ପୃଷ୍ଠା:Aama Madhusudan.pdf/୨୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮୯୭ ସାଲରେ ଯେତେବେଳେ ମଧୁସୂଦନ ଇଂଲଣ୍ଡକୁ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣର ସୂତ୍ର ଖୋଜିବାକୁ ଯାଇଥିଲେ, ସେତେବେଳେ ବହୁ ଶୁଭାକାଙ୍‍କ୍ଷୀ ବନ୍ଧୁଙ୍କଠାରୁ ପରାମର୍ଶ ମିଳିଲା ଯେ ଭାରତରେ ନିଯୁକ୍ତ ହୋଇଥିବା ନୂତନ ବଡ଼ଲାଟଙ୍କ ହାତରେ ଏହି ସମସ୍ୟାର ସମାଧାନର ସୂତ୍ର ରହିଛି । ୧୮୯୯ ସାଲରେ ବଡ଼ଲାଟ ଭାବେ ଯୋଗଦେଲେ, ସଂସ୍କୃତି, ପ୍ରତ୍ନତତ୍ତ୍ୱ ଆଉ ସ୍ଥାପତ୍ୟରେ ଅଭିରୁଚି ରଖିଥିବା ଲର୍ଡ କର୍ଜନ । ମଧୁସୂଦନ ବଡ଼ଲାଟଙ୍କ ପାଖକୁ କ୍ରମାଗତ ଭାବେ ଆବେଦନ ପତ୍ର ପ୍ରେରଣ କରିବାକୁ ଲାଗିଲେ । ଆବେଦନ ପତ୍ରର ଭାଷା ଅତ୍ୟନ୍ତ ମାର୍ମିକ ଆଉ ପ୍ରାଣସ୍ପର୍ଶୀ ଥିଲା ।
ମଧୁସୂଦନ କର୍ଜନଙ୍କୁ ସିମଲାଠାରେ ୧୯୦୦ ସାଲର ଅକ୍ଟୋବର ୨ୟ ସପ୍ତାହରେ ଭେଟି ଦାବୀ ଉପସ୍ଥାପନା ପରେ ପୁରୀ ଓ ଭୁବନେଶ୍ୱରର ମନ୍ଦିରମାଳିନୀ ନଗରୀ ପରିଦର୍ଶନ କରିବାକୁ ଅନୁରୋଧ କଲେ । ନୂତନ ରେଳପଥ ସଂଯୁକ୍ତି ସୁଯୋଗ ନେଇ ୧୬.୧୨.୧୯୦୦ରେ କର୍ଜନ ପୁରୀ ଓ ଭୁବନେଶ୍ୱର ନଗରୀ ପରିଦର୍ଶନ ପରେ ଓଡ଼ିଶାର ଭାଗ୍ୟ ଉନ୍ମୋଚିତ ହେଲା ।
ମଧୁସୂଦନଙ୍କ ସ୍ୱଦେଶୀ ଶିଳ୍ପାୟନର କାର୍ଯ୍ୟକ୍ରମ ୧୯୦୦ ସାଲବେଳକୁ ପୂର୍ଣ୍ଣାଙ୍ଗତା ଲାଭ କରିଥିଲା । ଦଳିତମାନଙ୍କର ଆର୍ଥିକ ଅଭ୍ୟୁତ୍ଥାନ ଜୋତା ତିଆରି ମାଧ୍ୟମରେ ରୂପରେଖ ନେଇ ପାରିଥିଲା ।
ଏ ସମସ୍ତ ଦୃଷ୍ଟିରୁ ୧୯୦୦ ସାଲ ଥିଲା ଓଡ଼ିଶାର ଅଭ୍ୟୁଦୟ ପାଇଁ ଏକ ଗରିମାଦୀପ୍ତ ସମ୍ବତ୍ସର ।

୨୪୨ ଆମ ମଧୁସୂଦନ