ପୃଷ୍ଠା:Aama Madhusudan.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଧ୍ୟମରେ । ରିସ୍‍ଲେ ସର୍କୁଲାର୍‍କୁ ଆଧାର କରି ୧୯୦୫ ସାଲ ଅକ୍ଟୋବର ୧୬ ତାରିଖରେ ମଧ୍ୟପ୍ରଦେଶରୁ ସମ୍ବଲପୁର ଜିଲ୍ଲା, କଳାହାଣ୍ଡି,ପାଟଣା,ସୋନପୁର, ବାମଣ୍ଡା, ରେଢ଼ାଖୋଲଗଡ଼ଜାତ ଏବଂ ବିହାରର ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣେଇର ମିଶ୍ରଣ ଘଟିଲା ଓଡ଼ିଶା ଡିଭିଜନ ସହିତ । ଏହି ମିଶ୍ରଣ ପରେ ଓଡ଼ିଶା ଡିଭିଜନର ପରିସର ପ୍ରସାରିତ ହୋଇଥିଲା(ଗଞ୍ଜାମ ଓ କୋରାପୁଟ ବ୍ୟତୀତ) ଅବିଭକ୍ତ ୧୧ଗୋଟି ଜିଲ୍ଲାକୁ ଘେନି । ଏହି ମିଶ୍ରଣର ସମସ୍ତ କୃତିତ୍ୱ ମଧୁସୂଦନ ନିର୍ବାହ କରିଥିଲେ, ଲଡର଼୍କର୍ଜନଙ୍କ ଅକୁଣ୍ଠ ସହଯୋଗରେ । ଏହା ପରେ ଦକ୍ଷିଣ ଓଡ଼ିଶା ଆସି ମିଳିତ ହେଲା ୧୯୩୬ ସାଲରେ । ସବୁଗୁଡିକ ସମ୍ପାଦିତ ହୋଇଥିଲା ମଧୁସୂଦନଙ୍କ ବୁଦ୍ଧିମତ୍ତାର ପ୍ରୟୋଗରେ ।
ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ କାଳରେ ସମାନ୍ତରରାଳ ଭାବରେ ଆନ୍ଧ୍ରପ୍ରଦେଶ ଗଠନପାଇଁ ତୀବ୍ର ଆନ୍ଦୋଳନ ଚାଲିଥିଲା । ପଟ୍ଟାଭି ସୀତାରାମାୟା, ପ୍ରକାଶମ ଆଦି ଭାରତୀୟ ରାଜନୀତିର ବହୁ ପ୍ରଚଣ୍ଡ କ୍ଷମତାଶାଳୀ ଆନ୍ଧ୍ରନେତାଙ୍କ ଦାବି ଉପସ୍ଥାପନ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଗଠନ ହେବାକୁ ଓଡ଼ିଶା ଅପେକ୍ଷା ଆହୁରି ଷୋହଳ ବର୍ଷ ପ୍ରତୀକ୍ଷା କରିବାକୁ ପଡ଼ିଥିଲା । ଅନ୍ୟ ଦିଗରେ ମଧୁସୂଦନଙ୍କ ବଳିଷ୍ଠ ଅଧିନାୟକତ୍ୱରେ ଏବଂ ପାରଳା ମହାରାଜାଙ୍କ ସହଯୋଗରେ ହିଁ ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିଲା । ଏକଥା ପ୍ରତିଷ୍ଠିତ ସତ୍ୟ ଯେ ୧୯୩୬ ସାଲରେ ଓଡ଼ିଶା ପ୍ରଦେଶର ଗଠନ ସମ୍ଭବ ହୋଇନଥିଲେ ପରବର୍ତ୍ତୀ କାଳରେ ଓଡ଼ିଶା ପ୍ରଦେଶ ଗଠନର ସମ୍ଭାବନା ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥାନ୍ତା । ପଣ୍ଡିତ ନେହେରୁଙ୍କ ଭାଷାରେ, ଯେଉଁଠାରେ ଓଡ଼ିଶାର ନାମ ଉଚ୍ଚାରିତ ହୁଏ, ସେଠାରେ ମଧୁସୂଦନଙ୍କ ନାମ ସ୍ୱତଃ ଆସିଯାଏ । କ୍ଷମତାର ମୂଳକେନ୍ଦ୍ର ସହିତ ସଂପର୍କ ରଖୁଥିବା ମଧୁସୂଦନ ଥିଲେ, ଗଣତନ୍ତ୍ରଧାରାର ଜଣେ ଏକନିଷ୍ଠ ପ୍ରତିଶ୍ରୁତିବଦ୍ଧ ସଂରକ୍ଷକ । ତାଙ୍କର ଅଚ୍ଛେଦ୍ୟ ସଂପର୍କ ସ୍ଥାପିତ ହୋଇଥିଲା ଦେଶର ତଳ ସ୍ତରରେ ଅବସ୍ଥାନ କରୁଥିବା ଦଳିତ ଓ ଅବହେଳିତ ଜନଗୋଷ୍ଠୀ ସହିତ । ଉତ୍କଳ ଟ୍ୟାନେରିର ପ୍ରତିଷ୍ଠା ପରଠାରୁ ତାଙ୍କୁ ବହୁବାର ଦେଖିବାକୁ ମିଳୁଥିଲା ଟ୍ୟାନେରିର ପ୍ରାଙ୍ଗଣରେ ମୋଚି, ଚମାର, କେଳାମାନଙ୍କ ସହିତ ମଲାଗୋରୁ, ଗୋଧୀ, କୁମ୍ଭୀର ଆଦି ଜନ୍ତୁଙ୍କର ଚମଡ଼ା କାଟି, ଯୋତା ତିଆରି କରିବା ପ୍ରକ୍ରିୟା ମଧ୍ୟରେ ।
ତେଣୁ ୧୯୦୫ ସାଲରେ ରକ୍ଷଣଶୀଳ ଭାରତରେ ଗାନ୍ଧୀ ଓ ଆମ୍ବେଦକରଙ୍କ ଆବିର୍ଭାବର ବହୁବର୍ଷ ପୂର୍ବରୁ ମଧୁସୂଦନ କେବଳ ଅଚ୍ଛବ ଓ ଦଳିତମାନଙ୍କୁ ସାମାଜିକ ମାନ୍ୟତା ଦେବାପାଇଁ ନୁହେ,ଁ ଅର୍ଥନୈତିକ କ୍ଷେତ୍ରରେ ଟ୍ୟାନେରି ଆଦି ଉଦ୍ୟୋଗ ମାଧ୍ୟମରେ ଥଇଥାନ ବ୍ୟବସ୍ଥା କରିଥିଲେ । ଏଥିପାଇଁ ୧୯୨୫ ସାଲରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କୁ କେବଳ ଅନୁଧ୍ୟାନ କରି ନ ଥିଲେ, ମଧୁସୂଦନଙ୍କ ପ୍ରତି ହାର୍ଦ୍ଦିକ ପ୍ରଶଂସା ଅଜାଡ଼ିଦେଇ ଏ ସମସ୍ତ କ୍ଷେତ୍ରରେ ତାହାଙ୍କୁ ନିଜର ଅଗ୍ରଜ ଓ ମାର୍ଗଦର୍ଶକ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ ।

 ଆମ ମଧୁସୂଦନ ୨୧