ପୃଷ୍ଠା:Aama Madhusudan.pdf/୧୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରେ ପଣ୍ଡିତ ନୀଳକଣ୍ଠ ଦାସ ୧୦.୧.୧୯୩୨ରେ ରାଞ୍ଚିଠାରେ ଓଡ଼ନେଲ୍‍ କମିଟି ସମ୍ମୁଖରେ ତାହାଙ୍କର ସାକ୍ଷ୍ୟ ପ୍ରଦାନ କରିପାରି ନଥିଲେ ।"
ଏପରିକି ମହାତ୍ମାଗାନ୍ଧୀଙ୍କର ଅକୁଣ୍ଠ ସମର୍ଥନ ସତ୍ତ୍ୱେ ୧୯୨୮ ଡିସେମ୍ବରରେ ଅନୁଷ୍ଠିତ କଲିକତା କଂଗ୍ରେସରେ ସିନ୍ଧ ଓ କର୍ଣ୍ଣାଟକ ପ୍ରଦେଶ ଗଠନକୁ ସମର୍ଥନ ଦିଆଯାଇଥିଲେ ମଧ୍ୟ ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏଣୁ ସମଗ୍ର ଭାରତୀୟ ନେତୃବର୍ଗଙ୍କର ତୀବ୍ର ବିରୋଧ ଯୋଗୁଁ ଓଡ଼ିଆମାନଙ୍କୁ ଓଡ଼ିଶା ପ୍ରଦେଶ ଗଠନ ଲାଗି ନିଜ ଶିଙ୍ଗରେ ନିଜେ ମାଟି ଖୋଳିବାକୁ ପଡ଼ିଥିଲା ।
ଭୁବନାନନ୍ଦ ଦାସ ତାହାଙ୍କର ନିବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ମାଡ଼୍ରାସ ପ୍ରଦେଶର ନେତୃବର୍ଗ ଏହି ପରିଦର୍ଶନ ବେଳେ ଦାବି କରିଥିଲେ ଯେ "ଆମେ ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରୁ, ଏହାକୁ ପ୍ରତ୍ୟାଖାନ କରାଯାଉ ।" ପୁଣି ସେମାନେ ସୂଚାଇ ଥିଲେ ଯେ, "ଗଂଜାମ ଜିଲ୍ଲା ଓ ଜୟପୁର ଜମିଦାରି ନିଅଣ୍ଟିଆ ଥିବାରୁ ତାହାକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶ ସହିତ ସଂଯୁକ୍ତ କରାନଯାଉ ।" ଉପସଂହାରରେ ଭୁବନାନନ୍ଦ ଦାସ ଲେଖିଥିଲେ, "ମେଦିନୀପୁରର ବିରେନ ସାସମଲମାନେ, ମାଡ଼୍ରାସ ପ୍ରଦେଶର ନରସିଂହ ରାଜୁମାନେ ଓ ବିହାର ପ୍ରଦେଶର ପ୍ରସାଦମାନେ ଏକ ପକ୍ଷରେ ବ୍ରିଟିଶ ପ୍ରଶାସନର ଶ୍ୱେତ ସାମ୍ରାଜ୍ୟବାଦ ବିରୋଧରେ ଉଗ୍ର ସଂଗ୍ରାମ ସଂଚାଳିତ କରୁଥିବାବେଳେ, ସେମାନେ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳ ପ୍ରତି ମାଟିଆ ସାମ୍ରାଜ୍ୟବାଦର ଉଗ୍ର ଶୋଷଣ ପ୍ରକ୍ରିୟାକୁ ଜାରି ରଖି ଦାସତ୍ୱ ବନ୍ଧନରେ ଆବଦ୍ଧ କରିଛନ୍ତି ।"
ସୀମା ନିର୍ଦ୍ଧାରଣ କମିଟି, ତାହାଙ୍କର ପରିଦର୍ଶନର ଶେଷ ପର୍ଯ୍ୟାୟରେ ୧୯୩୨ ସାଲର ପ୍ରଥମ ସପ୍ତାହରେ କଟକରେ ଅବସ୍ଥାନ କରି, ମଧୁସୂଦନ ଦାସ ପ୍ରମୁଖ ଓଡ଼ିଆ ଜାତୀୟବାଦୀ ନେତୃବର୍ଗଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲେ ଏବଂ ବିଦାୟର ଶେଷ ବେଳରେ ମଧୁସୂଦନ ଦାସ ଓଡ଼ନେଲ୍‍ କମିଟିକୁ ନିଜର ବାସ ଭବନରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଓଡ଼ନେଲ୍‍ କମିଟି ରିପୋର୍ଟ ୧୯୩୨ ସାଲର ଜୁନ ପ୍ରଥମ ସପ୍ତାହରେ ପ୍ରକାଶ ପାଇଲା, ଯହିଁରେ ଗଂଜାମର ପାରଳାଖେମୁଣ୍ଡି ସମେତ ବହୁ ଅଞ୍ଚଳକୁ ବାଦ୍‍ଦେଇ ଜୟପୁର ଜମିଦାରି ସଂଯୁକ୍ତ ରହିଥିଲା । ପରିଣାମରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଆୟତନ ୩୩୦୦୦ ବର୍ଗ ମାଇଲ ଆଉ ଜନସଂଖ୍ୟା ୮୨,୦୦,୦୦୦ରେ ସ୍ଥିରୀକୃତ ହୋଇଥିଲା । ଏଥିରେ ସିଂହଭୂମି, ମଞ୍ଜୁଷା, ଟିକାଲୀ ଆଦି ବହୁ ଅଞ୍ଚଳ ବାଦ ପଡ଼ିଥିଲା ।
ଭୁବନାନନ୍ଦ ଦାସ ଇଂଲଣ୍ଡର ଗ୍ଲାସ୍‍ଗୋଠାରେ ଇଂଜିନିୟରିଂ ଅଧ୍ୟୟନ କରିବା ସହିତ ଇଂଲଣ୍ଡର ବିଭିନ୍ନ ଅଞ୍ଚଳ ସହିତ ପରିଚିତ ଥିଲେ । ଏଣୁ ତୃତୀୟ ଗୋଲ୍‍ଟେବୁଲ୍‍ ବୈଠକରେ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସହ ଭୁବନାନନ୍ଦ ଦାସ ୭.୧୨.୧୯୩୨ରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ପରିଣାମରେ ୨୪.୧୨.୧୯୩୨ରେ ଗୋଲ୍‍ଟେବୁଲ୍‍ ବୈଠକର ଶେଷ ଦିବସରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍‍ଘୋଷିତ ହେଲା । ମାତ୍ର ଓଡ଼ିଶା ପ୍ରଦେଶ ଗଠନର ଶେଷ ପର୍ଯ୍ୟାୟଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଓ ଦୁଃଖଦ ଥିଲା ।