ପୃଷ୍ଠା:Aama Madhusudan.pdf/୨୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅସ୍ପୃଶ୍ୟତାକୁ ହ୍ରାସ ନକରି ଯଦି ଆମେ କ୍ଷମତାକୁ ଆସୁ, ତେବେ ମୁଁ ନିଶ୍ଚିତ ଯେ ଅସ୍ପୃଶ୍ୟମାନଙ୍କ ପରିସ୍ଥିତି, ସ୍ୱାଧୀନତା ପ୍ରାପ୍ତି ମାତ୍ରକେ ଅଧିକ ବ୍ୟାପକ ଓ ଗଭୀର ହେବ ।"

ସେହିପରି ମଧୁସୂଦନ ଦାସ ଚାରିଟି ପ୍ରଦେଶରେ ବିଭାଜିତ ଓଡ଼ିଆ ଜାତି ସଂଖ୍ୟାଲଘୁ ଭାବେ ନିର୍ଯ୍ୟାତନାର ଶିକାର ହେବା ସଂପର୍କରେ ୧୯୨୦ ସାଲରେ ଗାନ୍ଧିଜୀଙ୍କୁ (ବ୍ରଜସୁନ୍ଦର ଦାସଙ୍କ ଜରିଆରେ) ଯେଉଁ ଚିଠିଟି ଲେଖିଥିଲେ, ତାହାର କିଛି ଅଂଶ ଏହିପରି ଥିଲା ।

"ହେ ମହାତ୍ମାଗାନ୍ଧୀ ! ଆପଣଙ୍କର ନବନିର୍ମିତ ଭାରତ କଣ ଓଡ଼ିଆ ଜାତିର ଭସ୍ମାବଶେଷ ଉପରେ ପ୍ରତିଷ୍ଠିତ ହେବ? ଏହି ଚିଠିଟିକୁ ମହାତ୍ମାଗାନ୍ଧୀ "ଉତ୍କଳର ଚିତ୍କାର' ନାମରେ ୧୮.୨.୧୯୨୦ "ୟଙ୍ଗ୍‍ ଇଣ୍ଡିଆ' ପତ୍ରିକାରେ ପ୍ରକାଶ କରିଥିଲେ ଏବଂ ସେହି ବର୍ଷ ଡିସେମ୍ବର ମାସରେ ନାଗପୁରର ଜାତୀୟ କଂଗ୍ରେସ ଅଧିବେଶନରେ ଭାଷାଭିତ୍ତିକ ପ୍ରଦେଶ ଗଠନପାଇଁ ନୀତି ଗ୍ରହଣ କରିଥିଲେ । ସେହିପରି ୨୯.୩. ୧୯୨୧ରେ ବ୍ରହ୍ମପୁରଠାରେ ଏକ ସଭାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ସଂଭବପର କରିବା ସକାଶେ ମାର୍ଗ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ମହାତ୍ମାଗାନ୍ଧୀ ଅଧିକ ବଳଶାଳୀ ଆନ୍ଧ୍ରବାସୀମାନଙ୍କୁ ଦୁର୍ବଳ ଓଡ଼ିଆମାନଙ୍କର ଦାବି ମାନିନେବା ପାଇଁ ଆହ୍ୱାନ ଜଣାଇଥିଲେ ।

ମଧୁସୂଦନ ଦାସ ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଓଡ଼ିଶା ପ୍ରଦେଶ ଗଠନପାଇଁ ଅଗ୍ରାଧିକାର ଭିତ୍ତିରେ ଦାବି କରିଥିଲେ । କାରଣ ତାଙ୍କ ଦୂରଦୃଷ୍ଟି ବଳରେ ସେ ଜାଣି ପାରିଥିଲେ ଯେ, ସ୍ୱାଧୀନତା ପ୍ରାପ୍ତି ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବି ଅବହେଳିତ ହେଇଯିବାର ଆଶଙ୍କା ରହିଛି । ସ୍ୱାଧୀନତୋତ୍ତର ଭାରତରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ସତ୍ୟ ପ୍ରମାଣିତ ହୋଇଥିଲା । ଏଣୁ ୧୧.୧୨.୧୯୧୭ରେ କଲିକତା ଯାଇ ମଣ୍ଟେଗୁ ଚେମସ୍‍ଫୋଡର଼୍ କମିଟି ଆଗରେ ମଧୁସୂଦନ ତାଙ୍କର ବଳିଷ୍ଠ ଓଡ଼ିଶା ଗଠନ ଦାବି ଉପସ୍ଥାପନ କରିଥିଲେ । ସେହିପରି ଭାବେ ଆମ୍ବେଦକର ୧୯୧୮ ସାଲରେ ସାଉଥ୍‍ବରୋ ଓ ଅନ୍ୟାନ୍ୟ କମିଟି ସମ୍ମୁଖରେ ଦଳିତ ଜାତିର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ପ୍ରାପ୍ତିପାଇଁ ବିଭିନ୍ନ ପ୍ରସ୍ତାବମାନ ଦୃଢ଼ ଭାବେ ଆଗତ କରିଥିଲେ ।

ଭାରତୀୟ ପ୍ରଶାସନରେ ପର୍ଯ୍ୟାପ୍ତ ସଂସ୍କର ଆଣିବାପାଇଁ ୧୯୨୭ ସାଲରେ ଜନ୍‍ ସାଇମନଙ୍କ ଅଧ୍ୟକ୍ଷତାରେ ବି୍ରଟିଶ୍‍ ସରକାର ଏକ କମିଶନ ଗଠନ କରିଥିଲେ । ମାତ୍ର ସେଥିରେ କୌଣସି ଭାରତୀୟ ସଦସ୍ୟ ନଥିବାରୁ ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ମାତ୍ର ବହୁ ଅନ୍ୟ ସଂଖ୍ୟାଲଘୁ ଦଳ, ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଦଳିତ ସମାଜ ଓ ମଧୁସୂଦନଙ୍କ ନେତୃତ୍ୱରେ ଓଡ଼ିଶାର ରାଜନୈତିକ ଦଳ ଏହାକୁ ସ୍ୱାଗତ କରିଥିଲେ ।

ଦଳିତମାନଙ୍କ ସାମଗ୍ରିକ ଉନ୍ନତି କଳ୍ପେ ଆମ୍ବେଦକରଙ୍କୁ, ମଧୁସୂଦନଙ୍କ ପ୍ରଦର୍ଶିତ ସାମ୍ବିଧାନିକ ମାର୍ଗକୁ ଗ୍ରହଣ କରିବାକୁ ପଡ଼ିଥିଲା । ସାଇମନ କମିଶନ ୩.୧୨. ୧୯୨୮ରେ ବମ୍ବେରେ ପହଞ୍ଚିବା ପରେ, ବମ୍ବେ ବିଧାନ କାଉନ୍‍ସିଲ୍‍ର ସଦସ୍ୟ ରୂପେ ତଥା ଦଳିତ ଜାତିର