ପୃଷ୍ଠା:Aama Madhusudan.pdf/୨୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗ୍ରୀଷ୍ମ ଅବସାନ ପରେ ପ୍ରାକ୍‍ ମୌସୁମୀ ବର୍ଷା, ହଠାତ୍‍ ପଦଯାତ୍ରାର ସମାପ୍ତି ଘୋଷଣା କରିଦେଲା । ବାଲେଶ୍ୱର ଜିଲ୍ଲାର କର୍ଦ୍ଦମାକ୍ତ ପିଚ୍ଛିଳ ପଥରେ ଆଉ ପାଦ ଥାପିବା ଅସମ୍ଭବ ହୋଇଗଲା । ଯାତ୍ରା ସମାପ୍ତି ସମୟରେ, ଗ୍ରାମର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ମୌଳିକ ଶିକ୍ଷା କାର୍ଯ୍ୟକ୍ରମର ତାଲିମ ବ୍ୟବସ୍ଥାପାଇଁ ବାପୁଜୀଙ୍କର, ରମାଦେବୀ ଓ ଗୋପବଂଧୁ ଚୌଧୁରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଥିଲା । ଏହା ପରେ ବାପୁଜୀଙ୍କ ପଦଯାତ୍ରାର ସମାପ୍ତି ଘୋଷଣା ହେଲା । ୧୯୩୪ ଜୁନ ଆଠ ତାରିଖରେ ଭଦ୍ରକରୁ, ବାପୁଜୀ ରେଳଯାତ୍ରାରେ ଓଡ଼ିଶାରୁ ବିଦାୟ ନେଲେ ।
ମଧୁସୂଦନଙ୍କର ନିରବଚ୍ଛିନ୍ନ ଉଦ୍ୟମର ଫଳସ୍ମୃତି ସ୍ୱରୂପ ୧୯୩୬ ସାଲର ଏପ୍ରିଲ ପହିଲାରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇ ସ୍ଥାପିତ ହେଲା । ସେହି ବର୍ଷ ନଭେମ୍ବର ମାସରେ ପ୍ରାଦେଶିକ ବିଧାନସଭାମାନଙ୍କପାଇଁ ନିର୍ବାଚନ ହେଲା । ପହିଲା ଏପ୍ରିଲ୍‍ ୧୯୩୭ ସାଲରେ ପାରଳାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ତାଙ୍କର ପ୍ରାରମ୍ଭିକ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ମାତ୍ର ସେହି ବର୍ଷ ଊଣେଇଶି ଜୁଲାଇରେ ବିଶ୍ୱନାଥ ଦାସଙ୍କର ପ୍ରଧାନମନ୍ତ୍ରିତ୍ୱରେ ଓଡ଼ିଶାର ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଏହିପରି ଓଡ଼ିଶାକୁ ମିଶାଇ ସାରା ଭାରତରେ ସାତଗୋଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଏହି ପ୍ରଦେଶମାନଙ୍କରେ ମୌଳିକ ଶିକ୍ଷାର ପ୍ରବର୍ତ୍ତନ ୧୯୩୭ ସାଲ ୨୨ ଅବ୍ଧୋବର ସେବାଗ୍ରାମଠାରେ ମହାତ୍ମାଗାନ୍ଧୀ ସର୍ବଭାରତୀୟ ଶିକ୍ଷା ସମ୍ମିଳନୀ ଆହ୍ୱାନ କଲେ । ଏହି ସମ୍ମିଳନୀରେ କଂଗ୍ରେସ ଶାସିତ ସାତଗୋଟି ପ୍ରଦେଶର ମୁଖ୍ୟମଂତ୍ରୀ ଓ ଶିକ୍ଷାମନ୍ତ୍ରୀଗଣ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଗଣ, ବିଶିଷ୍ଟ ଶିକ୍ଷାବିତ୍‍ ମଣ୍ଡଳୀ ଏବଂ ଏହାଙ୍କ ସହିତ ଡାକ୍ତର ଜାକିର ହୁସେନ, ବିନୋବା ଭାବେ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅଧିବେଶନର ଉଦ୍‍ଘାଟନୀ ମହୋତ୍ସବରେ ମହାତ୍ମାଗାନ୍ଧୀ, ମୌଳିକ ଶିକ୍ଷାର ତାତ୍ପର୍ଯ୍ୟ ଉପରେ ପ୍ରାୟ ଦୁଇଘଣ୍ଟା ବ୍ୟାପୀ ଉଦ୍‍ଭାଷଣର ଉପସଂହାରରେ କହିଥିଲେ-
" ସ୍ୱର୍ଗତଃ ମଧୁସୂଦନ ଦାସ ଜଣେ ଆଇନଜୀବୀ ଥିଲେ । ମାତ୍ର ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଆମ୍ଭମାନଙ୍କର ହସ୍ତ ଆଉ ପଦଗୁଡ଼ିକ ଯଦି ବିଧିବଦ୍ଧଭାବେ ସଂଚାଳିତ ଆଉ ନିୟୋଜିତ ନହୁଏ, ତାହାହେଲେ ଆମ୍ଭମାନଙ୍କର ମସ୍ତିଷ୍କ ସ୍ଥାଣୁ, ନିଶ୍ଚେଷ୍ଟ ପାଲଟିଯିବ ଏବଂ ଯଦିବା ସେହି ମସ୍ତିଷ୍କ କାର୍ଯ୍ୟକରେ, ତାହା ସଇତାନର ଆଡ୍‍ଡ଼ାସ୍ଥଳୀରେ ପରିଣତ ହେବ । ଋଷି ଟଲଷ୍ଟୟ ମଧ୍ୟ ଏହି ବକ୍ତବ୍ୟକୁ ତାହାଙ୍କର ଅସଂଖ୍ୟ କାହାଣୀ ମଧ୍ୟରେ ପ୍ରଚାରିତ କରିଅଛନ୍ତି ।"
କିଭଳି ଅନବଦ୍ୟ ଆଉ ମହିମାନ୍ୱିତ ଥିଲା ମହାତ୍ମାଗାନ୍ଧୀଙ୍କର ଏହି କାଳଜୟୀ ବକ୍ତବ୍ୟ, ଯହିଁରେ ମଧୁସୂଦନଙ୍କ ପ୍ରତି ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି, କିଭଳି ଗରିମାମୟ ଆଉ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ।
ଏଥର ଯିବା ମହାତ୍ମାଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମର ଅନ୍ୟ ଏକ ପର୍ଯ୍ୟାୟକୁ । ୧୯୩୭ ସାଲରେ କର୍ଣ୍ଣାଟକର ହୁଗୁଲିଠାରେ ଗାନ୍ଧୀ ସେବାସଂଘର ଏକ ବୈଠକ ବସିଥିଲା । ଏହି ଅଧିବେଶନରେ ଓଡ଼ିଶା ପକ୍ଷରୁ ଆଚାର୍ଯ୍ୟ ହରିହର, ଗୋପବଂଧୁ ଚୌଧୁରୀ, କୃପାସିନ୍ଧୁ ହୋତା, ରମାଦେବୀ, ବିନୋଦ କାନୁନ୍‍ଗୋ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅଧିବେଶନରେ ଗାନ୍ଧୀ

୨୨୨ ଆମ ମଧୁସୂଦନ