ପୃଷ୍ଠା:Aama Madhusudan.pdf/୨୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ସମ୍ବଲପୁରରେ ସିପାହୀ ବିଦ୍ରୋହ ଅବସରରେ ସୁରେନ୍ଦ୍ର ସାଏଙ୍କର ପ୍ରଚଣ୍ଡ ସଂଘାତ ଭିତରେ ଓଡ଼ିଶା ଭୂଇଁରେ ସଂଗ୍ରାମର ଶେଷ ସ୍ଫୁଲିଙ୍ଗ ନିର୍ବାପିତ ହୋଇଯାଇଥିଲା ।
ହେଲେ ଘଟଣା ପ୍ରବାହର ପ୍ରବଳ ଘୂର୍ଣ୍ଣିି ମଧ୍ୟରେ ୧୮୬୫ ସାଲରେ ଏହି ତ୍ରୟୀଙ୍କର ମିଳନ ଘଟିଥିଲା ବାଲେଶ୍ୱରରେ, ଯାହାର ମାର୍ମିକ ବିବରଣୀ ଉପସ୍ଥାପିତ ହୋଇଛି ଫକୀରମୋହନଙ୍କ ଆତ୍ମଜୀବନୀରେ- "ବାଲେଶ୍ୱରରେ ମୋତିଗଞ୍ଜ ବଜାରର ଦକ୍ଷିଣ ପ୍ରାନ୍ତରେ ଗୋଟିଏ ପୁଷ୍କରିଣୀର ନାମ ଗଡ଼ଗଡ଼ିଆ । ବାବୁ ମଧୁସୂଦନ ସେ ସମୟରେ ବାଲେଶ୍ୱର ଜିଲ୍ଲା ସ୍କୁଲ୍‍ର ତୃତୀୟ ଶିକ୍ଷକ ଥିଲେ । ଗ୍ରୀଷ୍ମ କାଳରେ ଆମ୍ଭେମାନେ ପ୍ରାୟ ପ୍ରତିଦିନ ପରସ୍ପର କଥୋପକଥନ ଓ ବାୟୁ ସେବନ ନିମନ୍ତେ ଉକ୍ତ ପୁଷ୍କରିଣୀର ଘାଟରେ ଏକତ୍ରିତ ହେଉଥିଲୁ । ପିତାଙ୍କ ଭୟରେ ରାଧାନାଥ ଦିବାଲୋକର ପ୍ରକାଶରେ ଆମ୍ଭମାନଙ୍କ ସହିତ ଆସି ବସିପାରନ୍ତି ନାହିଁ । ଦିନେଦିନେ ସନ୍ଧ୍ୟା ଉତ୍ତାରେ ଆସି ପହଞ୍ଚି ଯାଆନ୍ତି । କିନ୍ତୁ ମଧୁସୂଦନ ପ୍ରତ୍ୟହ ଆସି ଆମ ଦଳରେ ମିଶୁଥିଲେ । ସେହି ତରୁଣ ବୟସରେ ମଧ୍ୟ ତାହାଙ୍କର ଉଚ୍ଚାକାଂକ୍ଷା ବିଷୟରେ ଶୁଣି ଆମ୍ଭେମାନେ ସ୍ତମ୍ଭୀତ ହୋଇଯାଇଥିଲୁ । ସେ ସେଠାରୁ କର୍ମ ତ୍ୟାଗ କରି କଲକତା ଚାଲି ଯାଇଥିଲେ ।" ତାହା ଘଟିଥିଲା ୧୮୬୬ ସାଲ ପ୍ରାରମ୍ଭରେ ।
