ମାତୃଭୂମିର ମନ୍ତ୍ରଦାତା ମଧୁସୂଦନ
ସ୍ୱାଧୀନତାର ବିଲୁପ୍ତି ପରେ ୧୫୬୮ସାଲରୁ ପ୍ରାୟ ଚାରିଶହ ବର୍ଷଧରି ଦାସତ୍ୱର ଶୃଙ୍ଖଳରେ ନିଷ୍ପେଷିତ ଆଉ ବିଖଣ୍ଡିତ ଓଡ଼ିଆ ଜାତିକୁ ଏକତ୍ରିତ କରିବାର ପ୍ରୟାସ ମଧ୍ୟରେ, ମଧୁସୂଦନ ଜନ୍ମଭୂମିକୁ ମାତୃସ୍ୱରୂପା କରୁଣାଦାୟିନୀ ଜନନୀ ରୂପେ ଆବାହନ କରିଥିଲେ । ଆପଣାର ଆତ୍ମପରିଚୟ ଓ ସ୍ୱାଭିମାନକୁ ଫେରିପାଇବାପାଇଁ ଏହା ହିଁ ସମଗ୍ର ଓଡ଼ିଆ ଜାତି ମଧ୍ୟରେ ସୃଷ୍ଟି କରିଥିଲା ପ୍ରବଳ ଉଦ୍ଦୀପନା ଓ ଜାଗରଣ ।
ଜନନୀର ମହିମାଗାନରେ ମହିମାନ୍ୱିତ ମଧୁସୂଦନଙ୍କ କଣ୍ଠରେ ଉଚ୍ଛୁଳି ଉଠିଥିଲା,ମାତୃବନ୍ଦନାର ଅମରଗାନ, ଜନସମାଜକୁ ଦେଶମାତୃକାର ସେବାରେ ନିବେଦିତ କରିବାପାଇଁ-
"ଜନ୍ମ ହେଲାକ୍ଷଣି ସ୍ତନ୍ୟଦାନ କରି
ମାତା ମନ୍ତ୍ର ଦେଲେ ପରାର୍ଥେ ଜୀବନ
ଆଶାଥିଲା ମନେ ଦେଖିବି ଜୀବନେ
ଉତ୍କଳ ମାତାର ସହାସ୍ୟ ବଦନ
ସେ ଆଶା ତୁଟିଲା ସ୍ୱପନ ଭାଙ୍ଗିଲା
୧୯୦୪ ସାଲରେ, ବ୍ରିଟିଶ ସରକାରଙ୍କ ପକ୍ଷରୁ ମଧୁସୂଦନଙ୍କୁ ସି.ଆଇ.ଇ ଭଳି ସର୍ବୋଚ୍ଚ ଉପାଧିରେ ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ ବିଭିନ୍ନ ସଂପ୍ରଦାୟ ଓ ଗୋଷ୍ଠୀ ପକ୍ଷରୁ ତାଙ୍କୁ ଯେଉଁ ସମ୍ବର୍ଦ୍ଧନା ଦିଆଯାଇଥିଲା, ତାହାରି ଉତ୍ତରରେ ମଧୁସୂଦନ କହିଥିଲେ "ଆପଣମାନେ ଶ୍ରଦ୍ଧାର ସହ ଯେଉଁ ଫୁଲମାଳାଟି ଅର୍ପଣ କରିଛନ୍ତି, ତାହାକୁ ମୁଁ ଉତ୍କଳ ଜନନୀଙ୍କର କଣ୍ଠଦେଶରେ ଲମ୍ବାଇ ଦେଉଛି । ଅପୂର୍ବ କୀର୍ତ୍ତିରାଜି ବିମଣ୍ଡିତା ପରମ ଐଶ୍ୱର୍ଯ୍ୟଶାଳିନୀ ଉତ୍କଳ ଜନନୀଙ୍କର ଦୁର୍ଦ୍ଦଶା ଦେଖି ଯୌବନକାଳରେ କାନ୍ଦିଥିଲି, ଆଉ ଜୀବନସାରା ଏଥିପାଇଁ କେତେ ଯେ କାନ୍ଦିଛି, ହେଲେ ଜାଣିପାରୁ ନାହିଁ ସେ ଦୁର୍ଦ୍ଦଶାର ଅନ୍ତ କେବେ ହେବ ।"