ପୃଷ୍ଠା:Aama Madhusudan.pdf/୨୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇଯାଇଥିଲି । ପ୍ରତିଟି ବକ୍ତବ୍ୟରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କୁ ନିଜର ଅନ୍ୟତମ ମାର୍ଗଦର୍ଶକ ରୂପେ ଶ୍ରଦ୍ଧାଂଜଳି ବାଢ଼ି ଚାଲିଥିଲେ ପ୍ରଗାଢ଼ କୃତଜ୍ଞତା ଭରା ଉଦ୍ଦୀପନାର ବଶବର୍ତ୍ତୀ ହୋଇ । ଗାନ୍ଧିଜୀଙ୍କର ଅବିସ୍ମରଣୀୟ ଐତିହାସିକ ପଦଯାତ୍ରା ମଧ୍ୟରେ ୧୯୩୦ ସାଲର ଲବଣ ସତ୍ୟାଗ୍ରହ ଜନିତ ଦାଣ୍ଡିଯାତ୍ରା, ୧୯୩୪ ସାଲର ହରିଜନ ଶିକ୍ଷାମୂଳକ ପଦଯାତ୍ରା ଆଉ ୧୯୪୭ ସାଲର ସାଂପ୍ରଦାୟିକ ସଦ୍‍ଭାବ ସମନ୍ୱିତ ନୂଆଖାଲିର ପଦଯାତ୍ରାକୁ ଅତୀବ ମହାନ ରୂପେ ଗଣ୍ୟ କରାଯାଏ । ଏ ସମଗ୍ର ମଧ୍ୟରେ ମହାତ୍ମାଗାନ୍ଧୀଙ୍କର ଓଡ଼ିଶାରେ ସଂଚାଳିତ ୧୯୩୪ ସାଲର ପଦଯାତ୍ରା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା, ଯାହା ଗ୍ରାମ ଗହଳରେ ନିଶ୍ଚେଷ୍ଟତାର ସ୍ଥାଣୁତାକୁ ସମାପ୍ତ କରି ଏକ କର୍ମଚାଞ୍ଚଲ୍ୟ ଭରିଦେବା ସହିତ, ହରିଜନମାନଙ୍କୁ ନିଶ୍ଚେଷ୍ଟତାର ପରିଧି ମଧ୍ୟରୁ ଉଦ୍ଧାର କରିବା ମୂଳ ଲକ୍ଷ୍ୟ ଥିଲା । ଗାନ୍ଧିଜୀ ପ୍ରଥମେ ଝାରସୁଗୁଡ଼ାରେ ୫.୫.୧୯୩୪ରେ ପହଞ୍ଚିଲେ । ଏହାପରେ ମଟରଗାଡ଼ିରେ ପୁରୀ ଆସି ୮.୫.୧୯୩୪ରେ ଉପସ୍ଥିତ ହେଲେ । ପୁରୀଠାରୁ ୯.୫.୧୯୩୪ରେ ପଦଯାତ୍ରା ଆରମ୍ଭକରି ୧୬.୫.୧୯୩୪ରେ କଟକରେ ପ୍ରଥମ ଭାଗର ପଦଯାତ୍ରା ଶେଷ କଲେ । ଆଉ ଏହି ଦିନ କଟକରୁ ପାଟଣାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଯୋଗଦେବାପାଇଁ ରେଳରେ ଯାତ୍ରାକଲେ ଓ ୨୫.୫.