ପୃଷ୍ଠା:Aama Madhusudan.pdf/୨୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦାସଙ୍କର, ଏ ଦେଶ ମାଟିର ଉତ୍ତଳା ଗନ୍ଧରେ ଆମୋଦିତ ଅନନ୍ୟ ରଚନାବଳୀ ପ୍ରଣୟନର ଦୀର୍ଘ ଚାରିଶହ ବର୍ଷ ପରେ ଶୂନ୍ୟାଚାରୀ ଓଡ଼ିଆ ସାହିତ୍ୟ ପୁଣି ଫେରିଥିଲା ଓଡ଼ିଶା ମାଟିକୁ । ଏ କ୍ଷେତ୍ରରେ ରାଧାନାଥଙ୍କର କାଳଜୟୀ ସାହିତ୍ୟକୃତିର କୌଣସି ତୁଳନା ନାହିଁ ।
ବିଖଣ୍ଡିତ ଓଡ଼ିଶାମାଟିକୁ ମମତ୍ୱର ଏକତାସୂତ୍ରରେ ଗୁନ୍ଥି, ସେଦିନ ପୌଷପୂର୍ଣ୍ଣିମାର ଅଭିଷେକ ଉତ୍ସବର ପ୍ରାତଃ ବେଳାରେ, ସମଗ୍ର ଉତ୍କଳ ଭୂଖଣ୍ଡର ଦେବଦେବୀଙ୍କର ସମୁଜ୍ୱଳ ସମାବେଶ ଘଟିଥିଲା, ନୀଳାଚଳଠାରେ, ଚନ୍ଦ୍ରଭାଗା (୧୮୬୬)କାବ୍ୟରେ, ଯାହା ମାଧ୍ୟମରେ ରାଧାନାଥ ସର୍ବ ପ୍ରଥମେ ଉତ୍କଳୀୟ ସଂସ୍କୃତିର ଅନବଦ୍ୟ ଐକତାନରେ ମନ୍ଦ୍ରିତ କରିଥିଲେ ଓଡ଼ିଆ ସାହିତ୍ୟକୁ । ୧୮୮୮ ସାଲରେ ନନ୍ଦୀକେଶ୍ୱରୀ କାବ୍ୟରେ ଉତ୍କଳର ଐତିହ୍ୟକୁ ଉତ୍ତୋଳିତ କରି, ପରେ ପାର୍ବତୀ କାବ୍ୟରେ ସମଗ୍ର ଓଡ଼ିଶାର ପାହାଡ଼ ଓ ଗିରିଶୃଙ୍ଗମାନଙ୍କୁ ଚୁମ୍ବି ଜୈତ୍ର ଯାତ୍ରାର ଆଗ୍ନେୟ ସଂଚାରଣ ମଧ୍ୟରେ ଉତ୍କଳୀୟ ଏକୀଭୂତ ପ୍ରାଣର ଉଚ୍ଛଳ ଓ ମାର୍ମିକ ପରିପ୍ରକାଶ କରିଥିଲେ ।
ଆଉ ଏ ମାଟିର ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା (୧୮୯୧)ର ଅନୁରୂପ ନୈସର୍ଗିକ ଦୃଶ୍ୟାବଳୀର ପ୍ରାଣଛୁଆଁ ଉପସ୍ଥାପନା ପରେ ତାହାରି ଅନୁକରଣରେ ଅସଂଖ୍ୟ ପ୍ରତିଭାଧର କବିଙ୍କ ଲେଖନୀରେ ଆଞ୍ଚଳିକ ଶୋଭା ସଂଭାରମାନ ଜୀବନ୍ୟାସ ପାଇ ଉଦ୍‍ବେଳିତ ହୋଇ ଉଠିଥିଲେ । ପରିଣାମରେ ଉତ୍କଳର ମାଟି ହୋଇଯାଇଥିଲା ମାତୃଶକ୍ତିର ପରିପୂରିତ ଆଧାର, ଯାହାର ବାସ୍ତବ ଅନ୍ୱେଷଣରେ ମଧୁସୂଦନଙ୍କ ଆକୁଳ ଆବାହନରେ ଓଡ଼ିଆ ଜାତି ପାଇଥିଲା, ଏକ ଅଫୁରନ୍ତ ପ୍ରେରଣାର ଉତ୍ସ । ସେହି ଆବାହନୀ ସଂଗୀତର ପଙ୍‍କ୍ତି ଥିଲା ଏହିପରି -


