ପୃଷ୍ଠା:Aama Madhusudan.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ ଭାରତରେ କାର୍ଯ୍ୟକାରୀ ହେବାର ବହୁ ପୂର୍ବରୁ ମଧୁସୂଦନ ସେହି ବୈପ୍ଳବିକ କାର୍ଯ୍ୟକ୍ରମଗୁଡ଼ିକର ରୂପାୟନ କରିଥିଲେ ଓଡ଼ିଶା ମାଟିରେ । ସେଥି ମଧ୍ୟରୁ ପ୍ରଧାନ ହେଲା, ସ୍ୱଦେଶୀ ଓ ଗ୍ରାମ୍ୟ ଶିଳ୍ପ ଆନ୍ଦୋଳନ(୧୮୯୬-୧୯୨୩), ଲବଣ କରହ୍ରାସ ଓ ଉତ୍ପାଦନର ସଂରକ୍ଷଣ (୧୮୯୬), ଅସ୍ପୃଶ୍ୟତା ନିବାରଣ (୧୯୦୫), ହିନ୍ଦୁ-ମୁସଲମାନ ଏକତା (୧୮୮୮), ତନ୍ତଶିଳ୍ପର ଉନ୍ନୟନ (୧୯୦୫),ଚରଖା ପ୍ରଚଳନ (୧୯୦୦), ତାରକସି ଶିଳ୍ପ ପ୍ରତିଷ୍ଠାନ (୧୮୯୭), ତାଳଗୁଡ଼ ଉଦ୍ୟୋଗ(୧୯୦୪) ଆଦି ବହୁ ଆଗୁଆ କାର୍ଯ୍ୟକ୍ରମ । ଏ ସମସ୍ତ ଥିଲା ବ୍ରିଟିଶ୍‍ ସାମ୍ରାଜ୍ୟବାଦ ବିରୋଧରେ ଅଘୋଷିତ ନୀରବ ସଂଗ୍ରାମ ।
ସେ ସମୟରେ ସାର୍‍ ହ୍ୟାଗ୍‍ ମ୍ୟାକ୍‍ଫରସନ୍‍, ବିହାରର ପ୍ରାକ୍ତନ ଗଭର୍ଣ୍ଣରଙ୍କ ପରି ବହୁ ଇଂରେଜ ପ୍ରଶାସକ ଲେଖିଛନ୍ତି, କୃଷକମାନଙ୍କର ସ୍ୱାର୍ଥ ଓ ସ୍ୱତ୍ତ୍ୱ ସୁରକ୍ଷିତ ରଖିବାଲାଗି ମଧୁସୂଦନ ଥିଲେ ଜଣେ ଅନମନୀୟ ସାଲିସ୍‍ ବିହୀନ ସଂଗ୍ରାମୀ । ଓଡ଼ିଶା ଭଳି କୃଷି ପ୍ରଧାନ କ୍ଷେତ୍ରରେ କୃଷକଙ୍କର ଅଧିକାର ଓ ସ୍ୱତ୍ତ୍ୱ ସୁରକ୍ଷାଲାଗି ସେ ଗଢ଼ିଥିଲେ ପ୍ରଜା ପରିଷଦ (୧୯୦୯), ଯହିଁରେ ଉତ୍କଳମଣି ଗୋପବଂଧୁ ସଂପାଦକ ରୂପେ ଅବସ୍ଥାପିତ ହୋଇଥିଲେ । ଆଉ ୧୯୧୨ ସାଲରେ ବଙ୍ଗର ବ୍ୟବସ୍ଥାପକ ସଭାରେ ଉଗ୍ର ଶୋଷଣଭିତ୍ତିକ ପ୍ରଜାସ୍ୱତ୍ତ୍ୱ ବିଲ୍‍ର ତୀବ୍ର ପ୍ରତିବାଦ ସହ କଲିକତାରେ ଓଡ଼ିଆ କୃଷକମାନଙ୍କ ବିପୁଳ ସମାବେଶରେ ସରକାରଙ୍କୁ ଦୃଢ଼ ଚେତାବନୀ ଦେବା ଫଳରେ, ବିଲ୍‍ଟି ବଡ଼ଲାଟ ଲଡର଼୍ହାଡ଼ିଞ୍ଜ୍‍ଙ୍କଦ୍ୱାରା ଅଗ୍ରାହ୍ୟ ହୋଇଯାଇଥିଲା । ଏହା ଭାରତୀୟ ସାମ୍ବିଧାନିକ ଇତିହାସରେ ଏକ ବଳିଷ୍ଠ ବ୍ୟତିକ୍ରମର ନଜିର ରୂପେ ପ୍ରତିଷ୍ଠା ଲାଭ କରିଛି ।