ସେହି ଘଟଣାବଳୀ ମଧୁସୂଦନଙ୍କ ନିଜସ୍ୱ ବକ୍ତବ୍ୟରେ ନିମ୍ନ ଭାବରେ ଉପସ୍ଥାପିତ ହୋଇଛି- "ଆମ୍ଭେମାନେ କଟକ କଲିଜିଏଟ୍‍ ସ୍କୁଲ୍‍‌ରେ ପଢ଼ିଲାବେଳେ ଇଂରାଜୀ ଓ ବଂଗଳା ବହି ପଢ଼ୁଥିଲୁ, କାରଣ ସବୁତକ ମାଷ୍ଟର ବଙ୍ଗାଳୀ । ସେତେବେଳେ ସେମାନେ ଓଡ଼ିଆରେ କଥା କହୁ ନଥିଲେ । ଆମର ଓଡ଼ିଆ ପାଠ୍ୟ ପୁସ୍ତକ ମଧ୍ୟ ନଥିଲା । ତେଣୁ ଆମେ କେତେକ ଓଡ଼ିଆ ପିଲାଙ୍କ ମନରେ ଭାବ ଆସିଲା ଯେ, ଓଡ଼ିଆ ପାଠ୍ୟ ପୁସ୍ତକ ଥାଆନ୍ତା ଓ ଓଡ଼ିଆ ମାଷ୍ଟର ଥାଆନ୍ତେ କି ? ଯାହାହେଉ ମୁଁ ପାଶ୍‍ କରି ଉଚ୍ଚଶିକ୍ଷାପାଇଁ ଇଚ୍ଛା ପ୍ରକାଶ କରି ବାପାଙ୍କୁ କହିଲି । ସେ ମନାକରି କହିଲେ, "ଡେପୁଟି ହୁଅ ।"
ମୁଁ ତାଙ୍କ କଥା ନମାନି ଚାଲିଚାଲି ବାଲେଶ୍ୱର ଗଲି ଓ ଜିଲ୍ଲାସ୍କୁଲ୍‍ ମାଷ୍ଟର ହେଲି । ସେଠି ହେଡ଼୍‍ ପଣ୍ଡିତ କାନ୍ତିଚନ୍ଦ୍ର ବନ୍ଦୋପାଧ୍ୟାୟ ଓଡ଼ିଆ ବିଦ୍ୱେଷୀ ଥିଲେ । ସେ କହୁଥିଲେ, ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ । ଫକୀରମୋହନ ସେନାପତି ଭର୍ଣ୍ଣାକୁଲାର ପଢ଼ି ଗୋଟିଏ ପ୍ରାଇମେରୀ ସ୍କୁଲ୍‍ ଶିକ୍ଷକ ଥିଲେ । ସେ ଓଡ଼ିଆ ଭାଷାପ୍ରେମୀ ଥାଇ ବାଲେଶ୍ୱରରେ ଆନ୍ଦୋଳନ ଚଳାଇଲେ । ସେ ମୋଠାରୁ ପାଞ୍ଚ ବର୍ଷ ବଡ଼ ଥିଲେ ଓ ମୁଁ ତାଙ୍କ ସହିତ ଯୋଗ ଦେବାରୁ କାନ୍ତିଚନ୍ଦ୍ର ମୋ ଉପରେ ବିରକ୍ତ ହେଲେ । ତା'ପରେ ସବ୍‍ ରେଜେଷ୍ଟ୍ରି ଅଫିସ୍‍ରେ ଚାକିରି କଲି । କାନ୍ତିଚନ୍ଦ୍ରଙ୍କ ବନ୍ଧୁ ସେଠି ହେଡ଼୍‍ କିରାଣି ଥାଇ ମୋତେ ବଦନାମରେ ପକାଇବାକୁ ଚେଷ୍ଟା କଲେ । ମୁଁ ତାଙ୍କର ଦୌରାତ୍ମ୍ୟ ଓ ଷଡ଼ଯନ୍ତ୍ର ସହି ନପାରି ଚାକିରି ଛାଡ଼ି କଲିକତା ଗଲି ।
ଆଉ ୧୮୬୬ ସାଲର ଶେଷ ଭାଗରେ ଓଡ଼ିଆ ଜାତି ବଳି ଚଢ଼ିଥିଲା ନଅଙ୍କ ଦୁର୍ଭିିକ୍ଷର ଯୂପକାଠିରେ । ସେହି ପ୍ରାଣଶୋଷା ମଡ଼କର କରାଳ ଗ୍ରାସରେ ଏ ଜାତିର ଏକ ଚତୁର୍ଥାଂଶ ଲୋକ

୨୩୬ ଆମ ମଧୁସୂଦନ