୧୯୩୪ରେ ପାଟଣାରୁ ରେଳ ଯୋଗେ ପ୍ରତ୍ୟାବର୍ତ୍ତନ କରି ବୈରୀ ଷ୍ଟେସନରେ ଓହ୍ଲାଇଲେ । ମହାତ୍ମାଗାନ୍ଧୀ ଏହିଠାରୁ ଓଡ଼ିଶାରୁ ତାଙ୍କର ଦ୍ୱିତୀୟ ଭାଗର ପଦଯାତ୍ରା ଆରମ୍ଭ କଲେ । ମହାତ୍ମାଗାନ୍ଧୀ ଓଡ଼ିଶାରେ ୧୯୩୪ ସାଲରେ ତାହାଙ୍କର ସମଗ୍ର ପଦଯାତ୍ରା ସମାପ୍ତିର ପ୍ରାୟ ଆଠମାସ ଅନ୍ତରାଳରେ ୨୩.୨.୧୯୩୫ରେ ନାଗପୁରରେ ପ୍ରଦତ୍ତ ତାହାଙ୍କର ଭାଷଣରେ ସ୍ୱୀକାରୋକ୍ତି କରିଛନ୍ତି ଯେ, ଓଡ଼ିଶାରେ ଏହି ପଦଯାତ୍ରା ଆପଣାର ଅନ୍ୟତମ ମାର୍ଗଦର୍ଶକ ମଧୁସୂଦନଙ୍କର ପରାମର୍ଶରେ ହିଁ ଆରମ୍ଭ କରିଥିଲେ । ମାତ୍ର ଏହି ପଦଯାତ୍ରାପାଇଁ ମହାତ୍ମାଗାନ୍ଧୀ ଓଡ଼ିଶାରେ ୫.୫.୧୯୩୪ରେ ପହଞ୍ଚିଲା ବେଳକୁ ୪.୨.୧୯୩୪ରେ ମଧୁସୂଦନଙ୍କର ମହାପ୍ରୟାଣ ଘଟିଥିଲା । ଏଣୁ ପାଟଣାରୁ ଫେରି ୨୧.୫.୧୯୩୪ରେ ବୈରୀଠାରେ ରେଳରୁ ଅବତରଣ କରିବା ପରେ ମହାତ୍ମାଗାନ୍ଧୀଙ୍କର ସ୍ୱତନ୍ତ୍ର ନିର୍ଦ୍ଦେଶ ଥିଲା ଯେ ଏହି ପଦଯାତ୍ରା ଯେପରି ମଧୁସୂଦନଙ୍କର ମହିମାନ୍ୱିତ ପବିତ୍ର ଜନ୍ମସ୍ଥାନ ସତ୍ୟଭାମାପୁର ଦେଇ ସଂଚାଳିତ ହୁଏ , ତାହାହେଲେ ସେଠାରେ ସେ ମଧୁସୂଦନଙ୍କ ସ୍ମୃତିରେ ନିମଜ୍ଜମାନ ରହି ସମଗ୍ର ରାତିବାସଟି ବିତାଇବେ । ଏହାହିଁ ହେବ ତାଙ୍କର ମଧୁସୂଦନଙ୍କ ପ୍ରତି ଗରିମାଦୀପ୍ତ ଶ୍ରଦ୍ଧାଞ୍ଜଳି । ବାପୁଜୀ ତାଙ୍କର ଓଡ଼ିଶାରେ ଦ୍ୱିତୀୟ ବାର ପଦଯାତ୍ରାରେ ୨୧.୫.୧୯୩୪ରେ ବୈରୀ ଷ୍ଟେସନରେ ରେଳରୁ ଅବତରଣ କଲେ । ତାହା ଥିଲା ପ୍ରଭାତର ସ୍ନିଗ୍ଧ ଓ ଶାନ୍ତିପ୍ରଦାୟୀ ସମୟ । ସେହି ଦିନଟି ମଧ୍ୟ ଥିଲା ବାପୁଜୀଙ୍କ ମୌନ ଦିବସ । ସେହି ଷ୍ଟେସନ୍‍ରେ ପ୍ରଶାନ୍ତିର ବାତାବରଣ ମଧ୍ୟରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା । ପ୍ରାର୍ଥନା ସଭାର ସମାପ୍ତି ପରେ ଚାରିମାଇଲ ଦୂରରେ ଅବସ୍ଥିତ ଥିବା ଚମ୍ପାପୁର ଆଶ୍ରମରେ ଗୋଟିଏ ସଭା ଅନୁଷ୍ଠିତ ହେଲା । ସେହିଦିନ ବାପୁଜୀ ଯଶରାଜପୁର ବାଟ ଦେଇ ଭେଦା ଗ୍ରାମକୁ ଗଲେ । ପଥ ମଧ୍ୟରେ ଲେଖନପୁରରେ ହରିଜନ