""କୋଟିଏ ସନ୍ତାନ ଗୋଟିଏ ସ୍ୱରରେ ଜନନୀ ଜନନୀ ଡାକ,
ତୃଷାରେ ଆତୁର ଗଗନକୁ ଚାହିଁ ଯେସନେ ଡାକେ ଚାତକ ।

-ମଧୁସୂଦନ

ରାଧାନାଥଙ୍କ ରଚନାବଳୀରେ ସନ୍ନିବେଶିତ ମାତୃ ଆହ୍ୱାନର ପ୍ରତ୍ୟୁତ୍ତର ଦେଇ ଫକୀରମୋହନ ରଚନା କରିଥିଲେ ୧୮୯୨ ସାଲରେ 'ଉତ୍କଳ ଭ୍ରମଣ', ଯହିଁରେ ଛଳଛଳ ପ୍ରକୃତିର ନୈସର୍ଗିକ ବର୍ଣ୍ଣନା ପରିବର୍ତ୍ତେ, ସମଗ୍ର ଉତ୍କଳ ଭୂଖଣ୍ଡରେ ବିଚ୍ଛୁରିତ ଥିବା ଦେଶମାତୃକା ଓ ସାରସ୍ୱତ ପୂଜାରେ ନିବେଦିତ ବହୁ ଉତ୍ସର୍ଗୀକୃତ ସାଧକମ଼ାନଙ୍କ ଅନବଦ୍ୟ କୃତିତ୍ୱ ମୁଖରିତ ହୋଇଥିଲା । ସୁଦୂର ପଶ୍ଚିମାଞ୍ଚଳରୁ ପ୍ରକୃତି କବି ଗଂଗାଧର ମେହେର ୧୮୯୪ ସାଲରେ ରଚନା କରିଥିଲେ 'ଉତ୍କଳ ଲକ୍ଷ୍ମୀ' କାବ୍ୟ, ଯହିଁରେ ଉତ୍କଳର ନୈସର୍ଗିକ ବର୍ଣ୍ଣନା ସହିତ ପ୍ରତିଭାଧରମାନଙ୍କ ଆଲେଖ୍ୟର ଅପୂର୍ବ ସମନ୍ୱୟ ଘଟିଥିଲା ।
ମାତ୍ର ଦଶୋଟି ବର୍ଷରେ ଦେଶପ୍ରେମ ସମ୍ବଳିତ ସାରସ୍ୱତ ରଚନାବଳୀର ଉଚ୍ଛ୍ୱସିତ ପରିପ୍ରକାଶ ମଧ୍ୟରେ ବିଖଣ୍ଡିତ ଓଡ଼ିଆ ଜାତିର ମିଳନ ଆକାଙ୍‍କ୍ଷା ଯେମିତି ଆଉ ଅବଦମିତ ଅବସ୍ଥାରେ ନଥିଲା । ତେଣୁ ୧୮୯୫ରେ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାର ଉଚ୍ଛେଦ ପରେ ପ୍ରତିବାଦର ସ୍ୱର ଅତ୍ୟନ୍ତ ତୀବ୍ର ହୋଇ ଉଠିଥିଲା । ସେହି ସ୍ୱରରେ ଦେଶ ମିଶ୍ରଣର ଦୁର୍ବାର କାମନାଟି ରୂପ

୨୩୮* ଆମ ମଧୁସୂଦନ