Jump to content

ପୃଷ୍ଠା:Aama Madhusudan.pdf/୨୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ନବଜୀବନ ପତ୍ରିକାରେ ୨୩.୯.୧୯୨୮ରେ ଗାନ୍ଧିଜୀଙ୍କର ରଚନା
ବମ୍ବେର ଜାତୀୟ ବିଦ୍ୟାଳୟ :- ଦେଶର ଯେଉଁ କେତୋଟି ଜାତୀୟ ବିଦ୍ୟାଳୟ ବର୍ତ୍ତମାନ ସୁଦ୍ଧା ତିଷ୍ଠି ରହିଛି, ସେମାନଙ୍କ ମଧ୍ୟରେ ବମ୍ବେଠାରେ ସ୍ଥାପିତ ଜାତୀୟ ବିଦ୍ୟାଳୟ ଅନ୍ୟତମ ।
ଦେଶରେ ଗୋଟିଏ ଶିଳ୍ପସୁଲଭ ଜଳବାୟୁର ଆବଶ୍ୟକତା ରହିଅଛି । ଆମ୍ଭମାନଙ୍କ ଦେଶରେ ଶିକ୍ଷାପ୍ରଣାଳୀ ମଧ୍ୟରେ କୃଷିଭିତ୍ତିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା ପ୍ରମୁଖ ସ୍ଥାନ ଅଧିକାର କରିବାପାଇଁ ସର୍ବଦା ଏକ ଯୁକ୍ତିଯୁକ୍ତ ଆବଶ୍ୟକତା ରହିଆସିଛି । ଯଦି ଏହା ସଂଭବ ହୁଏ, ତାହେଲେ ଛାତ୍ରମାନେ ଗୋଟିଏ ବୃତ୍ତିଗତ କଳାଶିକ୍ଷା କରିବା ସହିତ କ୍ରମଶଃ ଏହି ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟକୁ ମଧ୍ୟ ଅଚିରେ ସ୍ୱାବଲମ୍ବୀ କରିପାରିବେ । ମଧୁସୂଦନ ଦାସ କଟକରେ ତାଙ୍କଦ୍ୱାରା ସ୍ଥାପନ କରିଥିବା ଟ୍ୟାନେରି ମାଧ୍ୟମରେ ଏହିଭଳି ଏକ ବିରଳ ସଂଯୋଜନାର ପରିକଳ୍ପନା କରିଥିଲେ । ସେହି ପରିକଳ୍ପନାଟି ଅତ୍ୟନ୍ତ ଚମତ୍କାର ଥିଲା । ମାତ୍ର ଦେଶର ପ୍ରଚଳିତ ଜଳବାୟୁ ଏଥିପାଇଁ ଉତ୍ସାହପ୍ରଦ ଉଦ୍ଦୀପନା ଯୋଗାଇ ପାରିନଥିଲା । (ନବଜୀବନ-୨୩.୯.୧୯୨୮)
ଏହି ଲେଖାଟିକୁ ମହାତ୍ମାଗାନ୍ଧୀ ଟଲଷ୍ଟୟଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଗୁଜୁରାଟୀ ଭାଷାରେ ରଚନା କରି ନବଜୀବନ ପତ୍ରିକାରେ ପ୍ରକାଶ କରିଥିଲେ ।
ଓଡ଼ିଶାର ଡେଲାଙ୍ଗଠାରେ ଭାଷଣ:- ମଧୁସୂଦନ ଦାସ ଏହିପରି ପ୍ରକାଶ କରୁଥିଲେ ଯେ, ପଶୁ ଓ ମଣିଷମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଭେଦ ହେଉଛି, ସେମାନଙ୍କର ଦେହର ଅବୟବର ଗଠନ ପ୍ରଣାଳୀ । ମଣିଷର ହାତ ଓ ପାଦ ରହିଛି ଓ ତାହା ସହିତ ସଂଯୁକ୍ତ ହୋଇ ରହିଛନ୍ତି ସୃଜନଶୀଳ ନମନୀୟ ଅଂଗୁଳିଗୁଡ଼ିକ । ଆଉ ମଣିଷ ସେହି ଅଂଗୁଳିଗୁଡ଼ିକୁ ବୁଦ୍ଧିମତ୍ତାର ସହ କଳାରେ ସାମଗ୍ରିକ ଭାବରେ ସୃଜନର ନିଦର୍ଶନ ନଦେଇ କେବଳ କୃଷି ଉପରେ ଯଦି ନିର୍ଭର କରି ରହେ, ତାହାହେଲେ ଭଗବାନ ପ୍ରଦତ୍ତ ନିପୁଣତାରେ ପରିପୂର୍ଣ୍ଣ ଅଂଗୁଳିଗୁଡ଼ିକୁ ସଦ୍‌ବ୍ୟବହାର କରାଗଲା ବୋଲି କୁହାଯାଇପାରିବ କି ? ଆହୁରି ମଧ୍ୟ କୃଷି ଆମ୍ଭମାନଙ୍କୁ ସ୍ୱାବଲମ୍ବୀ କରିପାରିବ ନାହିଁ, ଯଦି ତାହା ସହିତ ହାତର ଅଂଗୁଳିଗୁଡ଼ିକ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ସଂଯୁକ୍ତ ନହୁଏ । ଆମ୍ଭେମାନେ ଏହି ପ୍ରଦର୍ଶନୀରେ ଦେଖିପାରିବା, କିପରି ହାତର ସୃଷ୍ଟିଶୀଳ ଅଂଗୁଳିମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥ ରାଶିର ବିକ୍ରୟଲବ୍ଧ ଅର୍ଥ କୃଷିର ଆୟ ସହିତ ଯୁକ୍ତ ହୋଇପାରିବ । ମୁଁ ଆପଣମାନଙ୍କୁ ଏହି ପ୍ରଦର୍ଶନୀକୁ ବାରମ୍ବାର ପ୍ରଦର୍ଶନ କରିବାପାଇଁ ନିବେଦନ କରୁଛି, ଯେପରି ଆପଣମାନେ ସ୍ୱ ନିର୍ବାଚିତ ଏକ ହସ୍ତଶିଳ୍ପକୁ ଗ୍ରହଣ କରି ଏହି ଭୂମିକୁ ଦାରିଦ୍ର୍ୟର ଶୃଙ୍ଖଳରୁ ମୁକ୍ତ କରିପାରିବେ । (ହରିଜନ- ୨.୪.୧୯୩୮)
ଏହାଥିଲା ତେଲାଙ୍ଗରେ ୧୯୩୮ ସାଲର ମାର୍ଚ୍ଚ ଶେଷ ସପ୍ତାହରେ ଗାନ୍ଧୀ ସେବାସଂଘର ଚତୁର୍ଥବାର୍ଷିକୀ ଅଧିବେଶନରେ ଗାମ୍ୟଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟନ ଅବସରରେ ମହାତ୍ମାଗାନ୍ଧୀଙ୍କ ପ୍ରଦତ୍ତ ଅବିସ୍ମରଣୀୟ ଅଭିଭାଷଣର ଅନ୍ତିମ ଅଂଶ ।

ଆମ ମଧୁସୂଦନ ୨୦୩