ପୃଷ୍ଠା:Aama Madhusudan.pdf/୧୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ମଧୁସୂଦନ ଦେଶର ପରିସ୍ଥିତି, ପ୍ରତିରୋଧ, ବିକେନ୍ଦ୍ରୀକରଣ, ଶକ୍ତିର ତାଡ଼ନା ଯାହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଥିଲା, ସେ ପ୍ରତି ଗଭୀର ଭାବେ ସଚେତନ ଥିଲେ । ସେ ଜନଗୋଷ୍ଠୀର ଦୁର୍ବଳତା ତଥା ସେମାନଙ୍କର ଅନ୍ତର୍ନିହିତ ଶକ୍ତିକୁ ଭଲଭାବେ ଉପଲବ୍‍ଧି କରିଥିଲେ ।
ସେ ତାଙ୍କର କାର୍ଯ୍ୟଧାରା ଅତ୍ୟନ୍ତ ଦକ୍ଷତାର ସହିତ ସଞ୍ଚାଳିତ କରିଥିଲେ ଆଉ କାହା ପ୍ରତି ଆଘାତ ନପହଞ୍ଚାଇ, ସମସ୍ତଙ୍କ ସହିତ ମିତ୍ରତା ସ୍ଥାପନା କରିଥିଲେ । ମାତ୍ର ଗୋଟିଏ ମୁହୂର୍ତ୍ତପାଇଁ ନିଜ କର୍ତ୍ତବ୍ୟକୁ ଭୁଲି ଯାଇ ନଥିଲେ କିମ୍ବା କର୍ତ୍ତବ୍ୟରୁ ବିଚ୍ୟୁତ ହୋଇ ନଥିଲେ । ସେହି କର୍ତ୍ତବ୍ୟଟି ଥିଲା ବିଚ୍ୟୁତ ହୋଇଯାଇଥିବା ଓଡ଼ିଆ ଜାତିର ପରିଚୟକୁ ପୁନରୁଦ୍ଧାର କରି ପୁନଃ ସଂସ୍ଥାପିତ କରିବା । ସେହି ଓଡ଼ିଆ ପରିଚୟର ଦିଗନ୍ତ ହେଉଛି, ତାହାର ସାଂସ୍କୃତିକ ପରମ୍ପରା, ତାହାର ପୁରାଣ, ଚାରୁକଳା, ତାହାର ହସ୍ତଶିଳ୍ପ, ଲୋକଗୀତି ଓ କାହାଣୀର ଅନବଦ୍ୟ ସମ୍ଭାର ଆଉ ତାହାର ଯାତ୍ରା ଏବଂ ଉତ୍ସବ । ସେ ବିରୋଧୀ ଶକ୍ତିକୁ ଭୀତତ୍ରସ୍ତ ନକରି ଓଡ଼ିଆ ସଂସ୍କୃତି ଏବଂ ଭାଷାର ପୁନରୁଦ୍ଧାର ଏବଂ ଅଭିବୃଦ୍ଧି ପାଇଁ କାର୍ଯ୍ୟକରି ଚାଲିଥିଲେ ।" କିଭଳି ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ପାଲ୍‍ଙ୍କର ଏହି ଉକ୍ତି । ସେ ପ୍ରକୃତରେ ସ୍ଥିତିଶୂନ୍ୟତାର ଘନ ଅନ୍ଧକାରରୁ ଓଡ଼ିଆ ଜାତିର ପୁନରୁଦ୍ଧାର କରିଥିଲେ ।
ବ୍ରିଟିଶ ସାମ୍ରାଜ୍ୟବାଦ ସହିତ ତାହାଙ୍କର ସିଧାସଳଖ ମୁକାବିଲା ହୋଇଥିଲା ସ୍ୱଦେଶୀ ଶିଳ୍ପ ମାଧ୍ୟମରେ । ସେ ସମଗ୍ର ଭାରତର ସ୍ୱଦେଶୀ ଶିଳ୍ପ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ କେବଳ ନଥିଲେ, ସେ ଅବାରିତ ଭାବେ ଗ୍ରାମ ଗ୍ରାମ, ସହର ସହର ବୁଲି ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । ଏଇଥିପାଇଁ ସ୍ୱତନ୍ତ୍ର ଭାବେ ସମସ୍ତ ନାଗରିକଙ୍କଠାରୁ ସାରା ଜୀବନ ଧରି କେବଳ ସ୍ୱଦେଶୀ ଉତ୍ପାଦିତ ଦ୍ରବ୍ୟର ବ୍ୟବହାର ପାଇଁ ଶପଥ ପାଠ କରାଉଥିଲେ ।
ଏଣୁ ଏ ସମସ୍ତ ନିଃସନ୍ଦେହରେ ଥିଲା ଅର୍ଥନୈତିକ କ୍ଷେତ୍ରରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ତାତ୍ପର୍ଯ୍ୟପୂର୍ଣ୍ଣ ସଂଗ୍ରାମ । ଏ ସଂଗ୍ରାମର ବହୁ ଦିଗନ୍ତରେ ମଧୁସୂଦନ ତାଙ୍କର ସଂଗ୍ରାମ ଅପ୍ରତିହତ ରଖିଥିଲେ । ଏ ସମସ୍ତର ପୁରୋଭାଗରେ ଥିଲା ଓଡ଼ିଆ ଜାତୀୟତାର ପୁନରୁଦ୍ଧାର ଆଉ ପୁନଃ ସଂସ୍ଥାପନ । ଅନ୍ୟଥା ଏକ ସମୃଦ୍ଧ ସାହିତ୍ୟ ପରମ୍ପରା ଘେନି ଗର୍ବିତ ମୈଥିଳୀ ସଂପ୍ରଦାୟ ବିହାର ଭୂମିରେ ବିସ୍ଥାପିତ ହେଲାପରି ଓଡ଼ିଶାର ସ୍ଥିତି ଓ ପରମ୍ପରା ବିସ୍ମୃତିର ଗର୍ଭରେ ଲୀନ ହୋଇଯାଇଥାନ୍ତା ।
ଏହିଠାରେ ହିଁ ମଧୁସୂଦନଙ୍କର କାଳଜୟୀ ବ୍ୟକ୍ତିତ୍ୱର ପରାକାଷ୍ଠା ଓ ଗରିମାମୟ ପ୍ରଖରତାର ଦୀପ୍ତି ଉଦ୍‍ଭାସିତ ହୁଏ ।