ଦୀପ୍ତିରେ ସମସ୍ତଙ୍କୁ ଚକିତ ଆଉ ଅନୁପ୍ରାଣିତ କରିଥିଲା, ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ । ମଧୁସୂଦନଙ୍କଠାରୁ ପ୍ରଥମେ ଓଡ଼ିଆମାନଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାର ମୁକ୍ତ ଅଧିକାର । ମଧୁସୂଦନଙ୍କ ପୂର୍ବରୁ ଓଡ଼ିଶା ରାଜନୀତିକୁ ପରିଚାଳିତ କରୁଥିଲେ ବହିରାଗତ ବଂଗୀୟ ନୌକର ସାହି ପ୍ରଶାସକ ଗୋଷ୍ଠୀ ତଥା ଜମିଦାରଗଣ ସାଙ୍ଗକୁ ଦକ୍ଷିଣ ଓଡ଼ିଶାର ଉଗ୍ର ଦକ୍ଷିଣ- ଭାରତୀୟ ଅମଲାତାନ୍ତ୍ରିକ ତଥା ନ୍ୟସ୍ତ ସ୍ୱାର୍ଥଗୋଷ୍ଠୀ ।

ମଧୁସୂଦନଙ୍କ ଆବିର୍ଭାବ ଓଡ଼ିଆ ଜାତିର ମୁକ୍ତି ଲାଗି ଏକ ପରମ ଆବଶ୍ୟକତା ଥିଲା । ଓଡ଼ିଶାର ସ୍ୱତନ୍ତ୍ରତାର ଅବଲୁପ୍ତି (୧୫୬୮)ପରେ ମଧ୍ୟବର୍ତ୍ତୀ କାଳରେ ବକ୍ସି ଜଗବଂଧୁ, ସୁରେନ୍ଦ୍ର ସାଏ ଓ ଚକରା ବିଶୋୟୀଙ୍କ ପରି ବହୁ ଦେଶଭକ୍ତ ସଂଗ୍ରାମୀଙ୍କର ବଳିଦାନ ସତ୍ତ୍ୱେ ମଧୁସୂଦନଙ୍କ ପରି ସମ୍ଭାବନାମୟ ଯୁଗାନ୍ତକାରୀ ପୁରୁଷଙ୍କର ଆବିର୍ଭାବ ଲାଗି ଓଡ଼ିଆ ଜାତିକୁ ତିନିଶହ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ତାଙ୍କର ଆବିର୍ଭାବ ଘଟିଥିଲା ଏକ ଯୁଗସନ୍ଧିରେ, ଯେତେବେଳେ ଅସ୍ତ୍ରର ରଣଝଂକାର ଅପେକ୍ଷା ଚେତନାର ଜାଗରଣ ଚରମ ଆବଶ୍ୟକତା ଥିଲା । ଏହାରି ମାଧ୍ୟମରେ ସେ ନଅଙ୍କ ଦୁର୍ଭିକ୍ଷର ପ୍ରାଣଶୋଷା ତାଡ଼ନାରେ ଅର୍ଦ୍ଧମୃତ କଙ୍କାଳସାର ଓଡ଼ିଆ ଜାତିକୁ ଉଦ୍ଧାରକରି, ଗୌରବୋଜ୍ୱଳ ଅସ୍ତିତ୍ୱ ଓ ସ୍ୱାଭିମାନର ପ୍ରଖର ଦିବାଲୋକକୁ ଆଣିପାରିଥିଲେଓ ଓଡ଼ିଆମାନେ ପାଦଥାପି ଛିଡ଼ାହେବାପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ସୃଷ୍ଟି କରିପାରିଥିଲେ । ନିର୍ବିବାଦରେ ମଧୁସୂଦନ ହେଉଛନ୍ତି ନବୀନ ଓଡ଼ିଶା

୧୮ ଆମ ମଧୁସୂଦନ