ପୃଷ୍ଠା:Aama Madhusudan.pdf/୨୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଦଯାତ୍ରାର ପଥେପଥେ ମଧୁତୀର୍ଥ

ଘଟଣାଟି ଏପରି ଘଟିଥିଲା, ଯାହାଥିଲା ଏକାନ୍ତ ଆକସ୍ମିକ । ଜୀବନର ମଧ୍ୟଭାଗରେ ଥରେ ଏକ ଦୂରନ୍ତ ଆକର୍ଷଣର ବଶବର୍ତ୍ତୀ ହୋଇ ମଧୁସୂଦନଙ୍କର ଜନ୍ମପୀଠ ମଧୁତୀର୍ଥ ସତ୍ୟଭାମାପୁରରେ ପହଞ୍ଚିଲି । ମୁଁ ସେଠାରେ ହଠାତ୍‍ ଏକ ମଣ୍ଡପରେ ମହାତ୍ମାଗାନ୍ଧୀଙ୍କର ଏକ ପାର୍ଶ୍ୱରେ, ତାହାଙ୍କର ଆଦର୍ଶର ପ୍ରତିପକ୍ଷ ବୋଲି ବିବେଚନା କରୁଥିବା ମଧୁସୂଦନଙ୍କର ପ୍ରତିମୂର୍ତ୍ତି ଦେଖିଲି । କେବଳ ଦେଖିଲି ନାହିଁ ଅତ୍ୟନ୍ତ ଆଚମ୍ବିତ ହୋଇ ରହିଲି । ମୋର ମନରେ ଉତÿିତ ହୋଇଥିବା ଦୁର୍ବାର ପ୍ରଶ୍ନ ପଚାରିବାର ଅବକାଶ ନଥିଲା । ଉତ୍ତର ମିଳିବା ମଧ୍ୟ ଅସମ୍ଭବ ଥିଲା । ଏଣୁ ଅନୁତ୍ତରିତ ହୋଇ ବାହୁଡ଼ି ଆସିଲି । ସେତେବେଳକୁ ଏ ଦିଗରେ ମୋର ଅଧ୍ୟୟନ ସ୍ୱଳ୍ପ ଥିଲା ।

ମାତ୍ର ମଧୁସୂଦନଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ଅବକାଶରେ ୧୯୯୮ ସାଲରେ ଏ ସଂପର୍କରେ କିଛି ପଢ଼ା ପଢ଼ି କଲି । ହଁ, ୧୮୯୭ ସାଲରେ ମଧୁଜୟନ୍ତୀ ଉପଲକ୍ଷ୍ୟେ ପ୍ରଖ୍ୟାତ ସାମ୍ବାଦିକ ସ୍ୱର୍ଗତଃ ବଳରାମ ମହାନ୍ତିଙ୍କର ମଧୁସୂଦନଙ୍କ ଉପରେ ଗୋଟିଏ ଲେଖା ଦୈନିକ ସମାଜରେ ପ୍ରକାଶିତ ହୋଇଥାଏ । ସେଥିରେ ମହାତ୍ମାଗାନ୍ଧୀଙ୍କର ମଧୁସୂଦନଙ୍କ ଉପରେ ପ୍ରଦତ୍ତ ଶ୍ରଦ୍ଧାଞ୍ଜଳିର ଓଡ଼ିଆ ଅନୁବାଦ ବୋଧହୁଏ ଏହିପରି ଥିଲା । "" ସମାଜର ଏକ ଅଂଶ ପ୍ରତି ଆମେ ଯେଉଁ ଅପରାଧ କରିଚାଲିଛେ, ସ୍ୱର୍ଗତ ମଧୁସୂଦନ ଦାସ, ସେହି ସଂପର୍କରେ ମୋର ଆଖି ଖୋଲି ଦେଇଥିଲେ ।" ମୁଁ ଏହି ଲେଖା ପଢ଼ିସାରିଲା ପରେ ସ୍ତମ୍ଭୀଭୂତ ଆଉ ନିର୍ବାକ୍‍ ହୋଇ ଘଡ଼ିଏ ଚାହିଁ ରହିଲି । ଉତ୍ତର ଆଉ ପ୍ରତ୍ୟୁତ୍ତରର ସେହି ବକ୍ତବ୍ୟ ମଧ୍ୟରେ ବିଲୀନ ହୋଇ ଦିଗହଜା ହୋଇଗଲି । ତେଣିକି କେବଳ ରହିଲା, ସ୍ତବ୍ଧତାର ସୀମାହୀନ ନିବିଡ଼ ପରିପ୍ରକାଶ ମଧ୍ୟରେ ନିମଜ୍ଜମାନ ହୋଇ ରହିବାର ବିରଳ ଅନୁଚ୍ଚାରିତ ଅନୁଭୂତି ।

ତାହାରି ପରବର୍ଷ ମଧ୍ୟ ପାଳିତ ହେଉଥିଲା ମଧୁସୂଦନଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ସମ୍ବତ୍ସର । ମୁଁ ମଧୁସୂଦନଙ୍କ ଉପରେ ଗୋଟିଏ କ୍ଷୁଦ୍ର ନିବନ୍ଧଭିତ୍ତିକ ପୁସ୍ତକ ଇଂରାଜୀରେ ଲେଖିବା ପାଇଁ ବ୍ରତୀ ରହିଲି । ମାତ୍ର ବଳରାମ ମହାନ୍ତିଙ୍କର ରଚନାରେ ଗାନ୍ଧିଜୀଙ୍କର ମଧୁସୂଦନଙ୍କ ଉପରେ