ପୃଷ୍ଠା:Aama Madhusudan.pdf/୨୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯୁଗାନ୍ତକାରୀ ବକ୍ତବ୍ୟରେ, ମଧୁସୂଦନ ଦାସଙ୍କୁ ନିଜର ଆଦ୍ୟଗୁରୁ ଟଲଷ୍ଟୟଙ୍କର ନାମ ସହିତ କେବଳ ସଂପୃକ୍ତ କରିନାହାନ୍ତି, ତାଙ୍କୁ ସେହି ମହିମାଦୀପ୍ତ ସ୍ତରକୁ ଉନ୍ନୀତ କରି ଯାଇଛନ୍ତି । ଟଲଷ୍ଟୟଙ୍କ ସଂପର୍କରେ ମହାତ୍ମାଗାନ୍ଧୀ କହିଥିଲେ ଯେ, "ଐଶ୍ୱରୀୟ ନିୟମ ହେଉଛି, ଜଣେ ବ୍ୟକ୍ତି ତାହାର ଖାଦ୍ୟ ନିଜର ହସ୍ତର ଶ୍ରମ ମାଧ୍ୟମରେ ଉପାର୍ଜନ କରିବାକୁ ହେବ । ଋଷୀୟ ଲେଖକ ଟି.ଏମ୍ ଜନ୍ ଡର୍ଫି ଏହି ସନ୍ଦେଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ, ଯାହାକୁ ପରବର୍ତ୍ତୀ କାଳରେ ଟଲଷ୍ଟୟ ବହୁତ ଭାବରେ ପ୍ରଚାରିତ କରିଥିଲେ । ମାତ୍ର ମଧୁସୂଦନ ଦାସଙ୍କର ବାର୍ତ୍ତା ଏହିପରି ଥିଲା - "ଜଣେ ବ୍ୟକ୍ତି ଯେଉଁ ହାତରେ ରୁଟି (ଖାଦ୍ୟ) ଖାଏ, ସେହି ହାତରେ ହିଁ ସେହି ରୁଟି (ଖାଦ୍ୟ)କୁ ଉପାର୍ଜନ କରିବାକୁ ପଡ଼ିବ ।”(୧୯୨୪ ରେ ପାଟନାଠାରେ ପ୍ରଦତ୍ତ ଭାଷଣର କିଛି ଅଂଶ) । ଭାରତୀୟ ପରିସ୍ଥିତିରେ, ମଧୁସୂଦନ ଦାସଙ୍କର ସୁବିସ୍ତୃତ ଅଭିଜ୍ଞତାରୁ ଉପଲବ୍ଧ, ଆପ୍ତବଚନ ଭଳି ଏହି ଅବିସ୍ମରଣୀୟ ଉକ୍ତି ଯାହା ମହାତ୍ମାଗାନ୍ଧୀଙ୍କୁ ବାରମ୍ବାର ମଧୁସୂଦନ ଦାସଙ୍କର ନିକଟକୁ ଆକର୍ଷିତ କରି ଆଣିଥିଲା । ମଧୁସୂଦନ ଦାସଙ୍କର ମହାତ୍ମାଗାନ୍ଧୀଙ୍କ ସହିତ ୧୯୨୦ ସାଲରେ ସାକ୍ଷାତ ହେଲା, ୧୯୨୪ରେ ମନ୍ତ୍ରିତ୍ୱ ତ୍ୟାଗ ପରେ ମଧୁସୂଦନ ସାବରମତୀ ଆଶ୍ରମରେ କିଛିଦିନ ଅବସ୍ଥାନ କରି ମହାତ୍ମାଗାନ୍ଧୀଙ୍କୁ ନିଜର ସୃଜନଶୀଳ ଚିନ୍ତାଧାରା ଏବଂ ଅପରୂପ ଦୃଷ୍ଟିଭଂଗୀ ସଂପର୍କରେ ଅବଗତ କରାଇଥିଲେ । ଏହାପରେ ମହାତ୍ମାଗାନ୍ଧୀ କଟକର ମଧୁସୁତିରେ ୧୯୨୫ ଓ ୧୯୨୭ ସାଲରେ ଅବସ୍ଥାନ କରି ମଧୁସୂଦନଙ୍କଠାରୁ ଯେଉଁ ଜ୍ଞାନ ଲାଭ କରିଥିଲେ ତାହାକୁ ସେ ପରବର୍ତ୍ତୀ କାଳରେ ପ୍ରଦତ୍ତ ଅସଂଖ୍ୟ ବକ୍ତବ୍ୟରେ ଉଦ୍‌ଘୋଷଣା କରିଚାଲିଥିଲେ । ସେଥିରୁ କିଛି ଉଦ୍ଧତି ନିମ୍ନରେ ପ୍ରଦତ୍ତ ହେଲା ।
୩.୨.୧୯୨୬ ରେ ବାଙ୍ଗାଲୋର ଖଦୀ ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଭାଷଣ: ମୋତେ ବାଙ୍ଗାଲୋରର ଏହି ଖଦୀ ପ୍ରଦର୍ଶନକୁ ଉଦ୍‌ଘାଟନ କରିବାପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି ।
ହଁ, ମଧୁସୂଦନ ଦାସ କଟକର ଜଣେ ତେଜସ୍ୱୀ ଓକିଲ ରୂପେ ପରିଚିତ । ଏ ଦେଶର ଦାରିଦ୍ର୍ୟ ତାହାଙ୍କୁ ସ୍ୱପ୍ନର ସୁଷୁପ୍ତି ମଧ୍ୟରୁ ଜାଗରିତ କରିଥିଲା । ସେ ଉପଲବ୍ଧି କରିଥିଲେ ଯେ, ଆମ୍ଭେମାନେ କେବଳ ଜ୍ଞାତରେ ବଳଦ ଓ ଲଂଗଳ ଧରି କିଛିକାଳ କାର୍ଯ୍ୟ କରିବା ସାଥିରେ ଯଦି ହସ୍ତ କୌଶଳର ଚାତୁର୍ଯ୍ୟ ସମ୍ବଳିତ କୌଣସି କ୍ଷୁଦ୍ର ଓ ହସ୍ତଶିଳ୍ପ କାର୍ଯ୍ୟରେ ବିନିଯୁକ୍ତ ନହେଉ, ତାହାହେଲେ ଆମ୍ଭେମାନେ କାର୍ଯ୍ୟରେ ବ୍ୟବହାର କରୁଥିବା ଗୋରୁମାନଙ୍କ ଭଳି ପଶୁତ୍ୱ ସ୍ତରକୁ ଖସିପଡ଼ିବା । ଏଣୁ ଏହାର ନିରାକରଣପାଇଁ ମଧୁସୂଦନ ଦାସ ହସ୍ତର କମନୀୟ କଳା ବିନ୍ୟାସ ପ୍ରୟୋଗ କ୍ଷେତ୍ରରେ ଏପରି ପାରଦର୍ଶିତା ହାସଲ କରିଥିଲେ ଯେ, ସେ ଜଣେ ନିପୁଣ କଳାପ୍ରାଣ କୁଶଳୀ କାରିଗରରେ ପରିଣତ ହୋଇଯାଇଛନ୍ତି । ଅନୁଧ୍ୟାନ କରିବାର କଥା ଯେ ଭାରତର ସର୍ବଶ୍ରେଷ୍ଠ ବୃଦ୍ଧିଜୀବୀଙ୍କ ଗହଣରେ ଏହି ସମ୍ମିଳନୀରେ ମହାତ୍ମାଗାନ୍ଧୀ କିଭଳି ଭାବରେ ମଧୁସୂଦନ ଦାସଙ୍କର ବକ୍ତବ୍ୟକୁ ମର୍ଯ୍ୟାଦା ପ୍ରଦର୍ଶନ ମଧ୍ୟରେ ଉପସ୍ଥାପନ କରିଥିଲେ ।

୨୦୨ ଆମ ମଧୁସୂଦନ