ପୃଷ୍ଠା:Aama Madhusudan.pdf/୨୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ପରେ ମଧୁସୂଦନଙ୍କ ସ୍ମୃତି, ତାଙ୍କର ଉଚ୍ଛ୍ୱସିତ ଆବେଗରେ ଉଦ୍‍ବେଳିତ ହୋଇ ଉଠିଥିଲା, ସେ ଟିକିଏ ଥମିଗଲେ ଓ ଉଦାତ୍ତ କଣ୍ଠରେ ପୁଣି ବକ୍ତବ୍ୟ ଆରମ୍ଭ କଲେ ।
"ମଣିଷ ପଶୁଠାରୁ ଅନେକ ଗୁଣରେ ଭିନ୍ନ । ମଧୁସୂଦନ ଦାସ ଯେପରି କହନ୍ତି "ଉଭୟଙ୍କ ମଧ୍ୟରେ ଶରୀରର ଅବୟବର ଆକୃତିରେ ବହୁଭାବରେ ଭିନ୍ନତା ରହିଛି । ମଣିଷର ହସ୍ତ ଓ ପଦରେ ଅଂଗୁଳିଗୁଡ଼ିକ ରହିଛି, ଯାହାକୁ ସେ ଅତ୍ୟନ୍ତ ବୁଦ୍ଧିମତ୍ତାର ପରିପ୍ରକାଶ ସହ କମନୀୟତାର କଳାତ୍ମକ ବିନ୍ୟାସ ମଧ୍ୟରେ ବ୍ୟବହାର କରିଥାଏ । ଯଦି ମଣିଷ ପରିପୂର୍ଣ୍ଣ ଆଉ ଏକାନ୍ତ ଭାବେ କୃଷି ଉପରେ ନିର୍ଭର କରିଥାନ୍ତା, ତା'ହେଲେ ସେ ଈଶ୍ୱରଙ୍କଦ୍ୱାରା ମହିମାନ୍ୱିତ ଭାବରେ ପ୍ରଦତ୍ତ ଆପଣାର ଅଂଗୁଳିଗୁଡ଼ିକୁ ବ୍ୟବହାର କରି ନଥାନ୍ତା । ସେ ତାହାକୁ ସର୍ବୋତ୍ତମ ଭାବରେ ବ୍ୟବହାର କରେ ଶିଳ୍ପଭିତ୍ତିକ କାର୍ଯ୍ୟକ୍ରମରେ ।"
କୃଷିକାର୍ଯ୍ୟ ସହିତ ଅଂଗୁଳିର ସଦ୍‍ବିନିଯୋଗ କରି ଆମେ ଯଦି ହସ୍ତଶିଳ୍ପ ଉତ୍ପାଦନରେ ବ୍ରତୀ ହେଉ ଆମେ ସ୍ୱଚ୍ଛନ୍ଦ ଜୀବନଯାପନ କରିପାରିବା । ଏହି ପ୍ରଦର୍ଶନରେ ବିଭିନ୍ନ ହସ୍ତଶିଳ୍ପର ସାମଗ୍ରୀମାନ ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଘୂରି ବୁଲି ଦେଖନ୍ତୁ ଆଉ ସେଥିମଧ୍ୟରୁ ଗୋଟିଏ ହସ୍ତଶିଳ୍ପକୁ ଆପଣଙ୍କପାଇଁ ବାଛି ନିଅନ୍ତୁ । ଆଉ ତାହାକୁ ଉତ୍ପାଦନ କରିବାପାଇଁ ବ୍ରତୀ ହୁଅନ୍ତୁ । ତାହା ନିଶ୍ଚୟ ଆପଣଙ୍କର ଦାରିଦ୍ର୍ୟ ଦୂରୀକରଣରେ ସହାୟକ ହେବ ।"
ଏହି ବେରବୋଇଠାରେ ଅନୁଷ୍ଠିତ ଗାନ୍ଧୀ ସେବାସଂଘର ସମ୍ମିଳନୀରେ ଗାନ୍ଧିଜୀ ୧୯୩୮ ସାଲର ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ ଏହି ନାରିକେଳ ଉଦ୍ୟାନର଼ ସବୁଜ ପରିବେଶ ମଧ୍ୟରେ । ଏହାଥିଲା ଗାନ୍ଧିଜୀଙ୍କର ଓଡ଼ିଶା ସହିତ ଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଗୌରବ ବିମଣ୍ଡିତ ସଂପର୍କ ।
ଅବଶ୍ୟ ୧୯୪୬ ସାଲର ଜାନୁଆରି କୋଡ଼ିଏ ତାରିଖରେ, ରେଳରେ ଗୌହାଟୀରୁ ମାନ୍ଦ୍ରାଜ ଯିବା ବେଳେ ରାତି ସାଢେ଼ ଗୋଟାଏ ବେଳେ, କଟକ ରେଳ ଷ୍ଟେସନରେ ସେ ଆକାଂକ୍ଷିତ ଜନତାକୁ ସାକ୍ଷାତ ଦେଇଥିଲେ । ପ୍ରବଳ ଶୀତରେ ବ୍ରହ୍ମପୁରଠାରେ ପ୍ରାତଃ ୪ ଘଟିକାଠାରେ ରେଳରୁ ଅବତରଣ କରି ରେଳ ଷ୍ଟେସନ ନିକଟ ମଇଦାନରେ ସ୍ୱଳ୍ପ ସମୟପାଇଁ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ଏହା ଥିଲା ମହାତ୍ମାଗାନ୍ଧୀଙ୍କର ଓଡ଼ିଶା ଭୂଖଣ୍ଡକୁ ଅନ୍ତିମ ସ୍ପର୍ଶ ।
କେତେକ ମୁଷ୍ଟିମେୟ ସଂକୀର୍ଣ୍ଣ ଗାନ୍ଧୀପ୍ରେମୀ ଓ ବୁଦ୍ଧିଜୀବୀ ମଧୁସୂଦନଙ୍କୁ ଗାନ୍ଧୀଦ୍ରୋହୀବୋଲି ଉପସ୍ଥାପନ କରି ତାଙ୍କୁ ଓଡ଼ିଶା ଇତିହାସରୁ ନିଶ୍ଚିହ୍ନ କରିଦେବାକୁ ପ୍ରଯତ୍ନଶୀଳ ଥିଲାବେଳେ, ସ୍ୱୟଂ ମହାତ୍ମାଗାନ୍ଧୀ ଏହା ବିରୁଦ୍ଧରେ ନିରନ୍ତର ପ୍ରାୟଶ୍ଚିତ୍ତ କରିଛନ୍ତି । ତାଙ୍କ ପ୍ରତି ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଭାରତର ଜଣେ ମହିମାନ୍ୱିତ ଯୋଗ୍ୟ ପୁରୁଷ ରୂପେ ସେ ଉଦ୍‍ଘୋଷଣା କରିଛନ୍ତି ।

୨୨୪ ଆମ ମଧୁସୂଦନ