ପୃଷ୍ଠା:Aama Madhusudan.pdf/୨୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧ୍ୟକ୍ଷ ରୂପେ ଆମ୍ବେଦକର ପୁନାଠାରେ ଅକ୍ଟୋବର ୧୯୨୮ରେ ସାଇମନ କମିଶନଙ୍କ ଆଗରେ ସାକ୍ଷ୍ୟ ପ୍ରଦାନ କରିବା ପରେ ୩.୫.୧୯୨୯ରେ ବମ୍ବେଠାରେ ସୁବିସ୍ତାରିତ ପ୍ରସ୍ତାବମାନ ସାଇମନ କମିଶନଙ୍କ ନିକଟରେ ଦାଖଲ କରିଥିଲେ । ଏହି ପ୍ରସ୍ତାବ ସବୁର ଆଲୋଚନାପାଇଁ ଲଣ୍ଡନଠାରେ ୧୯୩୦ ରୁ ୧୯୩୨ ପର୍ଯ୍ୟନ୍ତ ତିନୋଟି ଗୋଲଟେବୁଲ୍‍ ବୈଠକ ବସିଥିଲା । ଆମ୍ବେଦକର ୧୨.୧୧.୧୯୩୦ରେ ପ୍ରଥମ ଗୋଲ ଟେବୁଲ୍‍ ବୈଠକ ଆଉ ୧୫.୯.୧୯୩୧ରେ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗଦେଇ ଦଳିତ ଜାତିର ଉନ୍ନତିପାଇଁ ବିଭିନ୍ନ ପ୍ରସ୍ତାବ ସହିତ ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନର ଦାବିପତ୍ର ଉପସ୍ଥାପନ କରିଥିଲେ । ମାତ୍ର ଦ୍ୱିତୀୟ ଗୋଲଟେବୁଲ୍‍ ବୈଠକରେ ଯୋଗ ଦେଇଥିବା ମହାତ୍ମାଗାନ୍ଧୀ ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନର ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ । ଭାରତକୁ ଫେରିବା ପରେ ମହାତ୍ମାଗାନ୍ଧୀ ପୁନା ନିକଟସ୍ଥ ୟାରଓ୍ୱାଡ଼ା ଜେଲ୍‍ରେ ବନ୍ଦୀ ହୋଇଥିବା ସମୟରେ ବ୍ରିଟିଶ ସରକାର ୧୭.୮.୧୯୩୨ରେ ଦଳିତମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନର ପ୍ରସ୍ତାବକୁ ସ୍ୱୀକୃତି ଦେଲେ । କିନ୍ତୁ ଏହା ଦ୍ୱାରା ଭାରତରେ ହିନ୍ଦୁ ସମାଜ ସବର୍ଣ୍ଣ ଆଉ ଦଳିତମାନଙ୍କ ମଧ୍ୟରେ ବିଭାଜିତ ହେବାର ଆଶଙ୍କା ଥିବାରୁ ୨୦.୯.୧୯୩୨ରେ ୟାରଓ୍ୱାଡ଼ା ଜେଲର ବଗିଚାର ଏକ ଆମ୍ବଗଛର ଛାଇରେ ମହାତ୍ମାଗାନ୍ଧୀ ତାଙ୍କର ଅନଶନ ଆରମ୍ଭ କରିଥିଲେ, ଯାହା ଯୁଗାନ୍ତକାରୀ ଅନଶନର ମାନ୍ୟତା ପାଇଥିଲା । ଏ କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କ ସହିତ ଆମ୍ବେଦକରଙ୍କର କିଛି କିଛି ବୁଝାମଣା ହେବାପରେ ୨୬.୯.୧୯୩୨ରେ ମହାତ୍ମାଗାନ୍ଧୀ ଅନଶନ ଭଂଗ କରିଥିଲେ । ଏହିପରି ବିଭିନ୍ନ ସଂଗ୍ରାମରେ ଅବତୀର୍ଣ୍ଣ ହୋଇ ଆମ୍ବେଦକର ଦଳିତମାନଙ୍କ ପାଇଁ ବହୁ ସାମ୍ବିଧାନିକ ଅଧିକାର ହାସଲ କରିଥିଲେ ।
ଆମ୍ବେଦକର ଓ ମଧୁସୂଦନ ଯେପରି ଗୋଟିଏ ଉପାଦାନରେ ଗଢ଼ା ହୋଇଥିଲେ ଏବଂ ଏକନିଷ୍ଠ ସଂକଳ୍ପବଦ୍ଧତା ସହ ଆପଣାର ଲକ୍ଷ୍ୟପ୍ରାପ୍ତି ପାଇଁ ଜୀବନବ୍ୟାପି ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ । ଆମ୍ବେଦକର ଓ ମଧୁସୂଦନ ଦଳିତ ଜାତିର ଉନ୍ନତି କଳ୍ପେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଦଳିତମାନଙ୍କ ବିକାଶ ପାଇଁ ମଧୁସୂଦନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନେକ ପ୍ରକଳ୍ପକୁ ମହାତ୍ମାଗାନ୍ଧୀ ପରିଦର୍ଶନ କରିଥିଲେ ।
ଆମ୍ବେଦକର ଦଳିତମାନଙ୍କ ଉନ୍ନତି କଳ୍ପେ ସମର୍ପିତ ନିଜ ଜୀବନର ମୂଲ୍ୟାୟନ କରି ଜୀବନର ଅନ୍ତିମ ବର୍ଷରେ ୧୯୫୭ ସାଲରେ ଲେଖିଥିଲେ- "ମୋଜେସ୍‍ ଯେପରି ତାଙ୍କ ଅନୁଗାମୀ ଜନସଂପ୍ରଦାୟକୁ ପାଲେଷ୍ଟାଇନ୍‍ରେ ଆଶ୍ରୟ ପ୍ରଦାନ କରିଥିଲେ, ସେହିଭଳି ମୁଁ ଦଳିତମାନଙ୍କୁ ସ୍ୱାଧୀନତା ପ୍ରଦାନ କରି ସେମାନଙ୍କୁ ନିର୍ଯ୍ୟାତନାରୁ ମୁକ୍ତ କରିବି ।" ମଧୁସୂଦନ ଓଡ଼ିଆମାନଙ୍କ ପାଇଁ ଏହିଭଳି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ସେ ପ୍ରଚାର ବିମୁଖ ଥିବାରୁ ନିଜ ସଂପର୍କରେ ନୀରବ ରହିଥିଲେ । ମାତ୍ର ୪.୧୨.୧୯୩୪ରେ ତାଙ୍କର ତିରୋଧାନରେ ଓଡ଼ିଶା ଡିଭିଜନର କମିଶନର ଇ.ଏସ୍‍. ହରନେଲ୍‍ ଏହିଭଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଆମ ମଧୁସୂଦନ ୨୩୧