ପୃଷ୍ଠା:Aama Madhusudan.pdf/୨୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ୧୯୦୫ ସାଲରେ ଉତ୍କଳ ଟାନେରିର ସ୍ଥାପନା କରିଥିଲେ । ଏହି କଳ ଆଉ ଯନ୍ତ୍ରପାତି ବିଦ୍ୟୁତ୍ ଆଉ ଗ୍ୟାସ୍ ଶକ୍ତିଦ୍ୱାରା ସଂଚାଳିତ ହେଉଥିଲା । ଏହାକୁ ଚଳାଇବାପାଇଁ ଜର୍ମାନୀରୁ ବିଦେଶୀ ଇଂଜିନିୟର ଆଉ ବିଶେଷଜ୍ଞଙ୍କୁ ଆଣି ନିଯୁକ୍ତି ଦେଇଥିଲେ । ଏହି ଚ୍ୟାନେରିରେ ୧୦୦ ମୋଚି ଆଉ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ମେହେନ୍ତର କାର୍ଯ୍ୟ କରୁଥିଲେ । ଏହା ଦଳିତ ଜାତିର ଆର୍ଥିକ କ୍ଷେତ୍ରରେ ସଂସ୍ଥାପନ ପାଇଁ ସମଗ୍ର ଭାରତର ବୃହତ୍ତମ ପ୍ରକଳ୍ପ ଥିଲା ।
ଏହି ଉତ୍କଳ ଟ୍ୟାନେରି ସ୍ଥାପନାର କୋଡ଼ିଏ ବର୍ଷ ପରେ ମହାତ୍ମାଗାନ୍ଧୀ ୧୯୨୫ ସାଲରେ ଏହାକୁ ପରିଦର୍ଶନ କରି ହତଚକିତ ହୋଇ ଯାଇ ଥିଲେ । ମହାତ୍ମାଗାନ୍ଧୀଙ୍କର ଅଧ୍ୟୟନ କ୍ଷେତ୍ର ଥିଲା ଇଂଲାଣ୍ଡ ଓ ଶିଳ୍ପ ବହୁଳ ନଗର ଲଣ୍ଡନ । ସେ କିଛି ପରିମାଣରେ ଯାନ୍ତ୍ରିକ ଶିଳ୍ପ ପ୍ରକ୍ରିୟା ସଂପର୍କରେ ଅବହିତ ଥିଲେ । ଏହି ଶିଳ୍ପର ପ୍ରକ୍ରିୟା ମଧ୍ୟ ଅବାରିତ ଭାବରେ ପ୍ରୟୋଗ ହୋଇଥିଲା ଦକ୍ଷିଣ ଆଫ୍ରିକାର ବହୁ କଳକାରଖାନାରେ । ଉତ୍କଳ ଟ୍ୟାନେରି ପରିଦର୍ଶନ କରି ମହାତ୍ମାଗାନ୍ଧୀ ଅବହିତ ହେଲେ ଯେ ଦଳିତ ଜାତିକୁ ଆର୍ଥିକ କ୍ଷେତ୍ରରେ ସଂସ୍ଥାପନ ପାଇଁ ଚମଡ଼ା କଷେଇ ବା ଟ୍ୟାନେରି ଗୋଟିଏ ଉପଯୁକ୍ତ ମାଧ୍ୟମ । ଏ କ୍ଷେତ୍ରରେ ମଧୁସୂଦନ ଯେଉଁ ଅଗ୍ରଗାମୀ ଭୂମିକାରେ ଅବତୀର୍ଣ୍ଣ ଥିଲେ ତାହା ଅତୁଳନୀୟ ଥିଲା । ମହାତ୍ମାଗାନ୍ଧୀଙ୍କୁ ଏହା ଗଭୀର ଭାବରେ ସ୍ତମ୍ଭୀଭୂତ କରିଥିଲେ ମଧ୍ୟ ତାଙ୍କୁ ଏକ ଅଲଂଘ୍ୟ ସମସ୍ୟାର ମୁକାବିଲା କରିବାକୁ ପଡ଼ିଥିଲା । ଉତ୍କଳ ଟ୍ୟାନେରି ଉତ୍ପାଦନର ବହୁ ବିଭାଗ ହସ୍ତ ଚାଳନା ପ୍ରକ୍ରିୟାରେ ସମନ୍ୱିତ ଥିଲେ ମଧ୍ୟ ମୂଳ ଟ୍ୟାନିଂ ବା ଚମଡ଼ା କଷେଇ ବିଧି, ଅତ୍ୟନ୍ତ ସୂକ୍ଷ୍ମ ଯାନ୍ତ୍ରିକ କୌଶଳ ପ୍ରକ୍ରିୟାରେ ସମାହିତ ହେଉଥିଲା । ଏହା କ'ଣ ସ୍ବଦେଶୀ ଶିଳ୍ପାୟନ ପ୍ରକ୍ରିୟାର ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇପାରିବ ? ଏହି ଚିନ୍ତା ମହାତ୍ମାଗାନ୍ଧୀଙ୍କୁ ବହୁକାଳ ଧରି ଆକ୍ରାନ୍ତ କରିଥିଲା । ଆଉ ସାବରମତୀ ଆଶ୍ରମରେ ଏହିଭଳି ଏକ କ୍ଷୁଦ୍ର ଟ୍ୟାନେରି ପ୍ରତିଷ୍ଠାପାଇଁ ସେ କୃତ ସଂକଳ୍ପ ଥିଲେ । ମାତ୍ର ଏହି ଟ୍ୟାନିଂ ବା ଚମଡ଼ା କଷେଇ ପ୍ରକ୍ରିୟା ଅତ୍ୟାଧୁନିକ ଯାନ୍ତ୍ରିକ ଶିଳ୍ପୀକରଣର ପ୍ରକ୍ରିୟା ବ୍ୟତୀତ ସ୍ବଦେଶୀ ଶିଳ୍ପାୟନର ପ୍ରକ୍ରିୟାରେ ସହଜ ସାଧ୍ୟ ଆଉ ଲାଭଦାୟକ ବିବେଚିତ ହୋଇଥିଲା । ଏ ସଂପର୍କରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କ ସହିତ ବ୍ୟାପକ ଆଲୋଚନା ଆଉ ବାର୍ତ୍ତାଳାପ କରିଥିଲେ ।
ଅନ୍ୟ ଦିଗରେ ମଧୁସୂଦନ ମହାତ୍ମାଗାନ୍ଧୀଙ୍କୁ ସୂଚାଇ ଥିଲେ ଯେ ଭାରତରୁ ପ୍ରାୟ ନଅକୋଟି ଟଂକାର ମୃତ ଗାଈ ଗୋରୁଙ୍କ ଛାଲ ସବୁ ବିଦେଶକୁ ରପ୍ତାନି ହେଉଛି । ଏବଂ ସେଥିରୁ ପ୍ରସ୍ତୁତ ବ୍ୟବହାରଯୋଗ୍ୟ ପଦାର୍ଥ ରୂପେ ପୁନରାୟ କିଛି ପରିମାଣରେ ଆମ ଦେଶକୁ ଆମଦାନି ହେଉଛି । ମହାତ୍ମାଗାନ୍ଧୀଙ୍କର ଏ କ୍ଷେତ୍ରରେ ଅନୁସନ୍ଧିତ୍ସା ଆଉ ପର୍ଯ୍ୟାଲୋଚନା କିଛିକାଳ ପର୍ଯ୍ୟନ୍ତ ବ୍ୟାପ୍ତ ରହିଲା । ଅବଶେଷରେ ମହାତ୍ମାଗାନ୍ଧୀ ଏହି ସମସ୍ୟା ସମାଧନର ଅନ୍ବେଷଣରେ ଉତ୍କଳ ଟ୍ୟାନେରି ପରିଦର୍ଶନର ଆଧାରରେ ସେ ସଂପକୀୟ ସ୍ବୟଂସଂପୂର୍ଣ୍ଣ ନିଷ୍ପତ୍ତିରେ ପହଞ୍ଚିଥିଲେ । ଏଥିପାଇଁ ସେ ମଧୁସୂଦନ ଦାସଙ୍କୁ ଏହାର ଶ୍ରେୟ ପ୍ରଦାନ କରିଛନ୍ତି । ମହାତ୍ମାଗାନ୍ଧୀ ଏହି ସଂପର୍କିତ ଲେଖାଟି ୧୯.୭.୧୯୨୭ରେ ନବଜୀବନ ପତ୍ରିକାରେ ସ୍ବଦେଶୀ ଆଉ ବିଦେଶୀ ଶୀର୍ଷକରେ ପ୍ରକାଶ କରିଛନ୍ତି । ସେହିଁ ଲେଖାର ଭାବାନୁବାଦ ନିମ୍ନରେ ପ୍ରଦତ୍ତ ହେଲା ।

୨୧୨ ଆମ ମଧୁସୂଦନ