ପୃଷ୍ଠା:Aama Madhusudan.pdf/୨୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରଦ୍ଧାଞ୍ଜଳି ମତେ ଅହରହ ବିଧୂରିତ କରୁଥାଏ । ଏହା କଣ ସମ୍ଭବ ? ମଧୁସୂଦନ କଣ ଗାନ୍ଧିଜୀଙ୍କର ଚକ୍ଷୁ ଉନ୍ମୀଳନ କରିଥିଲେ ? ସେହି ଉଦ୍ଧୃତିର ପ୍ରକୃତ ଇଂରାଜୀ ବକ୍ତବ୍ୟର ଅନୁସନ୍ଧାନରେ ପହଞ୍ଚିଲି ରାଜ୍ୟ ଅଭିଲେଖାଗାରଠାରେ । ସେଠି ପୁସ୍ତକାଗାରର ଗଚ୍ଛିତ ଭଣ୍ଡାରକୁ ଯାଇ ପୁସ୍ତକ ପରିଦର୍ଶନ କରିବା ପାଇଁ ଅନୁମତି ମିଳିଲା ନାହିଁ । ସେଠାରୁ ଯାଇ ସୂଚନା ଭବନର ପାଠାଗାରରେ ପହଞ୍ଚିଲି । ସେହି ଗ୍ରନ୍ଥାଗାରର ଏକ ଆଲମିରାରେ ସୁରକ୍ଷିତ ହୋଇ ରହିଥାଏ "Collected works of Mahatma Gandhi" । ପ୍ରାୟ ୮୦ ଖଣ୍ଡ ପୁସ୍ତକ । ସବିନୟ ନିବେଦନ ପରେ ସୂଚନାଭବନର ଗ୍ରନ୍ଥାଗାରିକଙ୍କଠାରୁ ସେହି ଆଲମିରାର ଚାବିନେଇ ସେଥିରେ ଗଚ୍ଛିତ ଥିବା ଉକ୍ତ ଗ୍ରନ୍ଥାବଳୀର ୧୯୨୪ ରୁ ୧୯୩୮ ପର୍ଯ୍ୟନ୍ତ ସମସ୍ତ ଗ୍ରନ୍ଥର ପରିଶିଷ୍ଟ ସବୁ ଦେଖିଲି ।ଏଥିରେ ସେହି ଗ୍ରନ୍ଥରେ ସୂଚିତ ଥିବା ସମସ୍ତ ବ୍ୟକ୍ତିଙ୍କର ତାଲିକା ରହିଥାଏ । ୧୯୨୫ ସାଲର ଗ୍ରନ୍ଥଠାରୁ ପରିଶିଷ୍ଟ ସବୁ ଖୋଲି ଦେଖିଲି । ଏହା ଥିଲା ଲିଭିଂଷ୍ଟୋନ୍‍ଙ୍କର ଆଫି୍ରକା ଆବିଷ୍କାର ପରି ଅତ୍ୟନ୍ତ ରୋମାଂଚକର ଆଉ ହର୍ଷ ଉଲ୍ଲାସ ବିଜଡ଼ିତ ଅଭିଜ୍ଞତା, ଯାହାଥିଲା ଅତୀବ ବିସ୍ମୟକର । ମହାତ୍ମାଗାନ୍ଧୀଙ୍କର ସଂକଳିତ ଗ୍ରନ୍ଥାବଳୀରେ ୧୯୨୫ ସାଲଠାରୁ ପ୍ରତି ବର୍ଷେ ଆଉ ଦୁଇବର୍ଷ ଅନ୍ତରାଳରେ ମହାତ୍ମାଗାନ୍ଧୀଙ୍କର, ପ୍ରାଜ୍ଞ ମଧୁସୂଦନଙ୍କ ଉପରେ ଉଚ୍ଛ୍ୱସିତ ଶ୍ରଦ୍ଧାଂଜଳି ରୂପରେ ନିବନ୍ଧଭିତ୍ତିକ ବକ୍ତବ୍ୟ ସବୁ ସଂକଳିତ ହୋଇଥିଲା, ୧୯୩୮ ସାଲ ପର୍ଯ୍ୟନ୍ତ । ବଳରାମ ମହାନ୍ତି, ଗାନ୍ଧିଜୀଙ୍କ ଯେଉଁ ମନ୍ତବ୍ୟର ସୂଚନା ଦେଇଥିଲେ, ତାହାର ମୂଳ ଇଂରାଜୀ ଲେଖା ଏହିପରିଥିଲା ।

"The divorce of intellect from body labour has made us perhaps,shortest lived, most resourceless and most exploited nation on earth. The state of village tannery is perhaps the best proof of my indictment. It was late Madhusudan Das, who opened my eyes to the great crime against a part of humanity. He sought to make reparation by opening what might be called an educational tannery."

"ମାତ୍ର ଏହି ଦେଶର ଶରୀର ଶ୍ରମରୁ, ଚିନ୍ତାଶକ୍ତିର ବହିଷ୍କାର ଆମ୍ଭମାନଙ୍କୁ ପୃଥିବୀ ପୃଷ୍ଠରେ ସବୁଠାରୁ ସ୍ୱଳ୍ପାୟୁ, ନିର୍ଦ୍ଧନ ଆଉ ନିଷ୍ପେଷିତ ଜାତିରେ ପରିଣତ କରିଛି । ଏହି ଦେଶର ଗ୍ରାମ୍ୟ ଚମଡ଼ା କଷେଇ ଶିଳ୍ପର ଦୟନୀୟ ସ୍ଥିତି ଏହାର ପ୍ରକୃଷ୍ଠ ନିଦର୍ଶନ । ମଣିଷ ସମାଜର ଏକ ଅଂଶ ପ୍ରତି ଆମେ ଯେଉଁ ନିର୍ଘାତ ଅପରାଧ କରିଚାଲିଛେ, ସେ ସଂପର୍କରେ ସ୍ୱର୍ଗତଃ ମଧୁସୂଦନ ଦାସ ମୋର ଚକ୍ଷୁ ଉନ୍ମୀଳନ କରିଦେଇଥିଲେ । ଏ କ୍ଷେତ୍ରରେ ଅବାରିତ ଭାବେ ଆମେ ଯେଉଁ ଅପରାଧ କରିଚାଲିଛେ, ତାହାର ପ୍ରାୟଶ୍ଚିତ୍ତ ଆଉ ନିରାକରଣ କରିବାପାଇଁ ମଧୁସୂଦନ ଦାସ ଗୋଟିଏ ଶିକ୍ଷାମୂଳକ ଟ୍ୟାନେରି ଖୋଲିଥିଲେ ।"

କିଭଳି ସମ୍ବେଦନାପୂର୍ଣ୍ଣ ଉଚ୍ଛ୍ୱସିତ ବିହ୍ୱଳତାର ଉକ୍ତି ଏହାଥିଲା, ମହାତ୍ମାଗାନ୍ଧୀଙ୍କର ମଧୁସୂଦନଙ୍କ ପ୍ରତି ! ପ୍ରାୟ ୧୯୨୫ ସାଲରୁ ୧୯୩୮ ସାଲ ଯାଏ ମହାତ୍ମାଗାନ୍ଧୀଙ୍କ ସଂକଳିତ ଗ୍ରନ୍ଥାବଳୀରେ, କୋଡ଼ିଏରୁ ଊର୍ଦ୍ଧ୍ୱ ବକ୍ତବ୍ୟସଂବଳିତ ନିବନ୍ଧ ଆଉ ପତ୍ରାବଳୀ ସନ୍ଦର୍ଶନ କରି ହତ ଚକିତ