ପୃଷ୍ଠା:Aama Madhusudan.pdf/୨୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାର ଦାବି ଉପସ୍ଥାପନ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି କରିଥିଲେ । ଏହି ଗରିମାମୟ ଯୁଗାନ୍ତକାରୀ ସଂଗ୍ରାମ ଭାରତର ସ୍ୱାଧୀନତା ପୂର୍ବରୁ ସଂଚାଳିତ ହୋଇ ନଥିଲେ ଦୂରଦ୍ରଷ୍ଟା ଗାନ୍ଧିଜୀଙ୍କ ଭାଷାରେ - ଓଡ଼ିଶାର ଅସ୍ତିତ୍ୱ ପାଉଁଶ ସ୍ତୂପରେ ପରିଣତ ହୋଇଯାଇ ଥାଆନ୍ତା । ହେଲେ ଓଡ଼ିଆ ଜାତିର ଏହି ଶେଷ ଶୌର୍ଯ୍ୟଶାଳୀ ମହିମାମଣ୍ଡିତ ସଂଗ୍ରାମର ଗାଥା ରହିଛି ଅସଂକଳିତ ଓ ଅସଂଗୃହୀତ ହୋଇ ଏବଂ ଦୁର୍ଦ୍ଦର୍ଷ ସଂଗ୍ରାମୀ ବରପୁତ୍ରମାନେ ରହିଛନ୍ତି ଅସ୍ୱୀକୃତ ହୋଇ- ଏହା ହିଁ ଗଭୀର ପରିତାପର ବିଷୟ ।
ପ୍ରାୟ ସମସ୍ତ ଭାରତୀୟ ନେତୃବର୍ଗଙ୍କ ଉଗ୍ର ବିରୋଧ ସତ୍ତ୍ୱେ ମହାତ୍ମାଗାନ୍ଧୀ ହୃଦୟର ଉଚ୍ଛ୍ୱସିତ ଆବେଗ ଘେନି ପରାଧୀନ ଭାରତରେ ସର୍ବାଗ୍ରେ ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶାର ସ୍ଥାପନା ଲାଗି ସଂକଳ୍ପବଦ୍ଧ ରହିଥିଲେ । ଏଣୁ ଏହି ଅବସରରେ ବିଶ୍ୱବନ୍ଦନୀୟ ମହାତ୍ମାଗାନ୍ଧୀଙ୍କ ପ୍ରତି , ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ , କାରଣ ତାଙ୍କର ଭାଷାଭିତ୍ତିକ ପ୍ରଦେଶର ପରିକଳ୍ପନା ଓଡ଼ିଶାର ମାଟିରେ ହିଁ କଳ୍ପିତ ହୋଇ ପ୍ରଥମେ ରୂପାୟିତ ହୋଇଥିଲା ।

୨୨୮ ଆମ ମଧୁସୂଦନ