ପୃଷ୍ଠା:Aama Madhusudan.pdf/୨୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହାନଗରୀ ଆଉ ମେଟ୍ରୋ ସହରମାନଙ୍କରେ । ସେଥିଯୋଗୁଁ ଗ୍ରାମଗହଳର ଅଭିଜ୍ଞତା ଥିଲା ବାପୁଜୀଙ୍କର ସ୍ବଳ୍ପ । ଏଣୁ ମଧୁସୂଦନଙ୍କର ବାପୁଜୀଙ୍କ ପ୍ରତି ଅନୁପ୍ରେରଣା ଥିଲା ଗ୍ରାମ ଗହଳରେ ପରିଭ୍ରମଣ କର, ଅବସ୍ଥାର ଅନୁଧ୍ୟାନ କର ଆଉ ଶତାବ୍ଦୀ ଶତାବ୍ଦୀ ଧରି ଜମାଟ ବାନ୍ଧିଥିବା ନିଶ୍ଳେଷ୍ଟତାକୁ ଦୂରକର । ଏହି ଆହ୍ବାନର ବଶବର୍ତ୍ତୀ ହୋଇ ବାପୁଜୀ ତାଙ୍କର ହରିଜନ ପଦଯାତ୍ରା ଓଡ଼ିଶାରେ ଆରମ୍ଭ କରିଥିଲେ ।

ବିବରଣୀଟି ଏଇଠି ରଖି ଚାଲନ୍ତୁ ଯିବା ବର୍ମାରେ ବାସ କରୁଥିବା ଶ୍ରୀଯୁକ୍ତ ବାଲାଜୀ ରାଓଙ୍କର ୧୯୨୮ ସାଲ ମଇ ମାସରେ ବାପୁଜୀଙ୍କୁ ପ୍ରେରିତ ଏକ ପତ୍ର ପ୍ରତି । ଏହି ଚିଠିର ବିଷୟବସ୍ତୁ ଉପରେ ମନ୍ତବ୍ୟ ପ୍ରଦାନ କରି ବାପୁଜୀ କହିଥିଲେ, ଆଜିର ମଦମତ୍ତାଭରା ଶିକ୍ଷାର ଆକର୍ଷଣ ଏପରି ଯେ, ତାହା ଆମକୁ ଚିରାଚରିତ କୌଳିକ ଲାଭବାନ ବୃତ୍ତିରୁ ଦୂରେଇ ନେଇ ଭୌତିକ ଅର୍ଥ ଲାଳସା ଆଡ଼କୁ ଠେଲି ଦେଉଛି । ସଭ୍ୟତାର ଅର୍ଥ ଯଦି ହୁଏ ବସ୍ତୁର କାୟିକ ପରିବର୍ତ୍ତନ, ତାହାର ମୂଲ୍ୟ କଣ ବା ହୋଇପାରେ, ତାହା ମଧ୍ୟ ସଂଶୟ ବିଜଡ଼ିତ ଓ ସନ୍ଦେହଜନକ ଅଟେ । ସଭ୍ୟତା ନାମରେ ବାଣିଜ୍ୟ ବେପାରର ଛଦ୍ମବେଶୀୟ ଆବରଣ ଅଶିକ୍ଷିତ ବର୍ମାବାସୀଙ୍କୁ ଦାରିଦ୍ର୍ୟର ଚରମ ସୀମାକୁ ଏପରି ନେଇ ଯାଉଛି ଯେ ସେମାନେ ଗୋରୁ ଭଳି ଜାନ୍ତବ ଜୀବନଯାପନ କରୁଛନ୍ତି । ମଧୁସୂଦନ ପ୍ରଖର ଆଉ ଜ୍ବଳନ୍ତଭାବେ ଦର୍ଶାଇ ଦେଇଛନ୍ତି ଯେ, ଲୋକମାନେ ଯଦି କେବଳ ବଳଦକୁ ନେଇ କାର୍ଯ୍ୟ କରନ୍ତି ଆଉ କମନୀୟ ଅଂଗୁଳିର ତାତ୍ପର୍ଯ୍ୟପୂର୍ଣ୍ଣ ଚାଳନାରେ ରମଣୀୟ ମାଧୁର୍ଯ୍ୟଭରା ହସ୍ତଶିଳ୍ପର ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରସ୍ତୁତିରେ ଯଦି ବ୍ରତୀ ନରହନ୍ତି, ତାହାହେଲେ ସେମାନେ ଶରୀରରେ ଆଉ ମାନସିକ ସ୍ତରରେ ଅତ୍ୟନ୍ତ ପ୍ରବଞ୍ଚିତ ଓ ନିପୀଡ଼ିତ ସ୍ତରକୁ ଖସିପଡ଼ିବେ ।

