ପୃଷ୍ଠା:Aama Madhusudan.pdf/୨୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେମାନେ ସଂଗ୍ରାମ କରୁଛନ୍ତି । ମାତ୍ର ସେମାନେ ଅତ୍ୟନ୍ତ ନିରୀହ ଓ ଆନ୍ଦୋଳନପ୍ରବଣ ହୋଇ ନ ଥିବାରୁ କର୍ତ୍ତୃପକ୍ଷ ସେମାନଙ୍କର ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଭାରତର ପ୍ରଗତି ଏକ ଅଂଶର ବିଯୁକ୍ତିରେ ହୋଇ ପାରିବ ନାହିଁ । ନୂତନ ଭାରତୀୟ ମହାଜାତି, ଗୋଟିଏ ପ୍ରାଚୀନ ଗୌରବୋଜ୍ଜ୍ୱଳ ଜାତିର ପାଉଁଶ ବା ଭଗ୍ନାବଶେଷ ଉପରେ ଗଢ଼ାଯାଇନପାରେ ।" ମହାତ୍ମାଗାନ୍ଧୀ ପୁନରାୟ ପ୍ରକାଶ କରିଥିଲେ - ମାନନୀୟ ବ୍ରଜସୁନ୍ଦର ଦାସଙ୍କ ଭାବବିହ୍ୱଳତା, ଯଥାର୍ଥରେ ଭାଷାଭିତ୍ତିରେ ଅଞ୍ଚଳ ଆବଣ୍ଟନର ପ୍ରଶ୍ନ ଉତ୍‍ଥାପିତ କରୁଛି । ଏଣୁ ମୁଁ ବିଶ୍ୱାସ କରୁଛି ଯେ ଓଡ଼ିଆ ଆନ୍ଦୋଳନର ପରମ ତାତ୍ପର୍ଯ୍ୟକୁ ଗଭୀର ସହାନୁଭୂତିର ସହ ବିଚାର କରାଯିବା ଆବଶ୍ୟକ ।"
ଓଡ଼ିଶା ଓ ଓଡ଼ିଆ ଜାତିର ସମସ୍ୟା ସଂପର୍କରେ ମହାତ୍ମା ଗାନ୍ଧୀଙ୍କର ଏହି ଗଭୀର ତାତ୍ତ୍ୱିକ ଚିନ୍ତନ ଡିସେମ୍ବର ୧୯୨୦ରେ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ପ୍ରତିଫଳିତ ହୋଇଥିଲା । ଏହି ଅଧିବେଶନରେ ଗୃହୀତ ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ଭାଷାଭିତ୍ତିକ ପ୍ରଦେଶ ଗଠନର ପ୍ରସ୍ତାବ ଗ୍ରହଣ କରିବା ଲାଗି ଏହା ଭିତ୍ତିଭୂମି ଯୋଗାଇଥିଲା । ଭାଷାଭିତ୍ତିକ ଆନ୍ଦୋଳନ ପରିପ୍ରେକ୍ଷୀରେ ମହାତ୍ମାଗାନ୍ଧୀଙ୍କପାଇଁ ଓଡ଼ିଶା ହିଁ ଥିଲା ପ୍ରଥମ ପରୀକ୍ଷାର କ୍ଷେତ୍ର । ୟଙ୍ଗ୍‍ ଇଣ୍ଡିଆରେ ୧୯୨୦ରେ ପ୍ରକାଶିତ 'ଉତ୍କଳର ଚିତ୍କାର'ର ପ୍ରତ୍ୟୁତ୍ତରରେ ଓଡ଼ିଆ ଜାତିର ପ୍ରତିନିଧି ମଧୁସୂଦନ ମହାତ୍ମାଗାନ୍ଧୀଙ୍କୁ କଲିକତାରେ ଭେଟିଥିଲେ । ମହାତ୍ମାଗାନ୍ଧୀଙ୍କର ମଧୁସୂଦନ ଦାସଙ୍କ ପ୍ରତି ଅପରିସୀମ ଶ୍ରଦ୍ଧା ଓ ସମ୍ମାନ କେବଳ ନଥିଲା, ତାଙ୍କଦ୍ୱାରା ସଂଚାଳିତ ଓଡ଼ିଆ ଆନ୍ଦୋଳନ ମଧ୍ୟ ମହାତ୍ମାଗାନ୍ଧୀଙ୍କ ସମର୍ଥନ ପାଇଥିଲା । ଏଣୁ ୧୯୨୧ର ଅସହଯୋଗ ଆନ୍ଦୋଳନ କାଳରେ, ଓଡ଼ିଆ ଆନ୍ଦୋଳନକୁ ଅଧିକ ତୀବ୍ରତର ତଥା ନିର୍ଣ୍ଣାୟକ ସ୍ତରରେ ପହଞ୍ଚାଇବାପାଇଁ ମଧୁସୂଦନଙ୍କର ବିହାର ଓ ଓଡ଼ିଶା ସରକାରର ମନ୍ତ୍ରିମଣ୍ଡଳରେ ଯୋଗଦାନକୁ ସମର୍ଥନ କରି ମହାତ୍ମାଗାନ୍ଧୀ କହିଥିଲେ, "ଭାରତର ପ୍ରାଦେଶିକ ମନ୍ତ୍ରୀମାନେ ଯେବେ ମଧୁସୂଦନ ଦାସ ବା ଚିନ୍ତାମଣିଙ୍କ ପରି ସ୍ୱାଧୀନଚେତା ହୋଇ ନିଜର କାମ କରନ୍ତି, ତେବେ ଭାରତୀୟ ଲୋକଙ୍କ ମନ୍ତ୍ରିତ୍ୱ ଗ୍ରହଣରେ ମୋର କୌଣସି ଆପତ୍ତି ନାହିଁ ।"
୧୯୨୧ ମାର୍ଚ୍ଚମାସ ଶେଷ ଭାଗରେ ମହାତ୍ମାଗାନ୍ଧୀ ତାଙ୍କର ପ୍ରଥମ ଓଡଶା ଆଗମନର କିଛିକାଳ ପୂର୍ବରୁ "ଓଡ଼ିଆ ମୁଭ୍‌ମେଣ୍ଟ" ପୁସ୍ତକ ଅଧ୍ୟୟନ କରି ଓଡ଼ିଶାର ଦୟନୀୟ ସ୍ଥିତି ସଂପର୍କରେ ଆକଳନ କରି ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ଏବଂ ୨୩.୩.୧୯୨୧ରେ କଟକରେ ପହଞ୍ଚି "ଓଡ଼ିଆ ମୁଭ୍‌ମେଣ୍ଟ" ର ଲେଖକ ନିରଞ୍ଜନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ କରି ସେହି ଦିନ ସଂଧ୍ୟାର ସଭାରେ ବିଭାଜିତ ଓଡ଼ିଶା ସଂପର୍କରେ ତାତ୍ତ୍ୱିକ ଆଲୋଚନା କରିଥିଲେ । ଏଠାରେ ସୂଚାଇ ଦିଆଯାଇ ପାରେ ଯେ ସେହି ମାର୍ଚ୍ଚରେ ଗଠିତ ଉତ୍କଳର ଜାତୀୟ କଂଗ୍ରେସର ପରିସୀମା ମଧ୍ୟରେ ମହାତ୍ମାଗାନ୍ଧୀଙ୍କର ସମ୍ମତିକ୍ରମେ ସିଂହଭୂମି ଓ ମେଦିନୀପୁରକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଦକ୍ଷିଣ ଓଡ଼ିଶାର ସୀମାବିବାଦ ସଂପର୍କରେ ଉଲ୍ଲେଖ କରି ୨୯.୩.୧୯୨୧ରେ ବ୍ରହ୍ମପୁରଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଗାନ୍ଧୀ କହିଥିଲେ- "ଆଗାମୀକାଲି ସୂର୍ଯ୍ୟୋଦୟ ପୂର୍ବରୁ ଓଡ଼ିଆ-ତେଲ୍‍ଗୁ ବିବାଦର ସମାଧାନ ଘଟିବା ଆବଶ୍ୟକ ଓ

୨୨୬ ଆମ ମଧୁସୂଦନ