ପୃଷ୍ଠା:Aama Madhusudan.pdf/୨୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରାଯାଉଥିବା ବ୍ୟବହାର୍ଯ୍ୟ ସାମଗ୍ରୀଯଥା- ଭେନିଟି ବ୍ୟାଗ୍ ସମେତ ବିଭିନ୍ନ ପ୍ରକାର ବ୍ୟାଗ୍, ବେଲ୍‌ଟ, ଚମଡ଼ା, ଜ୍ୟାକେଟ୍, ଶିରସ୍ତ୍ରାଣ, ଟୋପି, କାନ୍ଥକୁ ସଜାଇବା ପାଇଁ ଚାରୁକଳା ସନ୍ନିବେଶିତ ବିଭିନ୍ନ ସାମଗ୍ରୀ । କାରିଗରଙ୍କ ହସ୍ତ ଅଂଗୁଳିର ଯାଦୁକରୀ ସ୍ପର୍ଶଦ୍ୱାରା ସୃଷ୍ଟ ଏହି ବିସ୍ମୟକର ବସ୍ତୁରାଜି ଦେଖି ଗାନ୍ଧିଜୀ ବିସ୍ମୟାଭିଭୂତ ହୋଇପଡ଼ିଲେ । ତାଙ୍କ ପଛରେ ସମସ୍ତଙ୍କ ଅଲକ୍ଷରେ ଦଣ୍ଡାୟମାନ ହୋଇ ରହିଥିଲେ ମଧୁସୂଦନ, ଯାହାଙ୍କର ଅଲଂଘ୍ୟ ବିଦ୍‌ବତ୍ତା ଆଉ ରସାଣିତ ପ୍ରଜ୍ଞା ଏହି ଅଦ୍‌ଭୂତ ଚମତ୍କାରିତା ସଂପାଦନ କରିଥିଲା ।
ଅବଶେଷରେ ମହାତ୍ମାଗାନ୍ଧୀ ପହଞ୍ଚିଲେ ସେହି ବୈଚିତ୍ରୀମୟ ଅଭ୍ୟର୍ଥନା ମଣ୍ଡପରେ । ଏହି ଅଭ୍ୟର୍ଥନା ସଭାରେ ଓଡ଼ିଶାରେ ବୁଦ୍ଧିଜୀବୀ ଗୋଷ୍ଠୀଙ୍କ ସହ ଏକ ଶହ କୁଶଳୀ ମୋଚି କାରିଗର ଆଉ ପାରଦର୍ଶିତା ଅର୍ଜନ କରିଥିବା ତିନିଶହ ମେହନ୍ତର ଯୋଗ ଦେଇଥିଲେ । ସେହି ଶ୍ରମଜୀବୀଙ୍କ ପକ୍ଷରୁ ଜଣେ ଉଦୀୟମାନ ମେହନ୍ତର ତରୁଣ ତାହାର ସୁକୁମାର କଣ୍ଠରେ ମାନପତ୍ର ପାଠକରି ମହାତ୍ମାଗାନ୍ଧୀଙ୍କୁ ସମ୍ବର୍ଧିତ କରିଥିଲା, ତାହାର ପ୍ରଭାବ ବେଶ୍ ଗମ୍ଭୀର ଥିଲା ।
ଏହି ତାତ୍ପର୍ଯ୍ୟପୂର୍ଣ୍ଣ ଐତିହାସିକ ପରିଦର୍ଶନ କାଳରେ ମହାତ୍ମାଗାନ୍ଧୀ ଅନୁଧ୍ୟାନ କରିଥିଲେ ଯେ, ଗୋଟିଏ ଦିଗରେ ସେ ଯୁଗର ସର୍ବାଧୁନିକ ଯାଂତ୍ରିକ ଓ ରାସାୟନିକ ପ୍ରଣାଳୀରେ ପ୍ରସ୍ତୁତ ହୋଇ ରହିଛି ବିଶ୍ୱମାନର ଚମଡ଼ାରେ ପ୍ରସ୍ତୁତ ବିଭିନ୍ନ ବସ୍ତୁ ଓ ଅନ୍ୟଦିଗରେ ରହିଛି ସ୍ୱଦେଶୀ ହସ୍ତଶିଳ୍ପ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ଜୋତା ଆଉ ଭିନ୍ନଭିନ୍ନ କଳାନୈପୁଣ୍ୟବିମଣ୍ଡିତ ରୁଚିପୂର୍ଣ ବସ୍ତୁରାଜି । ଏହାହିଁ ମହାତ୍ମାଗାନ୍ଧୀଙ୍କ ଚିନ୍ତାରାଜ୍ୟକୁ ଗଭୀର ଭାବେ କେବଳ ଆଲୋଡ଼ିତ କରିନଥିଲା, ତାଙ୍କର ସ୍ୱଦେଶୀ ଶିଳ୍ପର ପରିକଳ୍ପନାରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା ।
ଏହିଠାରେ ଅନୁଧ୍ୟାନ କରିବାର କଥା ଯେ ମଧୁସୂଦନଙ୍କ ଯାଦୁକରୀ ଚିନ୍ତା ଓ ପରିକଳ୍ପନା, ବିଦ୍‌ବତ୍ତା ଓ ବୁଦ୍ଧିମତ୍ତାର ଅପୂର୍ବ ସଂସ୍ପର୍ଶରେ ଆସି ମହାତ୍ମାଗାନ୍ଧୀ ତାଙ୍କ ପ୍ରଣୋଦିତ ସ୍ୱଦେଶୀ ଶିଳ୍ପନୀତିର ଆଭିମୁଖ୍ୟରେ କେବଳ ଏକ ବିରାଟ ପରିବର୍ତ୍ତନ ଆଣି ନଥିଲେ, ଦଳିତ ଜାତିର ଆର୍ଥିକ ସଂସ୍ଥାପନ କ୍ଷେତ୍ରରେ ଟ୍ୟାନିଂ ବା ଚମଡ଼ା କଷେଇବାକୁ ତାଙ୍କ ରଚନାତ୍ମକ କାର୍ଯ୍ୟର ଏକ ବିଧିବଦ୍ଧି ଅଂଶ ରୂପେ ଗ୍ରହଣ କରିଥିଲେ ।
ହଁ, ଏହିଠାରେ ହିଁ ରହିଛି ମଧୁସୂଦନଙ୍କ ଉଦ୍ଦାମ ବ୍ୟକ୍ତିତ୍ୱ ଓ ପ୍ରଖର ବୁଦ୍ଧିମତ୍ତାର ପରିପ୍ରକାଶ, ଯହିଁରେ ସମନ୍ୱିତ ରହିଥିଲା ପରିକଳ୍ପନା, ପର୍ଯ୍ୟବେକ୍ଷଣ ସହିତ ଦୂରଦୃଷ୍ଟିର ଅପୂର୍ବ ସମନ୍ୱୟ ଏବଂ ପ୍ରୟୋଗ । ଯଥାର୍ଥରେ ଗାନ୍ଧିଜୀଙ୍କ ଉପରେ ମଧୁସୂଦନ ଛାଡ଼ିଦେଇଥିଲେ ଏକ ଗଭୀର ପ୍ରଭାବ ।
(ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମହେନ୍ଦ୍ର ମୋହନ ମହାନ୍ତିଙ୍କ ସହିତ ବାର୍ତ୍ତାଳାପ ଓ ମହାତ୍ମାଗାନ୍ଧୀଙ୍କର ରଚନାବଳୀ ଉପରେ ଆଧାରିତ ।)

୨୧୦ ଆମ ମଧୁସୂଦନ