ପୃଷ୍ଠା:Aama Madhusudan.pdf/୧୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଭିମନ୍ତ୍ରିତ କରିଥିଲେ । ଏତଦ୍‍ବ୍ୟତୀତ ୧୯୧୩ରୁ ୧୯୧୬ ସାଲ ମଧ୍ୟରେ ମଧୁସୂଦନ, କେନ୍ଦ୍ର ଇମ୍ପିରିଆଲ୍‍ କାଉନ୍‍ସିଲ୍‍ର ସଦସ୍ୟ ରୂପେ ବ୍ରିଟିଶ୍‍ ତଥା ୟୁରୋପୀୟ ଶିଳ୍ପାୟନ କାର୍ଯ୍ୟକ୍ରମକୁ ଭାରତର "ରକ୍ତ ଶୋଷଣ' ପ୍ରକ୍ରିୟା ବୋଲି ବଜ୍ର କଣ୍ଠରେ ଆଖ୍ୟାୟିତ କରଥିଲେ । ବହୁ ହଜାର ମାଇଲ୍‍ ଦୂରରେ କାର୍ଯ୍ୟରତ ୟୁରୋପୀୟ ଶିଳ୍ପ, ଭାରତକୁ ନିଃଶେଷିତ କରୁଥିଲା ବୋଲି ଉଗ୍ର କଟୂକ୍ତି ମାଧ୍ୟମରେ ସେ ତିରସ୍କାର କରୁଥିଲେ । ଆଜି ଏକବିଂଶ ଶତାବ୍ଦୀରେ ଅନ୍ୟ ପ୍ରକ୍ରିୟା ମାଧ୍ୟମରେ ବୋଧହୁଏ ଏହାର ପୁନାରବୃତ୍ତି ଆରମ୍ଭ ହୋଇଛି ।
ଅନ୍ୟ ପକ୍ଷରେ ୧୮୬୬ ସାଲର ନଅଙ୍କ ଦୁର୍ଭିିକ୍ଷର କରାଳ ଗ୍ରାସ ପରେ ଇଂଲଣ୍ଡରେ ଭାରତ ସଚିବ ସାର୍‍ ଷ୍ଟାଫୋଡର଼୍ ନର୍ଥ କୋଟ ୨.୮.୧୮୬୭ରେ ବିଖଣ୍ଡିତ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ୧୮୭୪ ସାଲରେ ଆସାମ ଏବଂ ପରେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ନିରପତ୍ତାର ସୁରକ୍ଷା ଦୃଷ୍ଟିରୁ ଗଠିତ ହୋଇଥିଲେ ମଧ୍ୟ ପଡେ଼ାଶୀ ପ୍ରଦେଶମାନଙ୍କର ନେତୃବର୍ଗଙ୍କର ତୀବ୍ର ମାଟିଆ ସାମ୍ରାଜ୍ୟବାଦ ବିରୋଧ ଯୋଗୁଁ ଓଡ଼ିଶା ପ୍ରଦେଶର ସ୍ଥାପନା ଆକାଶ କୁସୁମରେ ପରିଣତ ହୋଇଥିଲା । ଏଥିଲାଗି ମଧୁସୂଦନ ୧୮୯୭ ସାଲରେ ଲଣ୍ଡନରେ ଭାରତର ସଚିବ ଜର୍ଜ ହାମିଲ୍‍ଟନ୍‍ଙ୍କ ସହିତ ସାକ୍ଷାତ କରିଥିଲେ । ପରେ ୧୯୦୦ ସାଲ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଭାରତର ବଡ଼ଲାଟ ଲଡର଼୍ କର୍ଜନଙ୍କୁ ସାକ୍ଷାତ ପରେ ରିସ୍‍ଲେ ସର୍କୁଲାର ପ୍ରକାଶ ପାଇଥିଲା ଓ ପଶ୍ଚିମାଞ୍ଚଳର ମିଶ୍ରଣ ସମ୍ଭବପର ହୋଇଥିଲା ୧୬.