ପୃଷ୍ଠା:Aama Madhusudan.pdf/୧୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫେବ୍ରୁଆରି୨୧ ତାରିଖରେ ପ୍ରଧାନମନ୍ତ୍ରୀ ଖ୍ୱାଜା ନିଜାମୁଦ୍ଦିନ୍‍ ଢ଼ାକା ବିଶ୍ୱବିଦ୍ୟାଳୟରେ ଛାତ୍ର ସମାଜକୁ ଭାଷଣ ପ୍ରଦାନ କରିବାକୁ ଆସିଥିଲେ ଆଉ ଛାତ୍ର ସମାଜର ପ୍ରଧାନ ଦାବି ଥିଲା ସମଗ୍ର ପାକିସ୍ତାନ ଭୂଖଣ୍ଡର ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ଖ୍ୱାଜା ନିଜାମୁଦ୍ଦିନ୍‍ଙ୍କ ପାଖେ ବଙ୍ଗଳାକୁ ଅନ୍ୟତମ ରାଷ୍ଟ୍ରଭାଷା ରୂପେ ସ୍ୱୀକୃତି ଦେବାପାଇଁ । ସେହି ପ୍ରଧାନମନ୍ତ୍ରୀଙ୍କଠାରୁ ଏକ ଐତିହାସିକ ଘୋଷଣାର ପ୍ରତୀକ୍ଷାରେ କେବଳ ରହି ନଥିଲେ ଢ଼ାକା ବିଶ୍ୱବିଦ୍ୟାଳୟର ଛାତ୍ର ସମାଜ, ରହିଥିଲେ ସମଗ୍ର ପୂର୍ବ ପାକିସ୍ତାନର ଅଧିବାସୀ । ସମସ୍ତ ପରିସ୍ଥତିରେ ଛାଇଯାଇଥିଲା ଏକ ଅପେକ୍ଷମାଣ ପ୍ରତ୍ୟାଶା ଏବଂ ତୀବ୍ର ଉତ୍କଣ୍ଠା, ଯାହା କିଛି ପରିମାଣରେ ବିସ୍ଫୋରକ ଅବସ୍ଥାରେ ପହଞ୍ଚିଥିଲା ।
ମାତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍‍ଘୋଷଣାର ଅନ୍ତିମ ପଙ୍‍କ୍ତି ଥିଲା, ""ଚିରକାଳ ଲାଗି ସମସ୍ତ ପାକିସ୍ତାନରେ ଉର୍ଦ୍ଦୁଭାଷା ହିଁ ଏକମାତ୍ର ରାଷ୍ଟ୍ର ଭାଷା ରୂପେ ବ୍ୟବସ୍ଥିତ ରହିବ, ଯାହା ସବୁକାଳ ଲାଗି ରହିବ ଅପରିବର୍ତ୍ତନୀୟ ।"
ଉଦ୍‍ଘୋଷଣାର ସମାପ୍ତି ପୂର୍ବରୁ ପରିସ୍ଥିତି ଥିଲା ଅଗ୍ନିଗର୍ଭ ଆଉ ଜ୍ଜ୍ୱଳନଶୀଳ । ସେଥିରେ ଯେପରି ଅଗ୍ନି ସଂଯୋଗ ହେଲା ତତ୍‍କ୍ଷଣାତ୍‍ । ଏକ ବିରାଟ ଶୋଭାଯାତ୍ରା ସ୍ୱତଃ ଆୟୋଜିତ ହୋଇଗଲା ଢାକା ବିଶ୍ୱବିଦ୍ୟାଳୟରେ, ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ତୀବ୍ର ପ୍ରତିକ୍ରିୟା ଜଣାଇ । ଢାକା ବିଶ୍ୱବିଦ୍ୟାଳୟ ପରିସର ଡେଇଁ ଛାତ୍ରସମାଜ ପହଞ୍ଚିଲେ ଜନପଦରେ ଆଉ ସମ୍ମୁଖୀନ ହେଲେ ପୁଲିସ୍‍ର ସଂଗିନ ଗୁଳିମାଡ଼ରେ । ରକ୍ତରଂଜିତ ହୋଇଗଲା ରାଜପଥ । ଅଗଣିତ ଛାତ୍ର ସହିଦ ହୋଇଗଲେ । ଇତିହାସର ପୃଷ୍ଠା ଲେଖାଗଲା ରକ୍ତରେ । ଜୀବନ୍ୟାସ ଦିଆଗଲା ଏକ ଗଣ ସଂଗ୍ରାମକୁ । ସେହି ୧୯୫୨ ସାଲ ଫେବ୍ରୁଆରି ୨୧ ତାରିଖରେ, ଯାହାର ଅନ୍ତିମ ପରିଣତିରେ ସୃଷ୍ଟି ହେଲା ବାଂଲାଦେଶ । ଭାଷାଭିତ୍ତିରେ ଆନ୍ତର୍ଜାତିକ କ୍ଷେତ୍ରରେ ଏହି ନୂତନ ଦେଶ ସୃଷ୍ଟି ହେଲା ।
ମୁସଲମାନ ଧର୍ମର ଭ୍ରାତୃତ୍ୱବୋଧ ଓ ସାଂପ୍ରଦାୟିକ ଆବେଦନ ସତ୍ତ୍ୱେ, ଭାଷାର ଆକର୍ଷଣ ଓ ଆହ୍ୱାନରେ ଗଢ଼ାଯାଇଥିଲା ବାଂଲାଦେଶ ।
ସ୍ୱଧୀନତାର ପୂର୍ବବର୍ତ୍ତୀ ଭାରତରେ ଓଡ଼ିଆ ଭାଷାର ଆହ୍ୱାନକୁ ଆଧାର କରି ସୃଷ୍ଟି ହୋଇଥିଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା । ଏହି ଓଡ଼ିଆ ଭାଷା ମଧ୍ୟ ଚକ୍ରାନ୍ତର ସମ୍ମୁଖୀନ ହୋଇଥିଲା ୧୮୯୫ ସାଲରେ ଯେତେବେଳେ ସମ୍ବଲପୁର ଅଞ୍ଚଳରେ ହିନ୍ଦୀଭାଷାକୁ ଲଦି ଦିଆଯାଇଥିଲା । ସେତେବେଳେ ଏହି ଭାଷା ସଂଗ୍ରାମର ଅନ୍ୟତମ ରଥୀ ସ୍ୱଭାବ କବି ଗଂଗାଧର ମେହେର ଲେଖିଥିଲେ-

"ନିଜ ଘରେ ବସି ନିର୍ବାସନ ଦୁଃଖ,

ଏ ଆମ କପାଳ ଲିଖନ"

ଅଥବା ପରବର୍ତ୍ତୀ କାଳରେ ଲେଖିଥିଲେ-

"ମାତୃଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ,

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।"