ପୃଷ୍ଠା:Aama Madhusudan.pdf/୧୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଆ ନେତୃବର୍ଗଙ୍କ ସହିତ ଆନ୍ଧ୍ର ନେତୃବର୍ଗ ତିନିଗୋଟି ଗୋଲଟେବୁଲ୍‍ ବୈଠକରେ ଯୋଗଦାନ କରି ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଗଠନର ଦାବି ଉଠାଇଥିଲେ । ଏହାପରେ ୧୮.୩.୩୩ରେ ବ୍ରିଟିଶ ସରକାରଙ୍କ ପକ୍ଷରୁ ଯେଉଁ ଶ୍ୱେତପତ୍ର ପ୍ରକାଶ ପାଇଲା, ସେଥିରେ ସମ୍ଭାବ୍ୟ ଓଡ଼ିଶା ପ୍ରଦେଶରୁ ଜୟପୁର ଜମିଦାରି ଓ ପାରଳାଖେମୁଣ୍ଡି ଜମିଦାରି ବାଦ୍‍ ଦିଆଯାଇଥିଲା । ଏବଂ ଓଡ଼ିଶା ପ୍ରଦେଶର ଆୟତନ ୩୩,୦୦୦ ବର୍ଗମାଇଲରୁ ହ୍ରାସପାଇ ମାତ୍ର ୨୧,୫୪୫ ବର୍ଗମାଇଲରେ ସୀମିତ ରହିଲା । ଅନ୍ୟ ଅର୍ଥରେ ଏକ ତୃତୀୟାଂଶ ସମୃଦ୍ଧ ଅଂଶ ବାଦ୍‍ ପଡ଼ିଗଲା, ଯାହା ଅତ୍ୟନ୍ତ ନୈରାଶ୍ୟପୂର୍ଣ୍ଣ ଓ ମର୍ମନ୍ତୁଦ ଥିଲା । ଏହି ବିଷାଦାଚ୍ଛନ୍ନ ଓ ଶୋକଗ୍ରସ୍ତ ମୁହୂର୍ତ୍ତରେ ଜାତିର ଅନନ୍ୟ ସାରଥି ମଧୁସୂଦନ, ପାରଳା ମହାରାଜାଙ୍କ ଅଧିନାୟକତ୍ୱରେ ଏକ ଓଡ଼ିଆ ପ୍ରତିନିଧି ଦଳ ଯାଇ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଆଗରେ ସାକ୍ଷ୍ୟପ୍ରଦାନ ପାଇଁ ଅନୁରୋଧ କରିଥିଲେ । ପରିଣାମରେ ୭.୪.୧୯୩୩ରେ ପାରଳା ମହାରାଜଙ୍କ ନିକଟରେ ଖଲ୍ଲିକୋଟ ରାଜା, ଭୁବନାନନ୍ଦ ଦାସ, ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଲଣ୍ଡନ ଯାତ୍ରା କରି ୩.୭.୧୯୩୩ରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହାପରେ ଆନ୍ଧ୍ର ପ୍ରତିନିଧି ଦଳ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହି ପର୍ଯ୍ୟାୟ ପରେ କମିଟି ଓଡେ଼ନେଲଙ୍କଠାରୁ ୭.୧୧.୧୯୩୩ରେ ତାହାଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟକୁ ଅନୁଶୀଳନ କରିଥିଲେ । ପାରଳା ମହାରାଜା ୧୨.୮.୧୯୩୩ରେ ଓଡ଼ିଶା ଫେରିଥିଲେ ମଧ୍ୟ ତାହାଙ୍କର ଦାବି ଉପସ୍ଥାପନା ପାଇଁ ପୁନରାୟ ୨୨.୫.୧୯୩୪ରେ ଲଣ୍ଡନ ଯାଇ ଦୀର୍ଘ ଛଅମାସ ଅବସ୍ଥାନ କରି ୮.୧୧.୧୯୩୪ରେ ଓଡ଼ିଶା ଫେରିଥିଲେ ।
ସେହି ଗୁରୁତ୍ୱପୂର୍ଣ୍ଣ ବେଳାରେ ମାଡ଼୍ରାସ ସରକାର ତଥା ବଡ଼ଲାଟଙ୍କର ପ୍ରବଳ ପ୍ରତିରୋଧ ସତ୍ତ୍ୱେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ତାତ୍ପର୍ଯ୍ୟପୂର୍ଣ୍ଣ ଅନ୍ତିମ ପର୍ଯ୍ୟାୟରେ ଇଂଲଣ୍ଡନର ମଧୁସୂଦନଙ୍କର ଇଂରେଜୀ ସୁହୃଦ୍‍ବର୍ଗ ତଥା ବିହାର ବିଧାନସଭାରେ ମଧୁସୂଦନଙ୍କର ଅନ୍ତରଙ୍ଗ ବନ୍ଧୁ ସଚ୍ଚିଦାନନ୍ଦ ସିହ୍ନା ପ୍ରମୁଖ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନା ଲାଗି ଅନୁକୂଳ ପ୍ରସ୍ତାବ ଗ୍ରହଣ କରି ଶ୍ୱେତ ଓ ମାଟିଆ ସାମ୍ରାଜ୍ୟବାଦର ବିଭେଦ ଭୁଲି ଅଯାଚିତ ସାହାଯ୍ୟ ପ୍ରଦାନ କରିଥିଲେ ।
ଅବଶେଷରେ ୨୨.୧୧.୧୯୩୪ରେ ପ୍ରକାଶିତ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିର ସର୍ବଶେଷ ସିଦ୍ଧାନ୍ତ ଅନୁସାରେ ଜୟପୁର ଜମିଦାରି ଓ ପାରଳା ଜମିଦାରରିର ଏକ ତୃତୀୟାଂଶ ଓଡ଼ିଶା ପ୍ରଦେଶ ସହିତ ସଂଯୁକ୍ତ ହେବାପରେ ଶ୍ୱେତପତ୍ରରେ ଉଲ୍ଲିଖିତ ଆୟତନ ତୁଳନାରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ଆୟତନ ଅର୍ଦ୍ଧାଧିକ ବୃଦ୍ଧି ପାଇଥିଲା । ଅବଶେଷରେ ଓଡ଼ିଶା ପ୍ରଦେଶର ଆୟତନ ୩୨,୬୯୫ ବର୍ଗ ମାଇଲକୁ ବୃଦ୍ଧି ପାଇଥିଲା ଆଉ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୮୦ ଲକ୍ଷଥିଲା । ଏହାଥିଲା ସମଗ୍ର ଓଡ଼ିଶା ଇତିହାସର ସବୁଠାରୁ ଗୌରବୋଜ୍ଜ୍ୱଳ ଅଧ୍ୟାୟ ।
ପାରଳା ମହାରାଜ ୧୨.୮.୧୯୩୩ରେ ଇଂଲଣ୍ଡରୁ ଫେରି ସିଂହଭୂମିର ନେତୃପୁରୁଷ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କୁ ଲେଖିଥିଲେ, ""ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶ୍ରେୟ, ରିସ୍‍ଲେ ସାର୍କୁଲାର, ଯାହା ମଧୁସୂଦନଙ୍କର ପ୍ରଚେଷ୍ଟାରେ କର୍ଜନଙ୍କ ଦ୍ୱାରା ପ୍ରଚାରିତ ହୋଇଥିଲା, ତାହାଙ୍କୁ ପ୍ରାପ୍ୟ । ଏହା ହିଁ ଅବଶେଷରେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା ।