ପୃଷ୍ଠା:Aama Madhusudan.pdf/୧୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାଷଣରେ ୧୯୩୩ ସାଲ ଫେବ୍ରୁଆରି ୧୨ ତାରିଖରେ ଶ୍ରୀରାମଚନ୍ଦ୍ର ଭବନରେ ମଧୁସୂଦନ ବଜ୍ର ନିର୍ଘୋଷ କଣ୍ଠରେ କହିଥିଲେ-
"ଏହି ଆନ୍ଦୋଳନ ଆରମ୍ଭ କରିବା ଦିନୁ ଆମକୁ ବହୁ ଦୁଃସମୟ ମଧ୍ୟରେ ଗତି କରିବାପାଇଁ ପଡ଼ିଛି । ଧନବଳ ଓ ବୁଦ୍ଧିବଳରେ ମୋ'ଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ସହିତ ମୋତେ ଏଥିପାଇଁ ମୁକାବିଲା କରିବାକୁ ପଡ଼ିଛି । କିନ୍ତୁ ଅନ୍ତରରେ ବିବେକ ଓ ଉପରେ ଭଗବାନଙ୍କୁ ସାକ୍ଷୀ ରଖି ମୁଁ ଏକାକୀ ସବୁ ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ସଂଗ୍ରାମ କରି ଆସିଛି । ଦିନେ ମୋର ମନରେ ଏହି ଭାବ ଜାଗ୍ରତ ହେଲା ଯେ, ମୁଁ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‍ ହୋଇଥିବାରୁ ଏ ଜାତିକୁ ଏକତ୍ର କରିବାପାଇଁ ଭାବନା, ଭଗବାନ ମୋ ହୃଦୟରେ ଜାଗ୍ରତ କରାଇଛନ୍ତି । ମୁଁ ଏ ସଂପର୍କରେ ଚିନ୍ତାକଲି ଓ ଆଲୋଚନା କଲି । ସେଥିରୁ ମୋର ଦୃଢ଼ ପ୍ରତ୍ୟୟ ଜନ୍ମିଲା, ଓଡ଼ିଆ ଜାତିର ଇତିହାସ ଘେନି ଯେ କୌଣସି ଜାତି ଯଥାର୍ଥରେ ଗର୍ବିତ ହୋଇପାରେ । ମୋ ଜାତିପାଇଁ ମୋତେ କିଛି କରିବାକୁ ପଡ଼ିବ, ମାତ୍ର ମୁଁ ଯେ ଏକାକୀ ।"
ଏ ଥିଲା ବ୍ରିଟିଶ ଉପନିବେଶବାଦ ବିରୋଧରେ ସଂଗ୍ରାମ କରିବାର ମାନସିକ ପ୍ରସ୍ତୁତି । ହଁ ସମଗ୍ର ବିଶ୍ୱରେ ଉପନିବେଶବାଦର ସ୍ୱରୂପ କ'ଣ? ତାହାର ଚକ୍ରାନ୍ତ କିଭଳି କାର୍ଯ୍ୟକାରୀ ହୁଏ ?
ଜଣେ ଆନ୍ତର୍ଜାତିକ ଖାତିସଂପନ୍ନ ଦକ୍ଷିଣ ଆଫ୍ରିକୀୟ ନେତା ଆକ୍ସିଲେନ୍‍ କାବରାଇ, ୟୁନେସ୍କାର "ପରାଜିତ' ନାମକ ଗ୍ରନ୍ଥରେ ତାହାର ବିଶଦ ବ୍ୟାଖା କରିଛନ୍ତି ।
ସାମ୍ରାଜ୍ୟବାଦ, ପରାଧୀନ ସଂସ୍କୃତିକୁ ନିଷ୍ପେଷିତ କରିବାପାଇଁ ଚକ୍ରାନ୍ତ ଆରମ୍ଭ କରେ, ମାତ୍ର ପରାଧୀନ ଜନଗୋଷ୍ଠୀ, ଅନ୍ୟ ଦିଗରେ ମୁକ୍ତି ସଂଗ୍ରାମକୁ ବଞ୍ଚାଇ ରଖିବାପାଇଁ ନିଷ୍ପେଷଣ ବିରୋଧରେ ସଂସ୍କୃତିର ଆଶ୍ରା ନିଏ । ପରାଧୀନ ଜନଗୋଷ୍ଠୀ ସାମରିକ ଶକ୍ତିବିହୀନ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସାମ୍ରାଜ୍ୟବାଦ ବିରୁଦ୍ଧରେ ତାହାର ସଂଗ୍ରାମ ଜାରି ରଖେ ,ଯେଉଁ ସଂଗ୍ରାମ ତାହାର ସାଂସ୍କୃତିକ ଜୀବନ ଧାରା ମଧ୍ୟରେ ପ୍ରତିଫଳିତ ହୁଏ ।
ଏ ସମସ୍ତ ତଥ୍ୟର ପରିପ୍ରେକ୍ଷୀରେ ମଧୁସୂଦନଙ୍କର ବକ୍ତବ୍ୟ ଓ କାର୍ଯ୍ୟଧାରା ମୂଲ୍ୟାୟନ କରାଯାଇପାରେ ।
୧୮୫୭ ସାଲର ସିପାହୀ ବିଦ୍ରୋହ ପରେ, ଅସ୍ତ୍ର ଉତ୍ତୋଳନ କରି ସଂଗ୍ରାମ ବା ବିଦ୍ରୋହ କରିବାର ଶକ୍ତି ଭାରତୀୟମାନଙ୍କଠାରୁ ଲୋପ ପାଇଯାଇଥିଲା । ସୁରେନ୍ଦ୍ର ସାଏ, ଚକରା ବିଶୋୟୀ ଅଥବା ବକ୍ସି ଜଗବନ୍ଧୁଙ୍କ ପରି ଦୁର୍ଦ୍ଧର୍ଷ ସଂଗ୍ରାମୀମାନଙ୍କର ଆତ୍ମୋତ୍ସର୍ଗ ଓ ବଳିଦାନ ଯାହାପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବିତ ତାହାର ଆଉ ଆବଶ୍ୟକତା ନଥିଲା । ଅସ୍ତ୍ରର ରଣଝଙ୍କାର ଅପେକ୍ଷା, ପ୍ରଚଣ୍ଡ ବିଦ୍‍ବତ୍ତା, ଶାଣିତ ଓ ପ୍ରଖର ବୁଦ୍ଧିମତ୍ତା, ଗଭୀର ପୁରୋଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ, ନିଜର ଜାତିର ମହିମାନ୍ୱିତ ଗାଥାରେ ଉଦ୍‍ବୁଦ୍ଧ, ମଧୁସୂଦନଙ୍କ ପରି ଏକ ଦିଗ୍‍ଦର୍ଶୀ ଜନନାୟକଙ୍କ ଅପେକ୍ଷାରେ ଓଡ଼ିଆ ଜାତି ଉଦ୍‍ଗ୍ରୀବ ହୋଇ ବସି ରହିଥିଲା

ପ୍ରଖ୍ୟାତ ଆଇନଜୀବୀ ବିମଳକୃଷ୍ଣ ପାଲ, ମଧୁବାବୁଙ୍କ କୃତିର ମୂଲ୍ୟାୟନ କରି କହନ୍ତି-