ପୃଷ୍ଠା:Aama Madhusudan.pdf/୧୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସତୁରି ବର୍ଷ କାଳର ସୁଦୀର୍ଘ ବିରାମହୀନ ସଂଗ୍ରାମର ଧାରା ସଂଚାଳିତ କରି ରଖିଥିଲା, ତାହା ବର୍ତ୍ତମାନ ସମୟରେ ଅଚିନ୍ତନୀୟ ।
ପରାଧୀନ ଭାରତରେ ସବୁଠାରୁ ଦୟନୀୟ ଆଉ ପରିତାପର ବିଷୟ ହେଲା ଯେ, ମହାତ୍ମାଗାନ୍ଧୀଙ୍କ ବ୍ୟତିରେକେ, ପ୍ରାୟ ସମସ୍ତ ସର୍ବଭାରତୀୟ ନେତୃବର୍ଗ ଆଉ ରାଜନୈତିକ ଦଳ, ଓଡ଼ିଶା ପ୍ରଦେଶ ଗଠନର ପ୍ରକିୟାକୁ ତୀବ୍ର ଭାବରେ ପ୍ରତିରୋଧ କରୁଥିଲେ ।
ଭାରତୀୟ କେନ୍ଦ୍ରୀୟ ବିଧାନ କାଉନ୍‍ସିଲରେ, ମଧୁସୂଦନ ଦାସ, ସଚ୍ଚିଦାନନ୍ଦ ସିହ୍ନା, ନୀଳକଣ୍ଠ ଦାସ ଆଉ କନିକା ରାଜା ପ୍ରମୁଖ ଓଡ଼ିଶା ପ୍ରଦେଶର ଆଶୁ ଗଠନ ଲାଗି ଉଦାତ୍ତ ଆଉ ଓଜସ୍ୱିନୀ ସ୍ୱରରେ ପ୍ରଖର ଭାବରେ ସେମାନଙ୍କର ଦାବିକୁ ଉତ୍ତୋଳିତ କରିଥିଲେ । ଏହି କାଉନସିଲ୍‍ରେ ଜଣେ ପ୍ରଭାବଶାଳୀ ସଦସ୍ୟରୂପେ ୧୯୨୪ ସାଲରେ ଭୁବନାନନ୍ଦ ଦାସଙ୍କର ଭୂମିକା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା । ଏହି ସମସ୍ତ ଦେଶ ହିତୈଷୀ ନେତୃବର୍ଗଙ୍କର ସମନ୍ୱିତ ଉଦ୍ୟମ ଆଉ ସମ୍ମିଳିତ ପ୍ରଚେଷ୍ଟାରେ ବିଭିନ୍ନ ପ୍ରଦେଶରେ ସ୍ଥିତ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣରେ ନିମ୍ନଲିଖିତ ଭାବରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ତାହାର ହିସାବ ଏହିପରି କରାଯାଉଛି ।
ଓଡ଼ିଶା ପ୍ରଦେଶ ସ୍ଥାପନାର ବର୍ଷ ୧୯୩୬ ସାଲର ପ୍ରାରମ୍ଭରେ ବିହାର ଓ ଓଡ଼ିଶା ପ୍ରଦେଶର ଓଡ଼ିଶା ଡିଭିଜନର ଆୟତନ (ଗଡ଼ଜାତ ବ୍ୟତୀତ) ଥିଲା ୧୩,୭୦୬ ବର୍ଗମାଇଲ । ମାଡ଼୍ରାସ ପ୍ରଦେଶରୁ ଆସିଲା ୧୭,୪୦୦ ବର୍ଗମାଇଲ, ମଧ୍ୟପ୍ରଦେଶରୁ ଆସିଲା ୧,୫୮୯ ବର୍ଗମାଇଲ । ତେଣୁ ୧୯୩୬ ସାଲ ଏପ୍ରିଲ୍‍ ପହିଲାରେ ନୂତନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଆୟତନ (ଗଡ଼ଜାତ ବ୍ୟତୀତ)ହେଲା, ୩୨,୬୯୫ ବର୍ଗମାଇଲ ଆଉ ଜନସଂଖ୍ୟା ୮୦,୪୩,୬୮୬ । ନିମ୍ନୋକ୍ତ ବିବରଣୀ ଦ୍ରଷ୍ଟବ୍ୟ ।

କ୍ରନଂ ପ୍ରଦେଶ ଆୟତନ (ବର୍ଗ.ମା) ଜନସଂଖ୍ୟା
ମାଡ୍ରାସ ୧୭,୪୦୦ ୨୫,୫୨,୮୭୪
ମଧ୍ୟପ୍ରଦେଶ ୧,୫୮୯ ୧,୮୪,୬୬୫
ବିହାର ଓ ଓଡ଼ିଶା ୧୩,୭୦୬ ୫୩,୦୬,୧୪୭
ମୋଟ ୩୨,୬୯୫ ୮୦,୪୩,୬୮୬

ପ୍ରତ୍ୟେକ ଓଡ଼ିଆ ପ୍ରଗାଢ଼ ହୃଦୟବତ୍ତା ସହିତ ଅବହିତ ହେବା ଆବଶ୍ୟକ ଯେ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶ ଗଠିତ ହୋଇ ନଥିଲେ, ପରବର୍ତ୍ତୀ କାଳରେ ୧୯୩୯ ସାଲରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରାରମ୍ଭ ଯୋଗୁଁ କିମ୍ବା ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଯୋଗୁଁ ଓଡ଼ିଶା ପ୍ରଦେଶ ଗଠନର କୌଣସି ସମ୍ଭାବନା ନଥିଲା । ଓଡ଼ିଶା ପ୍ରଦେଶ ଗଠିତ ହୋଇ ନଥିଲେ, ସ୍ୱାଧୀନ ଭାରତର ସଂବିଧାନ ପ୍ରସ୍ତୁତି କାଳରେ ବିହାରୀ ନେତୃବର୍ଗଙ୍କର ଅଖଣ୍ଡ ପ୍ରତାପ ଯୋଗୁଁ ବିହାର ଓଡ଼ିଶା ପ୍ରଦେଶର ପାଞ୍ଚଗୋଟି ଡିଭିଜନରେ ଓଡ଼ିଶା ପଞ୍ଚମ ଡିଭିଜନ ଥିବାରୁ, ବିହାର ଓ ଓଡ଼ିଶା ନାମରୁ ଓଡ଼ିଶା ଶବ୍ଦକୁ ଚିରକାଳ ଲୋପ କରି ଦିଆଯାଇ ଓଡ଼ିଆଭାଷୀ ଅଞ୍ଚଳକୁ ବିହାର ପ୍ରଦେଶରେ