ପୃଷ୍ଠା:Aama Madhusudan.pdf/୨୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେବାସଂଘର ଆଗାମୀ ବାର୍ଷିକୀ ସମ୍ମିଳନୀପାଇଁ ସ୍ଥାନ ନିରୂପଣ କରାଯାଉଥାଏ । ଏହି ସମ୍ମିଳନୀ ଓଡ଼ିଶାରେ କରିବା ନିମନ୍ତେ ଗୋପବଂଧୁ ଚୌଧୁରୀ ଏବଂ ଆଚାର୍ଯ୍ୟ ହରିହର ନିମନ୍ତ୍ରଣ ଜଣାଇଲେ । ଏଥିପାଇଁ ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟସ୍ଥ ବେରବୋଇ ଚିହ୍ନିତ ହେଲା । ଏହି ସମ୍ମିଳନୀ ୧୯୩୮ ସାଲର ମାର୍ଚ୍ଚ ୨୫ ତାରିଖରେ ହେବାପାଇଁ ସ୍ଥିରୀକୃତ ହେଲା । ଏହି ସମୟରେ ବିଶ୍ୱନାଥ ଦାସଙ୍କ ଅଧିନାୟକତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଓଡ଼ିଶାରେ ପ୍ରତିଷ୍ଠିତ ହୋଇଥାଏ ।
ମହାତ୍ମାଗାନ୍ଧୀ ମାର୍ଚ୍ଚ ୨୫ ତାରିଖ ଦିନ ପ୍ରତ୍ୟୂଷାରେ ରେଳଯୋଗେ ଆସି ଡେଲାଙ୍ଗ ଷ୍ଟେସନରେ ଓହ୍ଲାଇଲେ । ସେଠାରୁ ଆସି ପହଞ୍ଚିଲେ ନିଘଞ୍ଚ ନାରିକେଳ ଉଦ୍ୟାନଭରା ସବୁଜିମାର ନିବିଡ଼ ଆଚ୍ଛାଦନରେ ପରିବେଷ୍ଠିତ ବେରବୋଇଠାରେ । ପରିବେଶ ଦେଖି ଗାନ୍ଧିଜୀ ଏକାନ୍ତଭାବେ ବିସ୍ମୟାଭିଭୂତ ହୋଇଗଲେ । ବିପୁଳ ନାରିକେଳ ଉଦ୍ୟାନର ପ୍ରଗାଢ଼ ଆସ୍ତରଣ ମଧ୍ୟରେ, ମଳୟର ଉତ୍ତାଳତା ଯେପରି ସ୍ତବ୍ଧ ହୋଇଯାଇଥାଏ । କେବଳ କୋଇଲିର ଲହରିତ କୂଜନ ସମସ୍ତ ବାତାବରଣକୁ ମୁଖରିତ କରୁଥାଏ । ଗାନ୍ଧିଜୀ ସମ୍ମିଳନୀ ସ୍ଥଳରେ ପହଞ୍ଚିବା ପରେ ଗୋପବଂଧୁ ଚୌଧୁରୀଙ୍କ ନେତୃତ୍ୱରେ ପ୍ରଭାତରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା ।
ଏହା ପରେ ଗାନ୍ଧିଜୀ ସ୍ୱଳ୍ପକାଳ ଲାଗି ବିଶ୍ରାମ ନେଲେ । ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀର ଉଦ୍‍ଘାଟନ ସମୟ ଆଗତ ପ୍ରାୟ । ହେଲେ ଅସରନ୍ତି ଥିଲା ସେହି ପ୍ରତୀକ୍ଷାର ବେଳା । ଶେଷରେ ନିର୍ଦ୍ଧାରିତ ସମୟ ଆସି ପହଞ୍ଚିଲା । ସମୟ ଥିଲା ସକାଳର ଆଠଘଣ୍ଟା ପନ୍ଦର ମିନିଟ୍‍, ହେଲେ ସୁଦୀର୍ଘ କାଳ ବିଗିଡ଼ିଯିବା ପରି ମନେ ହେଉଥିଲା । ଅପେକ୍ଷାର ସହସା ଅନ୍ତ ଘଟିଲା । ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଗାନ୍ଧିଜୀ ପ୍ରଦର୍ଶନୀ ଉଦ୍‍ଘାଟନ କଲେ । ଏହା ପରେ ଘୂରି ବୁଲୁଥାନ୍ତି ଏକାଦିକ୍ରମେ ପ୍ରଦର୍ଶନୀର ପ୍ରତିଟି କକ୍ଷ, ବିସ୍ମୟ-ବିସ୍ଫାରିତ ନୟନରେ । ଓଡ଼ିଶା ପ୍ରଦେଶର କୋଣ ଆଉ ଅନୁକୋଣରୁ ଆସି ପହଞ୍ଚିଥାଏ ଭଳିକି ଭଳି ବର୍ଣ୍ଣାଢ଼୍ୟ ଆଉ ମନ୍ତ୍ରମୁଗୁଧକର ବସ୍ତୁରାଜିରେ ନିର୍ମିତ ଚିତ୍ତ ଉଲ୍ଲାସକାରୀ କମନୀୟ ହସ୍ତଶିଳ୍ପ । ଏହା ସହିତ ସଂଯୁକ୍ତ ହୋଇଥାଏ ବିଚିତ୍ର ତନ୍ତଶିଳ୍ପର ଯାଦୁକରୀ ନକ୍ସା ସମନ୍ୱିତ ବସ୍ତୁରାଜି, ସନ୍ନିବେଶିତ ହୋଇଥାଏ ଜ୍ୟାମିତିକ ରେଖାକୃତିର ଅପରୂପ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀସବୁ । ଏଥିରୁ କିଛି ବସ୍ତୁରାଜି ମଧ୍ୟ ତିଆରି ହୋଇଥାଏ ମଧୁସୂଦନଙ୍କ ପ୍ରଖର ମାନସିକତାରେ ପ୍ରସ୍ତୁତ କଳକବ୍‍ଜା ମାଧ୍ୟମରେ, ଯାହା ଶ୍ରମଜୀବୀ ଓ କାରିଗରଙ୍କର କ୍ଲେଶଯୁକ୍ତ ଶ୍ରମକୁ ବହୁ ପରିମାଣରେ ଲାଘବ କରିଥାଏ । ମହାତ୍ମାଗାନ୍ଧୀ ଅତ୍ୟନ୍ତ ପୁଲକିତ ଚିତ୍ତରେ ଆଉ ବିପୁଳ ରୋମାଞ୍ଚିତ ଆଗ୍ରହ ମଧ୍ୟରେ ସମସ୍ତ ସମ୍ମିଳନୀକକ୍ଷ ବୁଲି ସାରିବା ପରେ, ଉପବେଶନ କଲେ ସଭାମଣ୍ଡପରେ । ସମଗ୍ର ଭାରତରୁ ଆଗତ ପ୍ରତିନିଧିଙ୍କ ଗହଣରେ ବିପୁଳ ଜନ ସମାବେଶରେ ଉଚ୍ଛ୍ୱସିତ କରତାଳି ମଧ୍ୟରେ ମହାତ୍ମାଗାନ୍ଧୀ ଆରମ୍ଭକଲେ ଅତ୍ୟନ୍ତ ଦରଦଭରା କଣ୍ଠରେ ତାହାଙ୍କର ଅନବଦ୍ୟ ମାର୍ମିକ ବକ୍ତବ୍ୟ ।
"ଆପଣମାନେ ଜାଣନ୍ତି ସାରା ଦେଶରେ ଓଡ଼ିଶା ହେଉଛି ମୋର ପ୍ରିୟଭୂମି । ମୁଁ ମଧ୍ୟ ଅନୁଭବ କରିଛି, ଯଦି ଓଡ଼ିଶାର କିଛି ସେବା କରିପାରିବି, ତେବେ ଭାବିବି ଭାରତର ହିିଁ ସେବା କରୁଛି । ଓଡ଼ିଶା ମୋ'ପାଇଁ ଏକ ତୀର୍ଥ ଭୂମିରେ ପରିଣତ ହୋଇଛି ।"

ଆମ ମଧୁସୂଦନ ୨୨୩