ସ୍ୱଦେଶୀ ଆଉ ବିଦେଶୀ
ବହୁ କୋଟି କାର କଞ୍ଚାମାଲ୍ ଆମଦେଶରେ ଉତ୍ପାଦିତ ହେଉଛି । ମାତ୍ର ଗଭୀର ଅବସାଦ ଆଉ ପ୍ରବଞ୍ଚନାର ବିଷୟ ଏହି ଯେ; ଆମ୍ଭମାନଙ୍କର ଅଜ୍ଞତା, ନିଶ୍ଚେଷ୍ଟତା, ଆଳସ୍ୟ ଆଉ ସର୍ବୋପରି ଉଦ୍ଭାବନର ସ୍ଥାଣୁତାଯୋଗୁଁ ବହୁ ପରିମାଣରେ ଏଗୁଡିକ ବିଦେଶକୁ ରପ୍ତାନି ହୋଇ ଯାଉଛି ।
ଶେଷରେ ସେ କହିଛନ୍ତି ଯେ, ଆମେମାନେ ପଶୁମାନଙ୍କ ପରି ଅଜ୍ଞତା ମଧ୍ୟରେ ନିବଦ୍ଧ ରହୁ, ଆମ୍ଭମାନଙ୍କର ହାତଗୁଡ଼ିକ କଳା ନୈପୁଣ୍ୟ ଆଉ କୌଶଳର ପ୍ରୟୋଗ କ୍ଷେତ୍ରରେ ପ୍ରଶିକ୍ଷିତ ହୁଅନ୍ତି ନାହିଁ । ଆଉ ମସ୍ତିଷ୍କ ମଧ୍ୟ ଯେପରି ବିକଶିତ ହେବାର କଥା ସେହିପରି ହୁଏନାହିଁ । ଅବଶେଷରେ ଅତୀବ ପ୍ରାଣବନ୍ତ କଳା ଆଉ ତହିଁର ପାରଦର୍ଶିତା ଆମର ଦେଶରୁ ଲୋପ ପାଇଯାଇଛି । ଆଉ ଆମେ କେବଳ ପାଶ୍ଚାତ୍ୟର ଅନ୍ଧାନୁସରଣ କରି ସନ୍ତୁଷ୍ଟ ହୋଇ ରହିଛୁ ।
ଯେଉଁ ପର୍ଯ୍ୟନ୍ତ ଆମ୍ଭେମାନେ ମୃତ ଗାଈଗୋରୁଙ୍କର ନଅକୋଟି ଟଂକାର ଛାଲକୁ କଷେଇବାପାଇଁ ବ୍ୟବହାରଯୋଗ୍ୟ କଳକବ୍ଜା ଓ ଯନ୍ତ୍ରପାତି ତିଆରି କରିପାରି ନାହୁଁ, ମୁଁ କଳକବ୍ଜା ବା ଯନ୍ତ୍ରପାତି ପୃଥିବୀର ଯେ କୌଣସି ଅଂଚଳରୁ ଆମଦାନି କରିବାକୁ ପ୍ରସ୍ତୁତ ଅଛି । ଆଉ ଏହି ପରି କରିବା ସହିତ ମୁଁ ବିଶ୍ବାସ କରେ ଯେ, ଏହା ସହିତ ମୁଁ ସ୍ବଦେଶୀ ବ୍ରତର ପାଳନ କରିବାପାଇଁ ଯେଉଁ ପ୍ରତିଜ୍ଞା ଗ୍ରହଣ କରିଛି ତାହାର ସାମାନ୍ୟ ମାତ୍ର ବିରୁଦ୍ଧାଚରଣ କରୁନାହିଁ, ଅନ୍ୟ ଦିଗରେ ତାହାକୁ ପରିପୂର୍ଣ୍ଣ ଭାବରେ ପାଳନ କରୁଛି । ଅନ୍ୟ ପକ୍ଷରେ ଏହିପରି କଳକବ୍ଜା ସବୁକୁ ଆମଦାନି କରିବାକୁ ଯଦି ମୁଁ ପ୍ରତ୍ୟାଖ୍ୟାନ କରେ ତେବେ ବୁଝିବି ଯେ, ମୋର ଚରମ ଅବୋଧତା ଯୋଗୁଁ ମୁଁ ଏହିପରି ନିଷେଧାତ୍ମକ କାର୍ଯ୍ୟ କରୁଛି ।
ଏହାଥିଲା ମହାତ୍ମାଗାନ୍ଧୀଙ୍କର ରଚିତ "ସ୍ୱଦେଶୀ ଆଉ ବିଦେଶୀ" ନିବନ୍ଧର କିଛି ନିର୍ବାଚିତ ଅଂଶର ଭାବାନୁବାଦ । ଏହା ଥିଲା ସମସ୍ୟା ସମାଧାନର ଉଦାତ୍ତ ଉତ୍ତର ଯାହା ଗବେଷେଣାର ଆଧାରରେ ଉପଲବ୍ଧ ହୋଇଥିଲେ ମଧ୍ୟ ଏଥିରେ ମଧୁସୂଦନଙ୍କର କ୍ରାନ୍ତିକାରୀ ଭୂମିକା ଥିଲା ଅନସ୍ବୀକାର୍ଯ୍ୟ । ମଧୁସୂଦନ ହିଁ ମହାତ୍ମାଗାନ୍ଧୀଙ୍କର ସ୍ବଦେଶୀ ବ୍ରତ ପାଳନର ସୀମାବଦ୍ଧତା ଆଉ ସଂକୀର୍ଣ୍ଣତାର ଉର୍ଦ୍ଧ୍ୱକୁ ଉତ୍ତୋଳିତ କରି ଆବଶ୍ୟକ କ୍ଷେତ୍ରରେ କୁଶଳୀ କଳକବ୍ଜା ସମନ୍ବିତ ବୃହତ ଶିଳ୍ପକୁ ସ୍ୱଦେଶୀ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିଥିଲେ । ମଧୁସୂଦନଙ୍କର ପ୍ରଖର ବୁଦ୍ଧିମତ୍ତାର ଆଧାରରେ ଏହିପରି ଭାବରେ ଗାନ୍ଧିଜୀ ଏକ ଦୁର୍ବାର ଅସମାହିତ ବିରୋଧାଭାସ ସଂପର୍କିତ ସମସ୍ୟାର ନିଶ୍ଚିତ ସମାଧାନର ଦ୍ବାରଦେଶରେ କେବଳ ଉପନୀତ ହୋଇ ନଥିଲେ, ଆଗାମୀଯୁଗ ଲାଗି ଉଦାତ୍ତ ସମୃଦ୍ଧିର ମାର୍ମିକ ପ୍ରତିଶ୍ରୁତି ବହନ କରୁଥିବା ଏକ ଗରିମାମୟ ଭବିଷ୍ୟତର ପରିକଳ୍ପନା କରି ଚାଲିଥିଲେ ।
ଏହାହିଁ ହେଉଛି ମଧୁସୂଦନଙ୍କର ଗାନ୍ଧିଜୀଙ୍କ ପ୍ରତି ପ୍ରଦର୍ଶିତ ମହିମାନ୍ୱିତ ମାର୍ଗଦର୍ଶନର ମର୍ମଗାଥା ।
ପୃଷ୍ଠା:Aama Madhusudan.pdf/୨୧୨
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୨୧୩