୧୦.୧୯୦୫ରେ । ମାତ୍ର ମାଡ଼୍ରାସ ପ୍ରଦେଶର ଭାରତୀୟ ନେତୃବର୍ଗଙ୍କର ତୀବ୍ର ମାଟିଆ ସାମ୍ରାଜ୍ୟବାଦର ପ୍ରବର୍ତ୍ତନ ଫଳରେ ନାଗାବଳୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ବୃହତ ଗଂଜାମ ଜିଲ୍ଲା ଓ ଜୟପୁର ଜମିଦାରୀର ମିଶ୍ରଣ, ଓଡ଼ିଶା ଡିଭିଜନ ସହିତ ସମ୍ଭବପର ହୋଇନଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ, ୧୮.୯.୧୯୩୧ରେ ସାମୁଏଲ୍‍ ଓଡ଼ନେଲ୍‍ଙ୍କ ନେତୃତ୍ୱରେଯେଉଁ ଓଡ଼ିଶା ପ୍ରଦେଶ ସୀମା ନିର୍ଦ୍ଧାରଣ କମିଟି ଗଠିତ ହେଲା ସେଥିରେ ଓଡ଼ନେଲ୍‍ଙ୍କ ଛଡ଼ା ଏଚ୍‍.ଏମ୍‍.ମେହେଟା, ଟି.ଆର୍‍ ଫୁକନ୍‍ ସଦସ୍ୟ ଆଉ ବିହାର ପକ୍ଷରୁ ସଚ୍ଚିଦାନନ୍ଦ ସିହ୍ନା, ମାଡ଼୍ରାସ ପକ୍ଷରୁ ସି.ଭି.ଏସ୍‍ ନାରାୟଣ ରାଜୁ, ଓଡ଼ିଶା ପକ୍ଷରୁ ପାରଳା ମହାରାଜା ପ୍ରତିନିଧିତ୍ୱ କରିଥିଲେ । ଏହି କମିଟି ୭.୧୧.୧୯୩୧ରେ ପାଟନାଠାରେ କାର୍ଯ୍ୟ ଆରମ୍ଭ କରି କ୍ରମାନ୍ୱୟରେ ଜାମସେଦପୁର, ଚାଇଁବସା, ସମ୍ବଲପୁର, ରାୟପୁର, ମେଦିନୀପୁର, ଗୋପାଳପୁର, ଓ୍ୱାଲ୍‍ଟିଆର୍‍, କୋକନାଡ଼ା ଓ ଶେଷରେ କଟକ ପରିଦର୍ଶନ କରି ୪୧୦ ବ୍ୟକ୍ତିଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରି ତାହାଙ୍କର ଅନୁସନ୍ଧାନ ୧୮.୧.୧୯୩୨ରେ ସମାପ୍ତ କରିଥିଲେ ।
ଏହି ଅନୁସନ୍ଧାନରେ ଭାଗ ନେଇଥିବା ଭୁବନାନନ୍ଦ ଦାସ ପାର୍ଲାମେଣ୍ଟ ସଦସ୍ୟ ୩୦.୧୨.୧୯୩୧ରେ ନବୀନ ପତ୍ରିକାରେ ପ୍ରକାଶିତ ସ୍ୱତନ୍ତ୍ର ନିବନ୍ଧରେ ଦର୍ଶାଇଛନ୍ତି ଯେ, "ସୀମା କମିଶନରଙ୍କ ଅନୁସନ୍ଧାନ ବେଳେ ଓଡ଼ିଆଙ୍କ ବିପକ୍ଷରେ ପଡେ଼ାଶୀ ପ୍ରଦେଶର ନେତୃବର୍ଗ ଉଗ୍ର ମାଟିଆ ସାମ୍ରାଜ୍ୟବାଦ ପ୍ରଦର୍ଶନ କରିଥିଲେ । ଏପରିକି ବିହାର କଂଗ୍ରେସର ନିଷେଧାତ୍ମକ ଆଦେଶ