ପୃଷ୍ଠା:Aama Madhusudan.pdf/୧୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେଣୁ ବିଭାଜିତ ବିଖଣ୍ଡିତ ଓଡ଼ିଶା, ଯାହା ଚାରୋଟି ପ୍ରାନ୍ତରେ ଅବହେଳିତ ଉପାଙ୍ଗ ଭଳି ଝୁଲି ରହିଥିଲା ଅପାଙ୍‍‌କ୍ତେୟ ଭାବରେ, ସେହି ଓଡ଼ିଆଭାଷୀ ଜନସଂପ୍ରଦାୟପାଇଁ ସ୍ୱାଧୀନତାର ବହୁ ପୂର୍ବବର୍ତ୍ତୀ ଯୁଗରେ ସ୍ୱାଧୀନତା ଆନ୍ଦୋଳନ ଅପେକ୍ଷା ଭାଷାପାଇଁ ସଂଗ୍ରାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଅନ୍ୟଥା ଓଡ଼ିଆଭାଷୀ ଅଂଚଳରେ, ସ୍ୱାଧୀନତା ପୂର୍ବବର୍ତ୍ତୀ ଯୁଗରେ ଭାଷାର ସଂଗ୍ରାମ ବିନା, ସମସ୍ତ ଉଦ୍ୟମ ଯଦି ସ୍ୱାଧୀନତା ଆନ୍ଦୋଳନ ମଧ୍ୟରେ ସୀମିତ ରହିଥା'ନ୍ତା, ତା' ହେଲେ ଓଡ଼ିଶାର ସ୍ଥିତି ଓ ପରିଚୟ କେବଳ ହତାଶଭରା ପ୍ରଶ୍ନବାଚୀ ଚିହ୍ନରେ ପରିଣତ ହୋଇଥାନ୍ତା । ନିର୍ବିବାଦରେ ଓଡ଼ିଶାପାଇଁ ସ୍ୱାଧୀନତା ଆନ୍ଦୋଳନ ଅପେକ୍ଷା ଭାଷା ଆନ୍ଦୋଳନ ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ ।
ଓଡ଼ିଶା ସୀମାନ୍ତର ମେଦିନୀପୁରଠାରୁ ଆରମ୍ଭ କରି ଉତ୍ତରର ହିମାଳୟ ସୀମାନ୍ତର ସିଲିଗୁଡ଼ି, ଦାର୍ଜିଲିଂ ଆଦି ନେଇ ପଶ୍ଚିମବଂଗର ସମସ୍ତ ଅଞ୍ଚଳ ଆଉ ବାଂଲଦେଶର ପରିବ୍ୟାପ୍ତ ସୀମା ଘେନି, ଏହି ସୁବିଶାଳ ଭୂଖଣ୍ଡରେ ବାସ କରୁଥିବା ୨୨ କୋଟି ଅଧିବାସୀ ନିଜକୁ ବଂଗାଳୀ ବୋଲି ଅଭିହିତ କରି ଏକ ଭାବଗତ ଏକତ୍ୱର ବନ୍ଧନରେ ବାନ୍ଧିହୋଇ ରହିଥିବା ବେଳେ ଓଡ଼ିଶାର ସାଢେ଼ ତିନିକୋଟି ଅଧିବାସୀଙ୍କ ମଧ୍ୟରେ ବିଭେଦର ସ୍ୱର ଗୁଞ୍ଜରିତ ହେବାକୁ ଲାଗିଲାଣି । ଏଥିପାଇଁ ବଂଗଳାଭାଷୀ ଅଧିବାସୀଙ୍କର ଆଦର୍ଶ କ'ଣ ସ୍ମରଣଯୋଗ୍ୟ ନୁହେଁ । କେବଳ ଏବେକାର ବାଂଲାଦେଶ ନୁହେଁ, ଧର୍ମ ସଂପ୍ରଦାୟ ଆଉ ବଂଗାଳୀ ଭାଷାର ତାରତମ୍ୟର ଆଧାରରେ ୧୯୦୫ ସାଲରେ ଯେଉଁ ବଂଗ ପ୍ରଦେଶର ବିଭାଜନ ହୋଇଥିଲା, ତାହାରି ବିରୁଦ୍ଧରେ ଶ୍ରୀଅରବିନ୍ଦଙ୍କର "ବନ୍ଦେ ମାତରମ୍‍" ଆଉ ସୁରେନ୍ଦ୍ରନାଥଙ୍କର ସ୍ୱଦେଶୀ ଆନ୍ଦୋଳନ ଫଳରେ ବଂଗ ପ୍ରଦେଶ ପୁଣି ଏକତ୍ର ହୋଇ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଥିଲା ।
ତେଣୁ ଅବଲୁପ୍ତିର ଚରମ ମୁହୂର୍ତ୍ତରେ ମାତୃଭାଷା ଆଉ ମାତୃଭୂମିର ପରମ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ମଧୁସୂଦନ ଓଡ଼ିଶାର ନୂତନ ପରିଚୟ ପ୍ରଦାନ କରି ଏହାକୁ ଏକ ସଂସ୍କୃତି ସମ୍ପନ୍ନ ପ୍ରଦେଶରେ ପରିଣତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଏବେ ସ୍ମରଣରେ ଆସେ ଫକୀରମୋହନଙ୍କର ଆପ୍ତ ବଚନ-
"ମାତୃଭୂମି ମାତୃଭାଷା ଉଭୟେ ଜନନୀ
ଭକ୍ତିଭରେ ସେବ ତାଙ୍କୁ ଦିବସ ରଜନୀ ।"