ମଧୁସୂଦନଙ୍କର ଜୀବନବ୍ୟାପୀ ସଂଗ୍ରାମ ଫଳରେ, ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇପାରିଲା । ଭାରତୀୟ ନାରୀମାନେ ପାଇଥିଲେ ଆଇନଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାର ୧୯୨୩ ସାଲରେ । ଓଡ଼ିଶାର ଆଧ୍ୟାତ୍ମିକତାର ମୂଳ ପାଠ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ଇଂରେଜ ସରକାରଙ୍କର ଅଧିକାରକୁ ପ୍ରତିହତ କରିଥିଲେ ମଧୁସୂଦନ (୧୮୮୭) ଆଇନଗତ ସଂଗ୍ରାମରେ, ଯେଉଁଥିପାଇଁ ସମଗ୍ର ଓଡ଼ିଆ ଜାତି ତାଙ୍କ ନିକଟରେ କୃତଜ୍ଞ ରହିବ ।
ଏହାଛଡ଼ା ମଧୁସୂଦନ ଥିଲେ ସେ ଯୁଗର ଗଡ଼ଜାତ ଶାସନ ବ୍ୟବସ୍ଥାର ଦୃଢ଼ ସମାଲୋଚକ ।ଗଡ଼ଜାତଗୁଡ଼ିକର ଜିଲ୍ଲା ପ୍ରଶାସନ ସହିତ ମିଶ୍ରଣ ଲାଗି ସେ ଦୃଢ଼ ମତ ପ୍ରକାଶ କରିଥିଲେ । ଓଡ଼ିଶାରେ ବନ୍ୟା ଦୁର୍ଗତ ତଥା ମରୁଡ଼ି ପ୍ରପୀଡ଼ିତ ଭୋକିଲା ଲୋକଙ୍କର ସେବାଲାଗି ଧୁସୂଦନଙ୍କରଭୂମିକା ଥିଲା ଅବିସ୍ମରଣୀୟ ।
ଓଡ଼ିଆ ଜାତିକୁ ସଂସ୍ଥାପିତ କରିବାପାଇଁ ତାଙ୍କର ମହନୀୟ ଅବଦାନର ପୂର୍ଣ୍ଣ ଆକଳନ କରିବା ସମ୍ଭବ ନୁହେଁ । କାରଣ ତାଙ୍କ କାର୍ଯ୍ୟର ପରିସର ପ୍ରସାରିତ ହୋଇଥିଲା ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ, ଯହିଁରେ ସେ ଉଦ୍‍ଭାସିତ ହୋଇ ଉଠିଥିଲେ ପ୍ରଖର ସୂର୍ଯ୍ୟର ଆଲୋକ ପରି । ତେଣୁ ସେ ଥିଲେ ଶତାବ୍ଦୀର ସୂର୍ଯ୍ୟ । ହେଲେ ପ୍ରତିଦାନରେ ଜାତି ତାଙ୍କୁ କଣ ବା ଦେଇଛି?

 ଆମ ମଧୁସୂଦନ ୨୨