ପୃଷ୍ଠା:Aama Madhusudan.pdf/୨୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କୁ ପ୍ରେରିତ
ଗାନ୍ଧିଜୀଙ୍କ ପତ୍ରାବଳୀ


ମହାତ୍ମାଗାନ୍ଧୀଙ୍କ ସହିତ ମଧୁସୂଦନ ଦାସଙ୍କର ବ୍ୟକ୍ତିଗତ ସଂପର୍କ ଗଢ଼ି ଉଠିଥିଲା ୧୯୨୦ ସାଲରୁ ୧୯୨୮ ସାଲ ମଧ୍ୟରେ । ଏହି ସ୍ୱଳ୍ପକାଳ ମଧ୍ୟରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କୁ ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ପତ୍ର ଲେଖିଥିଲେ । ମଧୁସୂଦନ ମନ୍ତ୍ରୀପଦକୁ ଅବୈତନିକ କରିବା ଦାବିରେ ଇସ୍ତଫା ପ୍ରଦାନ ପରେ ୧୭.୨.୧୯୨୪ରେ ପାଟନାରେ ଶ୍ରମର ମର୍ଯ୍ୟାଦା ଉପରେ ଯେଉଁ ବକ୍ତୃତା ପ୍ରଦାନ କରିଥିଲେ, ତାହା ମହାତ୍ମାଗାନ୍ଧୀଙ୍କ ଚେତନାକୁ ବିଶେଷ ଭାବେ ଆକର୍ଷିତ କରିଥିଲା, ଯାହାର ସବିଶେଷ ଉଲ୍ଲେଖ ମହାତ୍ମାଗାନ୍ଧୀ “ୟଙ୍ଗ୍ ଇଣ୍ଡିଆ” ପତ୍ରିକାରେ କରିଥିଲେ । ଜେଲ୍‌ରୁ ଖଲାସ ହୋଇ ମହାତ୍ମାଗାନ୍ଧୀ ୪.୨.୧୯୨୪ରୁ ସାବରମତୀଠାରେ ଅବସ୍ଥାନ କରୁଥିବାବେଳେ ମଧୁସୂଦନ ସେହି ବର୍ଷ ସାବରମତୀ ଆଶ୍ରମରେ ତାଙ୍କୁ ଭେଟି ନିଜର ମତାଦର୍ଶ ତଥା ଦେଶର ସାମଗ୍ରିକ ଉନ୍ନୟନ ସଂପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ, ଯାହା ଗାନ୍ଧୀଙ୍କ ଚିନ୍ତାରାଜ୍ୟକୁ ଗଭୀର ଭାବେ ଆଲୋଡ଼ିତ କରିଥିଲା । ଗାନ୍ଧିଜୀଙ୍କ ସହିତ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ସ୍ଥାପନାର ଆଲୋଚନା ଅବକାଶରେ ଦଳିତମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସଂସ୍ଥାପନ କରିବା ଉଦ୍ଦେଶ୍ୟରେ କଟକରେ ସର୍ବାଧୁନିକ କୌଶଳରେ ପ୍ରତିଷ୍ଠିତ ଉତ୍କଳ ଟାନେରି ପରିଦର୍ଶନ ପାଇଁ ନିମନ୍ତ୍ରଣ ଜଣାଇଲେ । ଚିତ୍ତରଂଜନ ଦାସଙ୍କର ପରଲୋକ ପରେ କଲିକତା ଆଗମନ ଅବକାଶରେ ମହାତ୍ମାଗାନ୍ଧୀ ଜାମସେଦପୁର ଯାଇ ସିଂହଭୂମିରେ ଓଡ଼ିଆମାନଙ୍କ ସ୍ଥିତି ସଂପର୍କରେ ଅନୁଧ୍ୟାନ କରି ସିଂହଭୂମିକୁ ଓଡ଼ିଶା ସହ ମିଶ୍ରଣ ଲାଗି ଆପାତତଃ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଏହାପରେ କଲିକତାରେ ଅବସ୍ଥାନ କରିବା ସମୟରେ କଟକ ପରିଦର୍ଶନପାଇଁ ମଧୁସୂଦନଙ୍କୁ ଟେଲିଗ୍ରାମ ପ୍ରେରଣ କରିଥିଲେ । ସେହି ଟେଲିଗ୍ରାମର ଉତ୍ତର ପାଇବା ପରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କୁ ନିମ୍ନଲିଖିତ ପତ୍ରଟି ଲେଖିଥିଲେ ।

୨୦୪ ଆମ ମଧୁସୂଦନ