(ୟଙ୍ଗ୍ ଇଣ୍ଡିଆ ୧୦.୫.୧୯୨୮)


ବାପୁଜୀ ଓଡ଼ିଶାରେ ସଂଚାଳିତ ଏହି ପଦଯାତ୍ରାର ସ୍ତରେସ୍ତରେ ମଧୁସୂଦନଙ୍କର ଏହି ଗରିମାମୟ ବକ୍ତବ୍ୟର ତାତ୍ପର୍ଯ୍ୟ ଅନୁଭବ କରିଚାଲିଥିଲେ ଆଉ ପଦଯାତ୍ରାର ଅନ୍ତରାଳରେ ଏହିସବୁ ଗ୍ରାମ ଗହଳରେ ଜମାଟ ବାନ୍ଧିଥିବା ନିଶ୍ଳେଷ୍ଟତାକୁ ଦୂରକରିବାକୁ ପଣ କରିଥିଲେ ।
ଏହି ପଦଯାତ୍ରାରେ ସବୁଠାରୁ ଅତ୍ୟନ୍ତ ଶ୍ରମସାଧ୍ୟ କାର୍ଯ୍ୟମାନ ମହିଳାମାନେ କେବଳ ନିର୍ବାହ କରୁନଥିଲେ, ରନ୍ଧନଶାଳାରୁ ପରିବେଷଣ, ଅତିଥି ଚର୍ଚ୍ଚାଠାରୁ ଆଗାମୀ ଯାତ୍ରାସ୍ଥାନର ପ୍ରାକ୍‌ପ୍ରସ୍ତୁତି ଆଦି କାର୍ଯ୍ୟ ନିର୍ଘଣ୍ଟ ସଂପାଦନାରେ ବ୍ୟସ୍ତ ରହୁଥିଲେ । ରମାଦେବୀଙ୍କର ବାଲ୍ୟ ଶିକ୍ଷା, ବିହାରର ହିନ୍ଦୀଭାଷୀ ଅଂଚଳରେ ସମାହିତ ହୋଇଥିବାରୁ, ସେ ସାରା ଭାରତରୁ ଆଗନ୍ତୁକଙ୍କର ପରିଚର୍ଯ୍ୟାରେ ମନୋନିବେଶ କରିଥିଲେ । ଆଉ ବିଶେଷତଃ ବାପୁଜୀଙ୍କର ନିଜସ୍ୱ ସ୍ୱାଚ୍ଛନ୍ଦ୍ୟ ପ୍ରତି ଅତ୍ୟନ୍ତ ସହୃଦୟତାର ସହ ଦୃଷ୍ଟି ଦେଇ ସମସ୍ତ କାର୍ଯ୍ୟ ପ୍ରଖର ପୁରୋଦୃଷ୍ଟି ସହ ନିର୍ବାହ କରୁଥିଲେ । ବାପୁଜୀ, ରମାଦେବୀ ତଥା ତାଙ୍କ ସହାୟିକାମାନଙ୍କର ସଂଗଠନ ଶକ୍ତିରେ ଅତୀବ ବିସ୍ମିତ ହୋଇଯାଉଥିଲେ । ବିଦାୟ ବେଳାରେ ଅତ୍ୟନ୍ତ ବିହ୍ୱଳିତ କଣ୍ଠରେ ବାପୁଜୀ କହିଥିଲେ; ଏହି ପଦଯାତ୍ରା କାଳରେ, ମୁଁ ରମାଦେବୀ ଓ ତାଙ୍କ ଅନନ୍ୟା ସହାୟିକାଙ୍କର ଗଭୀର ପ୍ରେମରେ ପଡ଼ିଯାଇଛି ।
ଆମ ମଧୁସୂଦନ ୨୨୧